ଜଳରେ ଭାସମାନ ଲୁହା ଖଣ୍ଡ
1 ଏକ ସମୟରେ ଭବିଷ୍ୟଦ୍ବକ୍ତାଗଣଙ୍କ ଦଳ ଇଲୀଶାୟଙ୍କୁ କହିଲେ, "ଏବେ ଦେଖନ୍ତୁ, ଆମ୍ଭେମାନେ ଆପଣଙ୍କ ସମ୍ମୁଖରେ ଏହି ଯେଉଁ ସ୍ଥାନରେ ବାସ କରୁଅଛୁ, ତାହା ଆମ୍ଭମାନଙ୍କ ପାଇଁ ସଂକୀର୍ଣ୍ଣ। 2 ଆମ୍ଭେମାନେ ବିନୟ କରୁଅଛୁ, ଆମ୍ଭେମାନେ ଯର୍ଦ୍ଦନକୁ ଯାଇ ପ୍ରତି ଜଣ ସେଠାରୁ ଏକ ଏକ କଡ଼ିକାଠ ନେଇ ଆପଣାମାନଙ୍କ ବସତି ନିମନ୍ତେ ସେଠାରେ ଏକ ସ୍ଥାନ ନିର୍ମାଣ କରୁ।" ଏଥିରେ ଇଲୀଶାୟ ଉତ୍ତର ଦେଲେ, "ତୁମ୍ଭେମାନେ ଯାଅ।" 3 ତହୁଁ ଜଣେ କହିଲା, "ବିନୟ କରୁଅଛି, ଆପଣ ଅନୁଗ୍ରହ କରି ଆପଣା ଦାସମାନଙ୍କ ସଙ୍ଗରେ ଚାଲନ୍ତୁ।" ଏଥିରେ ଇଲୀଶାୟ ଉତ୍ତର ଦେଲେ, "ମୁଁ ଯିବି।" 4 ତହୁଁ ସେ ସେମାନଙ୍କ ସଙ୍ଗରେ ଗଲେ। ପୁଣି ସେମାନେ ଯର୍ଦ୍ଦନରେ ଉପସ୍ଥିତ ହୁଅନ୍ତେ, କାଠ କାଟିଲେ। 5 ମାତ୍ର ଜଣେ କଡ଼ିକାଠ କାଟୁ କାଟୁ କୁହ୍ରାଡ଼ି-ଲୁହା ଜଳରେ ପଡ଼ିଗଲା; ତହିଁରେ ସେ ଡକା ଛାଡ଼ି କହିଲା, "ହାୟ, ମୋʼ ପ୍ରଭୋ! ତାହା ତ ଉଧାରି-ବସ୍ତୁ।" 6 ଏଥିରେ ପରମେଶ୍ୱରଙ୍କ ଲୋକ କହିଲେ, "ତାହା କେଉଁ ସ୍ଥାନରେ ପଡ଼ିଲା?" ତହୁଁ ସେ ତାଙ୍କୁ ସେହି ସ୍ଥାନ ଦେଖାଇ ଦେଲା। ତହିଁରେ ଇଲୀଶାୟ ଖଣ୍ଡେ କାଠ କାଟି ସେଠାରେ ପକାଇ ଲୁହାକୁ ଭସାଇଲେ। 7 ଆଉ ଇଲୀଶାୟ କହିଲେ, "ତୁମ୍ଭେ ତାହା ଉଠାଇ ନିଅ।" ତହୁଁ ସେ ହାତ ବଢ଼ାଇ ତାହା ନେଲା।