Agradecimento pela vida
Agradecer pela vida é reconhecer que cada respiração é dom de Deus. Toda criatura que tem fôlego louve ao Senhor — porque Ele nos formou e nos sustenta com amor.
ନିଃଶ୍ୱାସପ୍ରଶ୍ୱାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କରୁ।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ତ୍ରାଣକର୍ତ୍ତା ପ୍ରଭୁଙ୍କ ସ୍ତୁତିଗାନ
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ମୋହର ମନ, ସଦାପ୍ରଭୁଙ୍କର ପ୍ରଶଂସା କର।
ମୁଁ ବଞ୍ଚିଥିବା ଯାଏ ସଦାପ୍ରଭୁଙ୍କର ପ୍ରଶଂସା କରିବି;
ଯେପର୍ଯ୍ୟନ୍ତ ମୋହର କୌଣସି ସତ୍ତା ଥାଏ, ସେପର୍ଯ୍ୟନ୍ତ ମୁଁ ଆପଣା ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବି।
କାରଣ ତୁମ୍ଭେ ମୋହର ମର୍ମର କର୍ତ୍ତା;
ତୁମ୍ଭେ ମୋତେ ମାତୃଗର୍ଭରେ ଆଚ୍ଛାଦନ କରିଅଛ।
ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି; କାରଣ ମୁଁ ଭୟଙ୍କର ଓ ଆଶ୍ଚର୍ଯ୍ୟ ରୂପେ ନିର୍ମିତ;
ତୁମ୍ଭର କର୍ମସକଳ ଆଶ୍ଚର୍ଯ୍ୟ;
ଏହା ମୁଁ ଭଲ ରୂପେ ଜାଣେ।
ମୁଁ ଗୋପନରେ ନିର୍ମିତ ଓ ପୃଥିବୀର ଅଧଃସ୍ଥାନରେ
ଶିଳ୍ପିତ ହେବା ସମୟରେ ମୋହର ଅସ୍ଥିପଞ୍ଜର ତୁମ୍ଭଠାରୁ ଗୁପ୍ତ ନ ଥିଲା।
ତୁମ୍ଭ ଚକ୍ଷୁ ମୋହର ସେହି ଅସମ୍ପୂର୍ଣ୍ଣ ପିଣ୍ଡ ଦେଖିଲା
ଓ ମୋହର ଯେଉଁସବୁ ଅଙ୍ଗପ୍ରତ୍ୟଙ୍ଗ ଦିନକୁ ଦିନ ଗଠିତ ହେଲା,
ତନ୍ମଧ୍ୟରୁ ଗୋଟିଏ ହେଲେ ନ ହେଉଣୁ ତାହାସବୁ ତୁମ୍ଭ ପୁସ୍ତକରେ ଲିଖିତ ଥିଲା।
ମୁଁ ବଞ୍ଚିଥିବା ଯାଏ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି;
ମୋହର ଅସ୍ତିତ୍ୱ ଥିବାଯାଏ, ମୁଁ ମୋହର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।
ତାହାଙ୍କ ପ୍ରତି ମୋʼ ଧ୍ୟାନ ସୁମିଷ୍ଟ ହେଉ;
ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି।
ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି, ଏହା ତୁମ୍ଭେମାନେ ଜ୍ଞାତ ହୁଅ;
ସେ ଆମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି ଓ ଆମ୍ଭେମାନେ ତାହାଙ୍କର ଅଟୁ;
ଆମ୍ଭେମାନେ ତାହାଙ୍କର ଲୋକ ଓ ତାହାଙ୍କ ଚରାସ୍ଥାନର ମେଷ।
ଧନ୍ୟବାଦ କରୁ କରୁ ତାହାଙ୍କ ଦ୍ୱାରରେ
ଓ ପ୍ରଶଂସା କରୁ କରୁ ତାହାଙ୍କ ପ୍ରାଙ୍ଗଣରେ ପ୍ରବେଶ କର;
ତାହାଙ୍କର ସ୍ତବ କର ଓ ତାହାଙ୍କ ନାମର ଗୁଣାନୁବାଦ କର।
ହେ ପରମେଶ୍ୱର, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା କିପରି ବହୁମୂଲ୍ୟ!
