Pular para o conteúdo
Publicidade

ଦାନିୟେଲ 4:28-37

ନବୂଖଦ୍‍ନିତ୍ସର ପ୍ରତି ବିଚାର

28 ରାଜା ନବୂଖଦ୍‍ନିତ୍ସର ପ୍ରତି ଏହିସବୁ ଘଟିଲା। 29 ବାର ମାସର ଶେଷରେ ସେ ବାବିଲର ରାଜପ୍ରାସାଦରେ ବୁଲୁଥିଲା। 30 "ରାଜା ଏହି କଥା କହିଲା, ମୁଁ ଆପଣା ବଳର ପ୍ରଭାବରେ ଓ ଆପଣା ପ୍ରତାପର ମହିମା ନିମନ୍ତେ ରାଜଧାନୀ କରିବା ପାଇଁ ଯାହା ନିର୍ମାଣ କରିଅଛି, ଏହି କି ସେହି ମହତୀ ବାବିଲ ନୁହେଁ?" 31 ରାଜାର ମୁଖରେ ଏହି କଥା ଥାଉ ଥାଉ ଏହି ସ୍ୱର୍ଗୀୟ ବାଣୀ ହେଲା, "ହେ ରାଜନ୍‍ ନବୂଖଦ୍‍ନିତ୍ସର, ତୁମ୍ଭକୁ ଏହି କଥା କୁହାଯାଉଅଛି, ତୁମ୍ଭଠାରୁ ରାଜ୍ୟ ଗଲା। 32 ପୁଣି, ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହେବ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସଙ୍ଗରେ ତୁମ୍ଭର ବସତି ହେବ; ବଳଦ ନ୍ୟାୟ ତୁମ୍ଭକୁ ତୃଣଭୋଜୀ କରାଯିବ, ଏହିରୂପେ ତୁମ୍ଭ ଉପରେ ସାତ କାଳ ବହିଯିବ; ଶେଷରେ ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।" 33 ସେହି ଦଣ୍ଡରେ ନବୂଖଦ୍‍ନିତ୍ସର ପ୍ରତି ସେହି କଥା ସଫଳ ହେଲା; ଆଉ, ସେ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହୋଇ ବଳଦ ନ୍ୟାୟ ତୃଣ ଭୋଜନ କଲା, ଆଉ ତାହାର ଶରୀର ଆକାଶର କାକରରେ ତିନ୍ତିଲା, ଶେଷରେ ତାହାର କେଶ ଉତ୍କ୍ରୋଶ ପକ୍ଷୀର ପର ତୁଲ୍ୟ ଓ ତାହାର ନଖ ପକ୍ଷୀର ନଖ ତୁଲ୍ୟ ବଢ଼ିଲା।

ନବୂଖଦ୍‍ନିତ୍ସରଙ୍କ ପରମେଶ୍ୱର ବନ୍ଦନା

34 ଏଥିଉତ୍ତାରେ ସେହି ସମୟର ଶେଷରେ ମୁଁ ନବୂଖଦ୍‍ନିତ୍ସର ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କଲି, ତହିଁରେ ମୋର ବୁଦ୍ଧି ମୋʼ କତିକି ଫେରି ଆସିଲା, ତହୁଁ ମୁଁ ସର୍ବୋପରିସ୍ଥଙ୍କର ଧନ୍ୟବାଦ କଲି ଓ ଯେ ଅନନ୍ତଜୀବୀ, ତାହାଙ୍କର ପ୍ରଶଂସା ଓ ସମାଦର କଲି; କାରଣ ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ ଓ ତାହାଙ୍କର ରାଜ୍ୟ ପୁରୁଷାନୁକ୍ରମେ ଥାଏ। 35 ପୁଣି, ପୃଥିବୀନିବାସୀ ସମସ୍ତେ ଅବସ୍ତୁ ତୁଲ୍ୟ ଗଣିତ; ଆଉ ସେ ସ୍ୱର୍ଗୀୟ ସୈନ୍ୟଗଣ ମଧ୍ୟରେ ଓ ପୃଥିବୀର ନିବାସୀଗଣର ମଧ୍ୟରେ ଆପଣା ଇଚ୍ଛାନୁସାରେ କାର୍ଯ୍ୟ କରନ୍ତି; ଆଉ, କେହି ତାହାଙ୍କର ହସ୍ତ ସ୍ଥଗିତ କରି ନ ପାରେ ଓ "ତୁମ୍ଭେ କʼଣ କରୁଅଛ" ଏହା ତାହାଙ୍କୁ କହି ନ ପାରେ।

36 ସେହି ସମୟରେ ମୋʼ ବୁଦ୍ଧି ମୋʼ କତିକି ଫେରି ଆସିଲା ଓ ମୋʼ ରାଜ୍ୟର ଗୌରବ ନିମନ୍ତେ ମୋର ପ୍ରତାପ ଓ ତେଜ ମୋʼ କତିକି ଫେରି ଆସିଲା; ତହିଁରେ ମୋର ମନ୍ତ୍ରୀ ଓ ଅମାତ୍ୟଗଣ ମୋର ଅନ୍ୱେଷଣ କଲେ; ପୁଣି, ମୁଁ ଆପଣା ରାଜ୍ୟରେ ସ୍ଥାପିତ ହେଲି ଓ ମୋର ମହିମା ଅତିଶୟ ବୃଦ୍ଧି ପାଇଲା। 37 ଏଣୁ ମୁଁ ନବୂଖଦ୍‍ନିତ୍ସର ସେହି ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି; କାରଣ ତାହାଙ୍କର ସକଳ କ୍ରିୟା ସତ୍ୟ ଓ ତାହାଙ୍କର ପଥସକଳ ନ୍ୟାଯ୍ୟ; ପୁଣି, ଯେଉଁମାନେ ଗର୍ବାଚରଣ କରନ୍ତି, ସେମାନଙ୍କୁ ନତ କରିବାକୁ ତାହାଙ୍କର କ୍ଷମତା ଅଛି।

Estes versículos te tocaram? Ore agora!

+581 estão orando agora.

Junte-se à corrente de oração.