ଅରାମର ସୈନ୍ୟବାହିନୀ ପରାଜିତ
8 ଥରେ ଅରାମର ରାଜା ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରୁଥିଲା, ମାତ୍ର ସେ ଯେତେବେଳେ ଆପଣା ଦାସମାନଙ୍କ ସହିତ ମନ୍ତ୍ରଣା କରି କହେ, "କେବଳ ଏହି ଏହି ସ୍ଥାନରେ ମୋହର ଛାଉଣି ହେବ," 9 ସେତେବେଳେ ପରମେଶ୍ୱରଙ୍କ ଲୋକ ଇସ୍ରାଏଲର ରାଜାଙ୍କ ନିକଟକୁ କହି ପଠାନ୍ତି, "ସାବଧାନ, ତୁମ୍ଭେ ସେହି ସ୍ଥାନ ଦେଇ ଯିବ ନାହିଁ; କାରଣ ଅରାମୀୟମାନେ ସେହି ସ୍ଥାନକୁ ଓହ୍ଲାଇ ଆସୁଅଛନ୍ତି।" 10 ତହିଁରେ ପରମେଶ୍ୱରଙ୍କ ଲୋକ ଯେଉଁ ସ୍ଥାନ ବିଷୟ ଜଣାଇ ସତର୍କ କରାଇଥାଆନ୍ତି, ଇସ୍ରାଏଲର ରାଜା ସେହି ସ୍ଥାନକୁ ଲୋକ ପଠାନ୍ତି; ଏହିରୂପେ ସେ ଥରେ କି ଦୁଇ ଥର ନୁହେଁ, ବାରମ୍ବାର ସେସ୍ଥାନରେ ଆପଣାକୁ ରକ୍ଷା କଲେ।
11 ପୁଣି ଏଥିସକାଶୁ ଅରାମୀୟ ରାଜାର ହୃଦୟ ଅତି ବ୍ୟସ୍ତ ହେଲା; ଏଣୁ ସେ ଆପଣା ଦାସମାନଙ୍କୁ ଡାକି ସେମାନଙ୍କୁ କହିଲା, "ଆମ୍ଭମାନଙ୍କ ମଧ୍ୟରୁ କିଏ ଇସ୍ରାଏଲ ରାଜାର ସପକ୍ଷ, ଏହା କʼଣ ତୁମ୍ଭେମାନେ ମୋତେ ଜଣାଇବ ନାହିଁ।" 12 ଏଥିରେ ତାହାର ଦାସମାନଙ୍କ ମଧ୍ୟରୁ ଜଣେ କହିଲା, "ନା, ହେ ମୋʼ ପ୍ରଭୋ, ମହାରାଜ, ମାତ୍ର ଆପଣ ନିଜ ଶୟନ ଗୃହରେ ଯାହା ଯାହା କହନ୍ତି, ସେସବୁ କଥା ଇସ୍ରାଏଲର ମଧ୍ୟବର୍ତ୍ତୀ ଇଲୀଶାୟ ଭବିଷ୍ୟଦ୍ବକ୍ତା ଇସ୍ରାଏଲର ରାଜାକୁ ଜଣାଏ।" 13 ତହୁଁ ଅରାମୀୟ ରାଜା କହିଲା, "ଯାଇ ଦେଖ, ଇଲୀଶାୟ କେଉଁଠାରେ ଅଛି, ତହିଁରେ ମୁଁ ଲୋକ ପଠାଇ ତାହାକୁ ଆଣିବି।" ଏଥିଉତ୍ତାରେ ତାହାକୁ ସମ୍ବାଦ ଦିଆଗଲା ଯେ, "ଦେଖନ୍ତୁ, ସେ ଦୋଥନରେ ଅଛି।" 14 ଏହେତୁ ସେ ସେସ୍ଥାନକୁ ଅଶ୍ୱଗଣ ଓ ରଥ ଓ ମହାସୈନ୍ୟଦଳ ପଠାଇଲା; ପୁଣି ସେମାନେ ରାତ୍ରିରେ ଆସି ନଗରର ଚତୁର୍ଦ୍ଦିଗ ବେଷ୍ଟନ କଲେ।
15 ଏଥିରେ ପରମେଶ୍ୱରଙ୍କ ଲୋକଙ୍କ ସେବକ ପ୍ରଭାତରେ ଉଠି ବାହାରକୁ ଯାଆନ୍ତେ, ଦେଖ, ଏକ ସୈନ୍ୟଦଳ ଅଶ୍ୱ ଓ ରଥ ସହିତ ନଗରର ଚତୁର୍ଦ୍ଦିଗ ବେଷ୍ଟନ କରିଅଛନ୍ତି। ତହୁଁ ତାଙ୍କର ଦାସ ତାଙ୍କୁ କହିଲା, "ହାୟ, ମୋହର ପ୍ରଭୋ! ଆମ୍ଭେମାନେ କଅଣ କରିବା?" 16 ତହିଁରେ ସେ ଉତ୍ତର କଲେ, "ଭୟ କର ନାହିଁ; କାରଣ ସେମାନଙ୍କ ସଙ୍ଗୀଗଣ ଅପେକ୍ଷା ଆମ୍ଭମାନଙ୍କ ସଙ୍ଗୀଗଣ ଅଧିକ।" 17 ପୁଣି ଇଲୀଶାୟ ପ୍ରାର୍ଥନା କରି କହିଲେ, "ହେ ସଦାପ୍ରଭୋ, ମୁଁ ବିନୟ କରୁଅଛି, ସେ ଯେପରି ଦେଖି ପାରିବ, ଏଥିପାଇଁ ତାହାର ଚକ୍ଷୁ ମୁକ୍ତ କର।" ପୁଣି ସଦାପ୍ରଭୁ ସେହି ଯୁବା ଲୋକର ଚକ୍ଷୁ ମୁକ୍ତ କଲେ; ଆଉ ସେ ଦେଖିଲା; ପୁଣି ଦେଖ, ପର୍ବତ ଇଲୀଶାୟଙ୍କ ଚତୁର୍ଦ୍ଦିଗରେ ଅଗ୍ନିମୟ ଅଶ୍ୱ ଓ ରଥରେ ପରିପୂର୍ଣ୍ଣ ଥିଲା। 18 ଏଥିଉତ୍ତାରେ ସୈନ୍ୟମାନେ ଇଲୀଶାୟଙ୍କ ନିକଟକୁ ଓହ୍ଲାଇ ଆସନ୍ତେ, ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, "ମୁଁ ବିନୟ କରୁଅଛି, ଏହି ଲୋକମାନଙ୍କୁ ଅନ୍ଧତାରେ ଆଘାତ କର।" ଏଥିରେ ସଦାପ୍ରଭୁ ଇଲୀଶାୟଙ୍କର ବାକ୍ୟାନୁସାରେ ସେମାନଙ୍କୁ ଅନ୍ଧତାରେ ଆଘାତ କଲେ।