Pular para o conteúdo
Publicidade

ଲୂକ 12:13-34

ମୂର୍ଖ ଧନୀର ଦୃଷ୍ଟାନ୍ତ

13 ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ କହିଲା, ହେ ଗୁରୁ, ମୋʼର ଭାଇକୁ ମୋʼ ସହିତ ପୈତୃକ ସମ୍ପତ୍ତି ଭାଗ କରିଦେବା ନିମନ୍ତେ କହନ୍ତୁ। 14 କିନ୍ତୁ ସେ ତାହାଙ୍କୁ କହିଲେ, "ହେ ଭାଇ, କିଏ ମୋତେ ତୁମ୍ଭମାନଙ୍କ ଉପରେ ବିଚାରକର୍ତ୍ତା ଓ ମଧ୍ୟସ୍ଥ କରି ନିଯୁକ୍ତ କଲା?" 15 ପୁଣି, ସେ ସେମାନଙ୍କୁ କହିଲେ, "ସାବଧାନ, ସମସ୍ତ ପ୍ରକାର ଲୋଭରୁ ଆପଣା ଆପଣାକୁ ଦୂରରେ ରଖ, କାରଣ ଜଣେ ଲୋକର ଜୀବନ ତାହାର ଧନସମ୍ପତ୍ତି ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରେ ନାହିଁ।"

16 ଆଉ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ, "ଜଣେ ଧନୀ ଲୋକର କ୍ଷେତରେ ବହୁତ ଫସଲ ହେଲା। 17 ସେଥିରେ ସେ ମନେ ମନେ ଚିନ୍ତା କରି କହିଲେ, କଅଣ କରିବି? କାରଣ ମୋହର ଫସଲ ସଂଗ୍ରହ କରି ରଖିବା ନିମନ୍ତେ ସ୍ଥାନ ନାହିଁ। 18 ପୁଣି, ସେ କହିଲା, ଏହା କରିବି; ମୋହର ଅମାରସବୁ ଭାଙ୍ଗି ବଡ଼ ବଡ଼ କରି ତୋଳିବି ଓ ସେସବୁରେ ମୋହର ଶସ୍ୟ ଓ ଦ୍ରବ୍ୟ ସବୁ ସଂଗ୍ରହ କରି ରଖିବି, 19 ଆଉ ମୁଁ ମୋହର ପ୍ରାଣକୁ କହିବି, ରେ ପ୍ରାଣ, ଅନେକ ବର୍ଷ ନିମନ୍ତେ ତୋର ବହୁତ ଖାଦ୍ୟଶସ୍ୟ ସଞ୍ଚିତ ଅଛି, ବିଶ୍ରାମ କର୍, ଭୋଜନ କର୍, ଆମୋଦ କର୍;

20 କିନ୍ତୁ ଈଶ୍ବର ତାହାକୁ କହିଲେ, ରେ ନିର୍ବୋଧ, ଆଜି ରାତିରେ ତୋର ପ୍ରାଣ ତୋʼଠାରୁ ନିଆଯିବ; ସେଥିରେ ତୁ ଯାହା ଯାହା ସଞ୍ଚୟ କରିଅଛୁ, ସେହିସବୁ କାହାର ହେବ? 21 ଯେ ଆପଣା ନିମନ୍ତେ ଧନ ସଞ୍ଚୟ କରେ, କିନ୍ତୁ ଈଶ୍ବରଙ୍କ ବିଷୟରେ ଧନୀ ନୁହେଁ, ତାହା ପ୍ରତି ଏହିପରି ଘଟେ।"

ଚିନ୍ତିତ ନ ହୁଅ

(ମାଥିଉ 6:25-34)

22 ସେ ଆପଣା ଶିଷ୍ୟମାନଙ୍କୁ କହିଲେ, "ଏନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କଅଣ ଖାଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ, କିଅବା କଅଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ। 23 କାରଣ ଭକ୍ଷ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର ଶ୍ରେଷ୍ଠ।

