ଯୀଶୁ ପ୍ରକୃତ ଦ୍ରାକ୍ଷାଲତା
1 "ମୁଁ ପ୍ରକୃତ ଦ୍ରାକ୍ଷାଲତା, ପୁଣି, ମୋହର ପିତା କୃଷକ। 2 ମୋʼ ଠାରେ ଥିବା ଯେକୌଣସି ଶାଖା ଫଳ ନ ଫଳେ, ତାହା ସେ କାଟିପକାନ୍ତି; ଆଉ, ଯେକୌଣସି ଶାଖା ଫଳ ଫଳେ, ଅଧିକ ଫଳ ଫଳିବା ନିମନ୍ତେ ସେ ତାହା ପରିଷ୍କାର କରନ୍ତି। 3 ମୁଁ ତୁମ୍ଭମାନଙ୍କୁ ଯେଉଁ ବାକ୍ୟ କହିଅଛି, ସେଥିସକାଶେ ତୁମ୍ଭେମାନେ ପରିଷ୍କୃତ ହୋଇସାରିଅଛ। 4 ମୋʼ ଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କଠାରେ ରହିବି। ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋʼ ଠାରେ ନ ରହିଲେ ଫଳ ଫଳି ପାର ନାହିଁ। 5 ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା; ଯେ ମୋʼ ଠାରେ ରହେ ଓ ମୁଁ ଯାହାଠାରେ ରହେ, ସେ ପ୍ରଚୁର ଫଳ ଫଳେ; କାରଣ ମୋʼ ବିନା ତୁମ୍ଭେମାନେ କିଛି କରିପାର ନାହିଁ।