11 ସେତେବେଳେ ପ୍ରଭୁଙ୍କର ଜଣେ ଦୂତ ଧୂପବେଦିର ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇ ତାହାଙ୍କୁ ଦର୍ଶନ ଦେଲେ। 12 ଜିଖରୀୟ ତାହାଙ୍କୁ ଦେଖି ବିଚଳିତ ଓ ଭୟଗ୍ରସ୍ତ ହେଲେ। 13 କିନ୍ତୁ ଦୂତ ତାହାଙ୍କୁ କହିଲେ, ଜିଖରୀୟ, ଭୟ କର ନାହିଁ, କାରଣ ତୁମ୍ଭର ନିବେଦନ ଶୁଣାଯାଇଅଛି, ଆଉ ତୁମ୍ଭର ଭାର୍ଯ୍ୟା ଏଲୀଶାବେଥ ତୁମ୍ଭ ନିମନ୍ତେ ଗୋଟିଏ ପୁତ୍ର ପ୍ରସବ କରିବେ, ପୁଣି, ତୁମ୍ଭେ ତାହାର ନାମ ଯୋହନ ଦେବ।
14 ସେ ତୁମ୍ଭର ଆନନ୍ଦ ଓ ଉଲ୍ଲାସର କାରଣ ହେବ, ପୁଣି, ଅନେକେ ତାହାର ଜନ୍ମରେ ଆନନ୍ଦ କରିବେ। 15 ଯେଣୁ ସେ ପ୍ରଭୁଙ୍କ ଛାମୁରେ ମହାନ ହେବ; ସେ ଦ୍ରାକ୍ଷାରସ କି ମଦ୍ୟ କେବେ ହେଁ ପାନ କରିବ ନାହିଁ, ପୁଣି, ମାତାର ଉଦରରୁ ହିଁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବ,
16 ଆଉ ସେ, ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରୁ ଅନେକଙ୍କୁ ପ୍ରଭୁ ସେମାନଙ୍କ ଈଶ୍ବରଙ୍କ ପ୍ରତି ଫେରାଇବ। 17 ପିତାମାନଙ୍କ ହୃଦୟ ସନ୍ତାନମାନଙ୍କ ପ୍ରତି ଓ ଅବାଧ୍ୟମାନଙ୍କୁ ଧାର୍ମିକମାନଙ୍କ ଜ୍ଞାନରେ ଆଚରଣ କରିବା ନିମନ୍ତେ ଫେରାଇବାକୁ ଏବଂ ପ୍ରଭୁଙ୍କ ସକାଶେ ସୁସଜ୍ଜିତ ଗୋଟିଏ ପ୍ରଜାମଣ୍ଡଳୀ ପ୍ରସ୍ତୁତ କରିବାକୁ ସେ ଏଲୀୟଙ୍କ ଆତ୍ମା ଓ ଶକ୍ତିରେ ପ୍ରଭୁଙ୍କ ଆଗରେ ଗମନ କରିବ।