ଭଣ୍ଡ ଭାବବାଦୀ ଏବଂ ଭଣ୍ଡ ଶିକ୍ଷକ
1 କିନ୍ତୁ ଲୋକମାନଙ୍କ ମଧ୍ୟରେ ଭଣ୍ଡ ଭାବବାଦୀମାନେ ମଧ୍ୟ ଉତ୍ପନ୍ନ ହେଲେ; ସେହିପରି ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ଭଣ୍ଡ ଶିକ୍ଷକମାନେ ଉତ୍ପନ୍ନ ହେବେ; ସେମାନେ ବିନାଶଜନକ ଭ୍ରାନ୍ତ ମତ ଗୁପ୍ତରେ ପ୍ରଚଳନ କରି ସେମାନଙ୍କର କ୍ରୟକର୍ତ୍ତା ପ୍ରଭୁଙ୍କୁ ହିଁ ଅସ୍ୱୀକାର କରିବେ, ପୁଣି, ଆପଣାମାନଙ୍କର ଆକସ୍ମିକ ସର୍ବନାଶ ଘଟାଇବେ। 2 ଆଉ, ଅନେକେ ସେମାନଙ୍କ କାମୁକତାର ଅନୁଗାମୀ ହେବେ, ଫଳତଃ ଏମାନଙ୍କ ହେତୁ ସତ୍ୟ ମାର୍ଗ ନିନ୍ଦିତ ହେବ। 3 ସେମାନେ ଧନଲୋଭରେ ଛଳବାକ୍ୟ ଦ୍ୱାରା ତୁମ୍ଭମାନଙ୍କଠାରୁ ଅର୍ଥଲାଭ କରିବାକୁ ଚେଷ୍ଟା କରିବେ; ସେମାନଙ୍କର ଦଣ୍ଡ ଅନେକ କାଳରୁ ଘଟି ଆସୁଅଛି ଓ ସେମାନଙ୍କର ବିନାଶ ବିଳମ୍ବ ହେବ ନାହିଁ।