ଆତ୍ମିକ ଦାନ
1 ହେ ଭାଇମାନେ, ଆତ୍ମିକ ଦାନ ସମ୍ବନ୍ଧରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ। 2 ତୁମ୍ଭେମାନେ ଜାଣ ଯେ, ଯେତେବେଳେ ତୁମ୍ଭେମାନେ ଅଣଯିହୁଦୀ ଥିଲ, ସେତେବେଳେ ଯେପରି ପରିଚାଳିତ ହେଉଥିଲ, ସେହିପରି ଭ୍ରାନ୍ତ ଭାବରେ ଚାଳିତ ହୋଇ ମୂକ ପ୍ରତିମାମାନଙ୍କ ଅନୁଗତ ଥିଲ। 3 ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ଜଣାଉଅଛି, ଈଶ୍ବରଙ୍କ ଆତ୍ମା ପ୍ରାପ୍ତ ହୋଇ କଥା କହିବା କୌଣସି ଲୋକ "ଯୀଶୁ ଅଭିଶପ୍ତ" ବୋଲି କୁହେ ନାହିଁ, ପୁଣି, କୌଣସି ଲୋକ ପବିତ୍ର ଆତ୍ମା ପ୍ରାପ୍ତ ନ ହୋଇ "ଯୀଶୁ ପ୍ରଭୁ" ବୋଲି କହିପାରେ ନାହିଁ। 4 ଅନୁଗ୍ରହ ଦାନ ବିଭିନ୍ନ ପ୍ରକାର, କିନ୍ତୁ ଆତ୍ମା ଏକ; 5 ସେବା ବିଭିନ୍ନ ପ୍ରକାର, ଆଉ, ପ୍ରଭୁ ଏକ; 6 କାର୍ଯ୍ୟ ବିଭିନ୍ନ ପ୍ରକାର, କିନ୍ତୁ ଈଶ୍ବର ଏକ, ସେ ସମସ୍ତଙ୍କଠାରେ ସମସ୍ତ ସାଧନ କରନ୍ତି। 7 କିନ୍ତୁ ପ୍ରତ୍ୟେକ ଜଣକୁ ଆତ୍ମାଙ୍କ ଗୁଣପ୍ରକାଶକ ଦାନ ସାଧାରଣ ହିତ ନିମନ୍ତେ ପ୍ରଦତ୍ତ ହୁଏ।