ଖ୍ରୀଷ୍ଟଙ୍କଠାରେ ସ୍ୱାଧୀନତା
1 ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି; ଅତଏବ ସ୍ଥିର ହୋଇ ରୁହ ଏବଂ ଦାସତ୍ୱ ଜୁଆଳିରେ ଆଉ ଥରେ ଯୋଚା ନ ଯାଅ। 2 ଦେଖ, ମୁଁ ପାଉଲ ତୁମ୍ଭମାନଙ୍କୁ କହୁଅଛି, ଯଦି ତୁମ୍ଭମାନଙ୍କର ସୁନ୍ନତ ହୁଏ, ତେବେ ଖ୍ରୀଷ୍ଟଙ୍କ ଦ୍ୱାରା ତୁମ୍ଭମାନଙ୍କର କୌଣସି ଲାଭ ହେବ ନାହିଁ। 3 ମୁଁ ସୁନ୍ନତ ପ୍ରାପ୍ତ ହେଉଥିବା ପ୍ରତ୍ୟେକ ଜଣକୁ ପୁନର୍ବାର ସାକ୍ଷ୍ୟ ଦେଉଅଛି ଯେ, ସେ ସମସ୍ତ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ନିମନ୍ତେ ଦାୟୀ। 4 ତୁମ୍ଭେମାନେ ଯେତେ ଲୋକ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଧାର୍ମିକ ଗଣିତ ହେବାକୁ ଚାହୁଁଅଛ, ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ ହୋଇଅଛ, ତୁମ୍ଭେମାନେ ଅନୁଗ୍ରହରୁ ପତିତ ହୋଇଅଛ। 5 କାରଣ ଆମ୍ଭେମାନେ ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ବିଶ୍ୱାସ ହେତୁ ଧାର୍ମିକତା ପ୍ରାପ୍ତିର ଆଶାରେ ଅପେକ୍ଷା କରୁଅଛୁ। 6 ଯେଣୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁନ୍ନତ କି ଅସୁନ୍ନତ କିଛି ନୁହେଁ, କିନ୍ତୁ ପ୍ରେମରେ କାର୍ଯ୍ୟସାଧକ ବିଶ୍ୱାସ ହିଁ ସାର।