ପାଉଲଙ୍କ ସ୍ୱର୍ଗୀୟ ଦର୍ଶନ ଏବଂ କଣ୍ଟକ
1 ଯଦ୍ୟପି ଦର୍ପ କରିବା ହିତକର ନୁହେଁ, ତଥାପି ମୋତେ ଦର୍ପ କରିବାକୁ ପଡ଼ୁଅଛି; ମୁଁ ପ୍ରଭୁଙ୍କ ଦର୍ଶନ ଓ ପ୍ରକାଶିତ ବିଷୟ କହିବି। 2 ମୁଁ ଖ୍ରୀଷ୍ଟାଶ୍ରିତ ଜଣେ ଲୋକକୁ ଜାଣେ, ସେ ଚଉଦ ବର୍ଷ ପୂର୍ବେ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ନୀତ ହେଲା, (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ବର ଜାଣନ୍ତି)। 3 ହଁ, ମୁଁ ଏହିପରି ଜଣେ ଲୋକକୁ ଜାଣେ, ସେ ପାରଦୀଶକୁ ନୀତ ହେଲା (ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ; ଈଶ୍ବର ଜାଣନ୍ତି)। 4 ଆଉ ଯାହା ମନୁଷ୍ୟ ପକ୍ଷରେ କହିବା ବିଧେୟ ନୁହେଁ, ଏପରି ଅକଥନୀୟ ବାକ୍ୟ ଶ୍ରବଣ କଲା। 5 ଏହିପରି ଜଣକ ବିଷୟରେ ମୁଁ ଦର୍ପ କରିବି, କିନ୍ତୁ ମୋʼ ନିଜ ବିଷୟରେ ମୋହର ଦୁର୍ବଳତା ବିନା ଆଉ କାହିଁରେ ଦର୍ପ କରିବି ନାହିଁ। 6 ଆଉ ଦର୍ପ କରିବାକୁ ଇଚ୍ଛା କଲେ ହେଁ ମୁଁ ନିର୍ବୋଧ ହେବି ନାହିଁ, ଯେଣୁ ମୁଁ ସତ୍ୟ କହିବି କିନ୍ତୁ କାଳେ କୌଣସି ଲୋକ ମୋତେ ଯେପ୍ରକାର ଦେଖେ କିମ୍ବା ମୋʼଠାରୁ ଯେପ୍ରକାର ଶୁଣେ, ମୋʼ ପ୍ରତି ପ୍ରକାଶିତ ବିଷୟରେ ଅତ୍ୟଧିକ ଶ୍ରେଷ୍ଠତା ହେତୁ ଯେପରି ମୋʼ ବିଷୟରେ ଅଧିକ ବୋଧ ନ କରେ, ଏଥିପାଇଁ ମୁଁ କ୍ଷାନ୍ତ ହୋଇଥାଏ। 7 ଏଣୁ ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ, ଏଥିନିମନ୍ତେ ମୋହର ଶରୀରରେ ଗୋଟିଏ କଣ୍ଟକ ଦିଆଗଲା, ମୋତେ ପ୍ରହାର କରିବା ପାଇଁ ଶୟତାନର ଦୂତକୁ ପଠାଗଲା, ଯେପରି ମୁଁ ଅତିଶୟ ଗର୍ବୀ ନ ହୁଏ। 8 ଯେପରି ତାହା ମୋʼଠାରୁ ଦୂର ହୁଏ, ଏଥିପାଇଁ ମୁଁ ପ୍ରଭୁଙ୍କୁ ସେ ବିଷୟରେ ତିନି ଥର ବିନତି କଲି। 9 ଆଉ, ସେ ମୋତେ କହିଅଛନ୍ତି, "ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ।" ଅତଏବ, ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଂ ମୋହର ଦୁର୍ବଳତାରେ ଦର୍ପ କରିବି। 10 ତେଣୁ ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତାରେ, ଅପମାନରେ, ଦୁର୍ଦ୍ଦଶାରେ, ତାଡ଼ନାରେ, ସଙ୍କଟରେ ମୁଁ ସନ୍ତୁଷ୍ଟ ହୁଏ; କାରଣ ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ବଳବାନ।