11 ଅତଏବ, ପ୍ରଭୁ ବିଷୟକ ଭୟ ଜ୍ଞାତ ହେବାରୁ ଆମ୍ଭେମାନେ ମନୁଷ୍ୟମାନଙ୍କୁ ମଣାଉଅଛୁ, କିନ୍ତୁ ଆମ୍ଭେମାନେ ଈଶ୍ବରଙ୍କ ଛାମୁରେ ପ୍ରକାଶିତ ଅଟୁ ଏବଂ ତୁମ୍ଭମାନଙ୍କ ବିବେକ ନିକଟରେ ମଧ୍ୟ ଯେ ପ୍ରକାଶିତ ଅଟୁ, ଏହା ମୁଁ ଆଶା କରେ। 12 ଆମ୍ଭେମାନେ ପୁନର୍ବାର ତୁମ୍ଭମାନଙ୍କ ନିକଟରେ ଆତ୍ମପ୍ରଶଂସା କରୁ ନାହୁଁ, କିନ୍ତୁ ଯେଉଁମାନେ ଆନ୍ତରିକ ବିଷୟରେ ଦର୍ପ ନ କରି ବାହ୍ୟ ବିଷୟରେ ଦର୍ପ କରନ୍ତି, ସେମାନଙ୍କୁ ଯେପରି ଉତ୍ତର ଦେଇପାରୁ, ଏଥିନିମନ୍ତେ ଆମ୍ଭମାନଙ୍କ ସପକ୍ଷରେ ଦର୍ପ କରିବା ନିମନ୍ତେ ତୁମ୍ଭମାନଙ୍କୁ ସୁଯୋଗ ଦେଉଅଛୁ। 13 ଯେଣୁ ଯଦି ଆମ୍ଭେମାନେ ନିର୍ବୋଧ, ତାହା ଈଶ୍ବରଙ୍କ ନିମନ୍ତେ; କିଅବା ଯଦି ସୁବୋଧ, ତାହା ତୁମ୍ଭମାନଙ୍କ ନିମନ୍ତେ। 14 କାରଣ ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବଶରେ ରଖି ଚଳାଉଅଛି, ଯେଣୁ ଆମ୍ଭେମାନେ ଏହି ବିଚାର କରିଅଛୁ ଯେ, ଜଣେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କରିଥିବାରୁ ସମସ୍ତେ ମୃତ ହେଲେ; 15 ଆଉ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଯେଉଁମାନେ ଜୀବିତ, ସେମାନେ ଆଉ ଆପଣା ଆପଣା ନିମନ୍ତେ ଜୀବନଯାପନ ନ କରି ବରଂ ଯେ ସେମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଓ ଉତ୍ଥିତ ହେଲେ, ତାହାଙ୍କ ନିମନ୍ତେ ଜୀବନଯାପନ କରନ୍ତି।
16 ଅତଏବ ଆଜିଠାରୁ ଆମ୍ଭେମାନେ ଶରୀର ଅନୁସାରେ କାହାରିକୁ ଜାଣୁ ନାହୁଁ; ଯଦ୍ୟପି ଖ୍ରୀଷ୍ଟଙ୍କୁ ଶରୀର ଅନୁସାରେ ଆମ୍ଭେମାନେ ଜାଣିଅଛୁ, ତଥାପି ଏବେ ଆଉ ତାହାଙ୍କୁ ସେହି ପ୍ରକାରେ ଜାଣୁ ନାହୁଁ। 17 ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି ପୁରାତନ ବିଷୟସବୁ ଲୋପ ପାଇଅଛି, ଦେଖ, ନୂତନ ବିଷୟସବୁ ହୋଇଅଛି। 18 କିନ୍ତୁ ସମସ୍ତ ବିଷୟ ଈଶ୍ବରଙ୍କଠାରୁ ହୋଇଅଛି; ସେ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ସହିତ ଆମ୍ଭମାନଙ୍କୁ ସମ୍ମିଳିତ କରିଅଛନ୍ତି ଓ ସେହି ସମ୍ମିଳନର ସେବକପଦ ଆମ୍ଭମାନଙ୍କୁ ଦେଇଅଛନ୍ତି; 19 ସେହି ସମ୍ମିଳନର ବାକ୍ୟ ଏହି, ଈଶ୍ବର ଖ୍ରୀଷ୍ଟଙ୍କଠାରେ ଜଗତକୁ ଆପଣା ସହିତ ସମ୍ମିଳିତ କରୁଥିଲେ; ସେ ଜଗତବାସୀଙ୍କର ଅପରାଧ ଗଣନା ନ କରି ସେହି ସମ୍ମିଳନର ବାକ୍ୟ ଆମ୍ଭମାନଙ୍କ ନିକଟରେ ସମର୍ପଣ କରିଅଛନ୍ତି। 20 ଅତଏବ, ଈଶ୍ବର ଆମ୍ଭମାନଙ୍କ ଦ୍ୱାରା ଆହ୍ୱାନ କରୁଥିବାରୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ପକ୍ଷରେ ରାଜଦୂତର କର୍ମ କରୁଅଛୁ; ଖ୍ରୀଷ୍ଟଙ୍କ ପକ୍ଷରୁ ଆମ୍ଭେମାନେ ନିବେଦନ କରୁଅଛୁ, ତୁମ୍ଭେମାନେ ଈଶ୍ବରଙ୍କ ସହିତ ସମ୍ମିଳିତ ହୁଅ। 21 ଯାହାଙ୍କଠାରେ ପାପର ଲେଶମାତ୍ର ନ ଥିଲା, ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଈଶ୍ବରଙ୍କର ଧାର୍ମିକତାସ୍ୱରୂପ ହେଉ।