ହାନ୍ନାଙ୍କ ପ୍ରାର୍ଥନା
1 ପୁଣି, ହାନ୍ନା ପ୍ରାର୍ଥନା କରି କହିଲା;
"ମୋହର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ମହା ଉଲ୍ଲାସ କରୁଅଛି,
ସଦାପ୍ରଭୁଙ୍କଠାରେ ମୋହର ଶୃଙ୍ଗ ଉନ୍ନତ ହୋଇଅଛି;
ମୋହର ମୁଖ ମୋର ଶତ୍ରୁମାନଙ୍କ ନିକଟରେ ଖୋଲିଅଛି;
ଯେହେତୁ ମୁଁ ତୁମ୍ଭ ପରିତ୍ରାଣରେ ଆନନ୍ଦ କରେ।
2 ସଦାପ୍ରଭୁଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ;
ଯେହେତୁ ତୁମ୍ଭ ଭିନ୍ନ ଆଉ କେହି ନାହିଁ;
କିଅବା ଆମ୍ଭମାନଙ୍କ ପରମେଶ୍ୱରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ।
3 ଏପରି ଅତି ଅହଙ୍କାରରେ ଆଉ କଥା ନ କୁହ;
ତୁମ୍ଭମାନଙ୍କ ମୁଖରୁ ଦାମ୍ଭିକତା ନିର୍ଗତ ନ ହେଉ;
କାରଣ ସଦାପ୍ରଭୁ ସର୍ବଜ୍ଞ ପରମେଶ୍ୱର ଅଟନ୍ତି,
ତାହାଙ୍କ ଦ୍ୱାରା ସକଳ କ୍ରିୟା ତୌଲାଯାଏ।
4 ବୀରମାନଙ୍କର ଧନୁ ଭଙ୍ଗା ଯାଇଅଛି
ଓ ଝୁଣ୍ଟି ପଡ଼ିବା ଲୋକମାନଙ୍କର କଟି ବଳରେ ବନ୍ଧାଯାଇଅଛି।
5 ଯେଉଁମାନେ ପରିତୃପ୍ତ ଥିଲେ, ସେମାନେ ଆପେ ଖାଦ୍ୟ ନିମନ୍ତେ ବେତନଜୀବୀ ହୋଇଅଛନ୍ତି
ଓ ଯେଉଁମାନେ କ୍ଷୁଧିତ ଥିଲେ, ସେମାନେ ବିଶ୍ରାମ ପାଇଅଛନ୍ତି;
ହଁ, ବନ୍ଧ୍ୟା ସପ୍ତ ସନ୍ତାନ ପ୍ରସବ କରିଅଛି
ଓ ଯାହାର ଅନେକ ସନ୍ତାନସନ୍ତତି ଥିଲେ, ସେ ନିସ୍ତେଜ ହେଉଅଛି।
6 ସଦାପ୍ରଭୁ ମୃତ୍ୟୁୁ ଘଟାନ୍ତି ଓ ସଜୀବ କରନ୍ତି;
ସେ ପାତାଳକୁ ଓହ୍ଲାଇ ଆଣନ୍ତି ଓ ଉପରକୁ ଉଠାଇ ନିଅନ୍ତି।
7 ସଦାପ୍ରଭୁ ନିର୍ଦ୍ଧନ କରନ୍ତି ଓ ଧନବାନ କରନ୍ତି;
ସେ ନତ କରନ୍ତି, ସେ ମଧ୍ୟ ଉନ୍ନତ କରନ୍ତି।
8 ସେ କୁଳୀନମାନଙ୍କ ସଙ୍ଗେ ବସାଇବା ପାଇଁ
ଓ ଗୌରବ ସିଂହାସନ ଅଧିକାର କରିବା ପାଇଁ
ଧୂଳିରୁ ଦୀନହୀନକୁ ଉଠାନ୍ତି
ଓ ଦରିଦ୍ରକୁ ଖତରାଶିରୁ ଉନ୍ନତ କରନ୍ତି;
କାରଣ ପୃଥିବୀର ସ୍ତମ୍ଭସକଳ ସଦାପ୍ରଭୁଙ୍କର
ଓ ସେ ତହିଁ ଉପରେ ଜଗତ ସ୍ଥାପନ କରିଅଛନ୍ତି।
9 ସେ ଆପଣା ଧାର୍ମିକ ଲୋକମାନଙ୍କର ଚରଣ ରକ୍ଷା କରିବେ;
ମାତ୍ର ଦୁଷ୍ଟମାନେ ଅନ୍ଧକାରରେ ନୀରବ କରାଯିବେ;2:9 ଅର୍ଥାତ୍ ଦୁଷ୍ଟମାନେ ମୃତ୍ୟୁବରଣ କରି ଅନ୍ଧକାରକୁ ଯିବେ
ଯେହେତୁ କୌଣସି ମନୁଷ୍ୟ ବଳରେ ଜୟୀ ହୋଇ ପାରିବ ନାହିଁ।
10 ଯେଉଁମାନେ ସଦାପ୍ରଭୁଙ୍କ ସହିତ ବିବାଦ କରନ୍ତି, ସେମାନେ ଭଗ୍ନ ହେବେ;
ସେ ସ୍ୱର୍ଗରେ ଥାଇ ସେମାନଙ୍କ ବିରୁଦ୍ଧରେ ଗର୍ଜ୍ଜନ କରିବେ;
ସଦାପ୍ରଭୁ ପୃଥିବୀର ପ୍ରାନ୍ତଭାଗ ପର୍ଯ୍ୟନ୍ତ ଶାସନ କରିବେ
ଓ ସେ ଆପଣା ରାଜାକୁ ବଳ ଦେବେ,
ପୁଣି, ଆପଣା ଅଭିଷେକୀଙ୍କ ଶୃଙ୍ଗ ଉନ୍ନତ କରିବେ।"