ପୁଣି, ମନୁଷ୍ୟ-ସନ୍ତାନଗଣ ତୁମ୍ଭ ପକ୍ଷଛାୟା ତଳେ ଆଶ୍ରୟ ନିଅନ୍ତି।
ସେମାନେ ତୁମ୍ଭ ଗୃହର ପୁଷ୍ଟିକର ଦ୍ରବ୍ୟରେ ବହୁଳ ରୂପେ ପରିତୃପ୍ତ ହେବେ;
ପୁଣି, ତୁମ୍ଭେ ସେମାନଙ୍କୁ ଆପଣା ଆନନ୍ଦ-ନଦୀର ଜଳ ପାନ କରାଇବ।
କାରଣ ତୁମ୍ଭଠାରେ ଜୀବନର ନିର୍ଝର ଅଛି;
ତୁମ୍ଭ ଦୀପ୍ତିରେ ଆମ୍ଭେମାନେ ଦୀପ୍ତି ଦେଖିବା।
ଧନ୍ୟବାଦ ପ୍ରାର୍ଥନା
ହେ ସଦାପ୍ରଭୋ, ମୁଁ ତୁମ୍ଭର ଗୁଣଗାନ କରିବି; କାରଣ ତୁମ୍ଭେ ମୋତେ ଉଠାଇଅଛ; ଓ ମୋʼ ଶତ୍ରୁଗଣକୁ ମୋʼ ଉପରେ ଆନନ୍ଦ କରିବାକୁ ଦେଇ ନାହଁ।
ହେ ସଦାପ୍ରଭୋ, ମୋହର ପରମେଶ୍ୱର, ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲି, ପୁଣି, ତୁମ୍ଭେ ମୋତେ ସୁସ୍ଥ କରିଅଛ।
ହେ ସଦାପ୍ରଭୋ, ତୁମ୍ଭେ ପାତାଳରୁ ମୋʼ ପ୍ରାଣ ଉଠାଇ ଆଣିଅଛ; ମୁଁ ଯେପରି ଗର୍ତ୍ତକୁ ଗମନ ନ କରିବି, ଏଥିପାଇଁ ତୁମ୍ଭେ ମୋତେ ବଞ୍ଚାଇ ରଖିଅଛ।
ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସକଳ ବର୍ଣ୍ଣନା କରିବି
ମୁଁ ସର୍ବାନ୍ତଃକରଣରେ ସଦାପ୍ରଭୁଙ୍କର ଧନ୍ୟବାଦ କରିବି;
ମୁଁ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସକଳ ବର୍ଣ୍ଣନା କରିବି।
ମୁଁ ତୁମ୍ଭଠାରେ ଆନନ୍ଦ ଓ ଉଲ୍ଲାସ କରିବି;
ହେ ସର୍ବୋପରିସ୍ଥ, ମୁଁ ତୁମ୍ଭ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।
ସର୍ବଦା ସର୍ବ ବିଷୟ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ବରଙ୍କୁ ଧନ୍ୟବାଦ ଦିଅ,
ଖ୍ରୀଷ୍ଟଙ୍କଠାରେ ନିହିତ ଆତ୍ମିକ ଆଶୀର୍ବାଦ
ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି,
ଈଶ୍ବରଙ୍କ ଅକଥନୀୟ ଦାନ ଯାହା ତାହାଙ୍କ ଏକମାତ୍ର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ତାହାଙ୍କର ଧନ୍ୟବାଦ ହେଉ।
ପୁଣି, ଯେଉଁ ପିତା ଦୀପ୍ତିରେ ସାଧୁମାନଙ୍କ ଅଧିକାରର ସହଭାଗୀ ହେବା ନିମନ୍ତେ ତୁମ୍ଭମାନଙ୍କୁ ଯୋଗ୍ୟ କରିଅଛନ୍ତି, ତାହାଙ୍କୁ ଆନନ୍ଦ ସହିତ ଧନ୍ୟବାଦ ଦିଅ। ସେ ଆମ୍ଭମାନଙ୍କୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି ଆପଣା ପ୍ରେମପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି; ଯୀଶୁଙ୍କଠାରେ ଆମ୍ଭେମାନେ ମୁକ୍ତି, ଅର୍ଥାତ୍, ପାପ କ୍ଷମା ପାଇଅଛୁ।
ଖ୍ରୀଷ୍ଟଙ୍କର ଶ୍ରେଷ୍ଠତା
ସେ ଅଦୃଶ୍ୟ ଈଶ୍ବରଙ୍କ ପ୍ରତିମୂର୍ତ୍ତି, ସମସ୍ତ ସୃଷ୍ଟିର ପ୍ରଥମଜାତ, କାରଣ ଦୃଶ୍ୟ ଓ ଅଦୃଶ୍ୟ, ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟି ହେଲା, ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ, ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି; ସମସ୍ତ ବିଷୟ ସୃଷ୍ଟ ହେବା ପୂର୍ବରୁ ସେ ଅଛନ୍ତି ଓ ତାହାଙ୍କଠାରେ ସମସ୍ତ ବିଷୟର ଅସ୍ତିତ୍ୱ ଅଛି।
ଆଉ ତୁମ୍ଭେ ଭୋଜନ କରି ତୃପ୍ତ ହେବ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି, ତହିଁ ସକାଶୁ ତାହାଙ୍କର ଧନ୍ୟବାଦ କରିବ।
ହେ ପ୍ରଭୁ, ତୁମ୍ଭେ ମୋʼ ପ୍ରାଣର ବିବାଦସକଳର ସପକ୍ଷରେ ପ୍ରତିବାଦ କରିଅଛ; ତୁମ୍ଭେ ମୋହର ଜୀବନ ମୁକ୍ତ କରିଅଛ।
ମୁଁ ପର୍ବତଗଣର ମୂଳ ପର୍ଯ୍ୟନ୍ତ ତଳକୁ ଗଲି;
ମୋʼ ପଶ୍ଚାତ୍ ପୃଥିବୀ ଆପଣାର ଅର୍ଗଳସକଳ ଚିରକାଳ ନିମନ୍ତେ ରୁଦ୍ଧ କଲା;
ତଥାପି ହେ ସଦାପ୍ରଭୁ, ମୋʼ ପରମେଶ୍ୱର, ତୁମ୍ଭେ ଗର୍ତ୍ତରୁ ମୋʼ ପ୍ରାଣକୁ ବାହାର କରି ଆଣିଲ।
ମୋʼ ମଧ୍ୟରେ ମୋʼ ପ୍ରାଣ ମୂର୍ଚ୍ଛିତ ହେବା ବେଳେ ମୁଁ ସଦାପ୍ରଭୁଙ୍କୁ ସ୍ମରଣ କଲି;
ପୁଣି, ମୋʼ ପ୍ରାର୍ଥନା ତୁମ୍ଭ ନିକଟରେ, ତୁମ୍ଭ ପବିତ୍ର ମନ୍ଦିରରେ ଉପସ୍ଥିତ ହେଲା।