24 କାଉମାନଙ୍କ ବିଷୟରେ ଭାବି ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, ପୁଣି, ସେମାନଙ୍କର ଅମାର ନାହିଁ, ଆଉ ଈଶ୍ବର ସେମାନଙ୍କୁ ଆହାର ଦିଅନ୍ତି; ତୁମ୍ଭେମାନେ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ଶ୍ରେଷ୍ଠ! 25 ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁ ହାତେ ବଢ଼ାଇପାରେ? 26 ଅତଏବ, ଯଦି ତୁମ୍ଭେମାନେ କ୍ଷୁଦ୍ର ବିଷୟ ସୁଦ୍ଧା କରିବାକୁ ସକ୍ଷମ ନୁହଁ, ତେବେ ଅନ୍ୟ ସମସ୍ତ ବିଷୟରେ କାହିଁକି ଚିନ୍ତା କରୁଅଛ?

27 କ୍ଷେତ୍ରର ପୁଷ୍ପଗୁଡ଼ିକ ବିଷୟରେ ଭାବି ଦେଖ, ସେଗୁଡ଼ିକ କିପରି ସୂତା କାଟନ୍ତି ନାହିଁ କି ବୁଣନ୍ତି ନାହିଁ; ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଐଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିଏ ପରି ବିଭୂଷିତ ନ ଥିଲେ। 28 କିନ୍ତୁ ଯେଉଁ ଘାସ ଆଜି କ୍ଷେତରେ ଅଛି, ଆଉ କାଲି ଚୁଲିରେ ପକାଯାଏ, ତାହାକୁ ଯେବେ ଈଶ୍ବର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କେତେ ଅଧିକ ରୂପେ ନ ଦେବେ!

29 ପୁଣି, କଅଣ ଖାଇବ ଓ କଅଣ ପିଇବ, ତାହା ତୁମ୍ଭେମାନେ ଖୋଜି ବୁଲ ନାହିଁ କିମ୍ବା ଚିନ୍ତିତ ହୁଅ ନାହିଁ, 30 କାରଣ ଜଗତର ଅଣଯିହୁଦୀମାନେ ଏହିସବୁ ବିଷୟ ଖୋଜି ବୁଲନ୍ତି; କିନ୍ତୁ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ଆବଶ୍ୟକ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଈଶ୍ବର ଜାଣନ୍ତି।

31 ବରଂ ତୁମ୍ଭେମାନେ ତାହାଙ୍କ ରାଜ୍ୟ ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।"

ସ୍ୱର୍ଗୀୟ ଧନ

(ମାଥିଉ 6:19-21)

32 "ହେ ସାନ ପଲ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ସେହି ରାଜ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଈଶ୍ବରଙ୍କର ମହା ଆନନ୍ଦ।

33 ତୁମ୍ଭମାନଙ୍କର ଯାହା ଅଛି; ତାହା ବିକ୍ରୟ କରି ଦାନ କର; ଯାହା କ୍ଷୟ ପାଏ ନାହିଁ, ଏପରି ଝୋଲି ଆପଣା ଆପଣା ନିମନ୍ତେ ପ୍ରସ୍ତୁତ କର; ଯେଉଁଠାରେ ଚୋର ନିକଟକୁ ଆସେ ନାହିଁ କିମ୍ବା କୀଟ ନଷ୍ଟ କରେ ନାହିଁ, ଏପରି ସ୍ୱର୍ଗରେ ଅକ୍ଷୟ ଧନ ସଞ୍ଚୟ କର, 34 କାରଣ ଯେଉଁଠାରେ ତୁମ୍ଭମାନଙ୍କର ଧନ, ସେହିଠାରେ ମଧ୍ୟ ତୁମ୍ଭମାନଙ୍କର ମନ।"

Estes versículos te tocaram? Ore agora!

+581 estão orando agora.

Junte-se à corrente de oração.