କରିନ୍ଥରେ ପାଉଲଙ୍କ କାର୍ଯ୍ୟ
1 ଏହି ସମସ୍ତ ଘଟଣା ପରେ ପାଉଲ ଆଥିନୀ ସହରରୁ ପ୍ରସ୍ଥାନ କରି କରିନ୍ଥ ସହରକୁ ଆସିଲେ। 2 ଆଉ, ସେ ଆକ୍ୱିଲା ନାମକ ଜଣେ ଯିହୁଦୀଙ୍କ ଦେଖାପାଇଲେ, ପନ୍ତ ସହରରେ ତାହାଙ୍କ ଜନ୍ମସ୍ଥାନ; ସେ ଅଳ୍ପ ଦିନ ହେଲା ଆପଣା ସ୍ତ୍ରୀ ପ୍ରୀସ୍କିଲ୍ଲା ସହିତ ଇତାଲିଆରୁ ଆସିଥିଲେ, କାରଣ କ୍ଲାଉଦିଅ ସମସ୍ତ ଯିହୁଦୀଙ୍କୁ ରୋମରୁ ବାହାରିଯିବାକୁ ଆଜ୍ଞା ଦେଇଥିଲେ। ସେ ସେମାନଙ୍କ ସହିତ ସାକ୍ଷାତ କରିବାକୁ ଗଲେ, 3 ପୁଣି, ସମବ୍ୟବସାୟୀ ଥିବାରୁ ସେମାନଙ୍କ ସହିତ ବାସ କଲେ, ଆଉ ସେମାନେ କର୍ମ କରିବାକୁ ଲାଗିଲେ, କାରଣ ବ୍ୟବସାୟରେ ସେମାନେ ତମ୍ୱୁ ନିର୍ମାଣକାରୀ ଥିଲେ। 4 ପୁଣି, ପ୍ରତି ବିଶ୍ରାମବାର ଦିନରେ ସେ ସମାଜଗୃହରେ ଉପଦେଶ ଦେଇ ଯିହୁଦୀ ଓ ଗ୍ରୀକ୍ମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ। 5 ଯେତେବେଳେ ଶୀଲା ଓ ତୀମଥି ମାକିଦନିଆରୁ ଆସିଲେ, ସେତେବେଳେ ପାଉଲ ବାକ୍ୟ ପ୍ରଚାରରେ ନିତାନ୍ତ ନିବିଷ୍ଟ ଥାଇ, ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯିହୁଦୀମାନଙ୍କ ନିକଟରେ ସାକ୍ଷ୍ୟ ଦେଉଥିଲେ। 6 କିନ୍ତୁ ସେମାନେ ପ୍ରତିରୋଧ ଓ ନିନ୍ଦା କରିବାରୁ ସେ ଆପଣା ବସ୍ତ୍ର ଝାଡ଼ି ସେମାନଙ୍କୁ କହିଲେ, ଆପଣମାନଙ୍କ ରକ୍ତ ଆପଣମାନଙ୍କ ମସ୍ତକ ଉପରେ ବର୍ତ୍ତୁ; ମୁଁ ନିର୍ଦ୍ଦୋଷ; ଏଣିକି ମୁଁ ଅଣଯିହୁଦୀମାନଙ୍କ ନିକଟକୁ ଯିବି। 7 ସେଥିରେ ସେ ସେ ସ୍ଥାନରୁ ପ୍ରସ୍ଥାନ କରି ତିତସ୍ ଯୂସ୍ତ ନାମକ ଜଣେ ଈଶ୍ବରଭକ୍ତଙ୍କ ଗୃହକୁ ଗଲେ, ତାହା ସମାଜଗୃହକୁ ଲାଗିଥିଲା। 8 କିନ୍ତୁ ସମାଜଗୃହର ଅଧ୍ୟକ୍ଷ କ୍ରୀଷ୍ପ ଏବଂ ସପରିବାର ପ୍ରଭୁଙ୍କଠାରେ ବିଶ୍ୱାସ କଲେ, ଆଉ କରିନ୍ଥୀୟମାନଙ୍କ ମଧ୍ୟରୁ ଅନେକ ଶୁଣି ବିଶ୍ୱାସ କରିବାକୁ ଲାଗିଲେ ଓ ବାପ୍ତିଜିତ ହେଲେ। 9 ପୁଣି, ପ୍ରଭୁ ରାତ୍ରିରେ ଦର୍ଶନ ଦ୍ୱାରା ପାଉଲଙ୍କୁ କହିଲେ, "ଭୟ କର ନାହିଁ, ନୀରବ ନ ରହି କଥା କୁହ, 10 କାରଣ ଆମ୍ଭେ ତୁମ୍ଭ ସାଙ୍ଗରେ ଅଛୁ, କୌଣସି ଲୋକ ତୁମ୍ଭର କ୍ଷତି କରିବାକୁ ତୁମ୍ଭକୁ ଆକ୍ରମଣ କରିବ ନାହିଁ, ଯେଣୁ ଆମ୍ଭର ଅନେକ ଲୋକ ଏହି ନଗରରେ ଅଛନ୍ତି।" 11 ପୁଣି, ସେ ସେମାନଙ୍କ ନିକଟରେ ଈଶ୍ବରଙ୍କ ବାକ୍ୟ ଶିକ୍ଷା ଦେଇ ଦେଢ଼ବର୍ଷ ସେଠାରେ ବାସ କଲେ।