ଶିଷ୍ୟମାନଙ୍କ ପାଦ ପ୍ରକ୍ଷାଳନ
1 ନିସ୍ତାର ପର୍ବ ହେବା ପୂର୍ବରୁ ଯୀଶୁ ଏହି ଜଗତରୁ ପିତାଙ୍କ ନିକଟକୁ ଆପଣାର ପ୍ରୟାଣ କରିବାର ସମୟ ଉପସ୍ଥିତ ଜାଣି, ଜଗତରେ ଥିବା ନିଜର ଯେଉଁ ଲୋକମାନଙ୍କୁ ସେ ପ୍ରେମ କରି ଆସୁଥିଲେ, ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ପ୍ରକାଶ କଲେ। 2 ଆଉ, ରାତ୍ରିଭୋଜ ସମୟରେ, ଯେତେବେଳେ ଶୟତାନ ଶିମୋନର ପୁତ୍ର ଇଷ୍କାରିୟୋତୀୟ ଯିହୂଦାର ହୃଦୟରେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ସଂକଳ୍ପ ଜାତ କରିସାରିଥିଲା, 3 ସେତେବେଳେ, ପିତା ଯେ ତାହାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରିଅଛନ୍ତି ଓ ସେ ଯେ ଈଶ୍ବରଙ୍କ ନିକଟରୁ ଆସିଅଛନ୍ତି, ପୁଣି, ଈଶ୍ବରଙ୍କ ନିକଟକୁ ଯାଉଅଛନ୍ତି, 4 ଏହା ଜାଣି ସେ ଭୋଜନ ଆସନରୁ ଉଠି ଆପଣାର ବାହ୍ୟ ବସ୍ତ୍ର କାଢ଼ି ଦେଇ ଗୋଟିଏ ଗାମୁଛା ଘେନି ଆପଣାର କଟି ବନ୍ଧନ କଲେ। 5 ତତ୍ପରେ ସେ ପାତ୍ରରେ ଜଳ ଢାଳିଲେ, ପୁଣି, ଶିଷ୍ୟମାନଙ୍କ ପାଦ ଧୋଇଦେଇ ଆପଣା କଟିରେ ବନ୍ଧା ହୋଇଥିବା ଗାମୁଛାରେ ପୋଛିବାକୁ ଲାଗିଲେ। 6 କ୍ରମେ ସେ ଶିମୋନ ପିତରଙ୍କ ନିକଟକୁ ଆସିଲେ; ସେ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ମୋହର ପାଦ ଧୋଇ ଦେଉଅଛନ୍ତି? 7 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, "ମୁଁ ଯାହା କରୁଅଛି, ତାହା ତୁମ୍ଭେ ଏବେ ଜାଣୁ ନାହଁ, କିନ୍ତୁ ପରେ ବୁଝିବ।" 8 ପିତର ତାହାଙ୍କୁ କହିଲେ, ଆପଣ କଦାପି ମୋହର ପାଦ ଧୋଇଦେବେ ନାହିଁ। ଯୀଶୁ ତାହାଙ୍କୁ ଉତ୍ତର ଦେଲେ, "ଯଦି ମୁଁ ତୁମ୍ଭକୁ ଧୌତ ନ କରେ, ତାହାହେଲେ ମୋʼ ସହିତ ତୁମ୍ଭର କୌଣସି ଅଂଶ ନାହିଁ।" 9 ଶିମୋନ ପିତର ତାହାଙ୍କୁ କହିଲେ, ପ୍ରଭୁ, କେବଳ ମୋହର ପାଦ ନୁହେଁ, ମାତ୍ର ମୋହର ହସ୍ତ ଓ ମସ୍ତକ ମଧ୍ୟ। 10 ଯୀଶୁ ତାହାଙ୍କୁ କହିଲେ, "ଯେ ସ୍ନାନ କରିଅଛି, ତାହାର ପାଦ ଧୋଇବା ବିନା ଆଉ କିଛି ପ୍ରୟୋଜନ ନାହିଁ, ସେ ପ୍ରକୃତରେ ଶୁଚି; ତୁମ୍ଭେମାନେ ଶୁଚି ଅଟ, କିନ୍ତୁ ସମସ୍ତେ ନୁହଁ।" 11 କାରଣ ଯେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ସେ ତାହାକୁ ଜାଣିଥିଲେ; ଅତଏବ ସେ କହିଲେ, ତୁମ୍ଭେମାନେ ସମସ୍ତେ ଶୁଚି ନୁହଁ। 12 ତତ୍ପରେ ସେ ସେମାନଙ୍କର ପାଦ ଧୋଇଦେଇ ଆପଣା ବସ୍ତ୍ର ପିନ୍ଧି ପୁନର୍ବାର ବସିଲା ଉତ୍ତାରେ ସେମାନଙ୍କୁ ପଚାରିଲେ, "ମୁଁ ତୁମ୍ଭମାନଙ୍କ ପ୍ରତି କଅଣ କରିଅଛି, ତାହା କି ତୁମ୍ଭେମାନେ ବୁଝୁଅଛ? 13 ତୁମ୍ଭେମାନେ ମୋତେ ଗୁରୁ ଓ ପ୍ରଭୁ ବୋଲି ଡାକୁଅଛ, ଆଉ ଯଥାର୍ଥ କହୁଅଛ; କାରଣ ମୁଁ ତ ସେହି। 14 ଅତଏବ, ପ୍ରଭୁ ଓ ଗୁରୁ ଯେ ମୁଁ, ମୁଁ ଯଦି ତୁମ୍ଭମାନଙ୍କର ପାଦ ଧୋଇ ଦେଇଅଛି, ତେବେ ତୁମ୍ଭମାନଙ୍କର ମଧ୍ୟ ପରସ୍ପରର ପାଦ ଧୋଇବା କର୍ତ୍ତବ୍ୟ। 15 କାରଣ ତୁମ୍ଭମାନଙ୍କ ପ୍ରତି ମୁଁ ଯେପରି କରିଅଛି, ତୁମ୍ଭେମାନେ ମଧ୍ୟ ଯେ ସେପରି କର, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି। 16 ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ, କିମ୍ବା ପ୍ରେରିତ ଆପଣା ପ୍ରେରକଠାରୁ ଶ୍ରେଷ୍ଠ ନୁହେଁ। 17 ଯଦି ତୁମ୍ଭେମାନେ ଏହିସବୁ ଜାଣ, ତେବେ ସେହି ପ୍ରକାର କଲେ ତୁମ୍ଭେମାନେ ଧନ୍ୟ।