ଧନୀ ଲୋକ ଓ ଲାଜାର
19 "ଜଣେ ଧନୀ ଲୋକ ଥିଲା, ସେ କୃଷ୍ଣଲୋହିତ ବର୍ଣ୍ଣର ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡ଼ମ୍ବରରେ ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲା; 20 କିନ୍ତୁ ତାହାର ଫାଟକ ପାଖରେ ଲାଜାର ବୋଲି ଜଣେ ଭିକାରୀ ପଡ଼ି ରହିଥିଲା, 21 ତାର ଦେହରେ ଘାଆ ଭର୍ତ୍ତି ହୋଇଥିଲା; ସେ ସେହି ଧନୀ ଲୋକର ମେଜରୁ ପଡ଼ିବା ଅଇଁଣ୍ଠାରୁ କିଛି ଖାଇ ପେଟ ପୁରାଇବାକୁ ଆଶା କରୁଥିଲା; ଆଉ କୁକୁରଗୁଡ଼ାକ ସୁଦ୍ଧା ଆସି ତାହାର ଘାଆ ସବୁ ଚାଟୁଥିଲେ।
22 କାଳକ୍ରମେ ସେହି ଭିକାରୀଟି ମରିଗଲା ଓ ଦୂତମାନଙ୍କ ଦ୍ୱାରା ଅବ୍ରହାମଙ୍କ କୋଳକୁ ନିଆଗଲା; ପରେ ସେହି ଧନୀ ଲୋକ ମଧ୍ୟ ମରିଗଲା ଓ ସମାଧି ପାଇଲା। 23 ଆଉ, ସେ ନର୍କ-ଯନ୍ତ୍ରଣାରେ କଲବଲ ହୋଇ ଉପରକୁ ଚାହିଁ ଦୂରରେ ଅବ୍ରହାମ ଓ ତାହାଙ୍କ କୋଳରେ ଲାଜାରକୁ ଦେଖିଲା।
24 ସେଥିରେ ସେ ଡାକି କହିଲେ, ‘ହେ ପିତା ଅବ୍ରହାମ, ମୋତେ ଦୟା କରି ଲାଜାରକୁ ପଠାଇ ଦିଅନ୍ତୁ, ଯେପରି ସେ ପାଣିରେ ନିଜ ଅଙ୍ଗୁଳିର ଟିପ ବୁଡ଼ାଇ ମୋହର ଜିଭକୁ ଥଣ୍ଡା କରେ, କାରଣ ମୁଁ ଏହି ନିଆଁରେ କଲବଲ ହେଉଅଛି।’
25 କିନ୍ତୁ ଅବ୍ରହାମ କହିଲେ, ‘ପୁଅରେ, ତୁ ଯେ ଜୀବିତ ଥିବା ସମୟରେ ତୋର ଭଲ ବିଷୟସବୁ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟସବୁ ପାଇଲା, ଏହା ମନେ କର; କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ୱନା ପାଉଅଛି, ଆଉ ତୁ କଲବଲ ହେଉଅଛୁ। 26 ତାହା ଛଡ଼ା ତୁମ ଓ ଆମ ମଧ୍ୟରେ ବହୁତ ବଡ଼ ବ୍ୟବଧାନ ଅଛି, ଯେପରି ଯେଉଁମାନେ ଏ ସ୍ଥାନରୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରନ୍ତି, ସେମାନେ ଯାଇ ପାରିବେ ନାହିଁ, କିମ୍ବା ସେ ସ୍ଥାନରୁ କେହି ଆମ୍ଭମାନଙ୍କ ନିକଟକୁ ପାର ହୋଇ ଆସି ପାରିବେ ନାହିଁ।’
27 ସେଥିରେ ସେ କହିଲେ, ‘ହେ ପିତା, ତାହାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ତାହାକୁ ମୋହର ବାପାଙ୍କ ଘରକୁ ପଠାଉନ୍ତୁ, 28 କାରଣ ମୋହର ପାଞ୍ଚ ଭାଇ ଅଛନ୍ତି; ସେମାନେ ମଧ୍ୟ ଯେପରି ଏହି ଯନ୍ତ୍ରଣାମୟ ସ୍ଥାନକୁ ନ ଆସିବେ, ସେଥିପାଇଁ ସେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବେ।’
29 କିନ୍ତୁ ଅବ୍ରହାମ କହିଲେ, ‘ସେମାନଙ୍କ ନିକଟରେ ମୋଶା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଅଛି, ସେମାନେ ସେମାନଙ୍କର କଥା ଶୁଣନ୍ତୁ।’ 30 ସେଥିରେ ସେ କହିଲେ, ‘ହେ ପିତା ଅବ୍ରହାମ, ତାହା ଯଥେଷ୍ଟ ନୁହେଁ, ମାତ୍ର ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହାହେଲେ ସେମାନେ ମନ-ପରିବର୍ତ୍ତନ କରିବେ।’ 31 କିନ୍ତୁ ସେ ତାହାକୁ କହିଲେ, ‘ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କର କଥା ନ ଶୁଣନ୍ତି, ତାହାହେଲେ ମୃତମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହେଲେ ସୁଦ୍ଧା ସେମାନେ ପରାମର୍ଶ ଗ୍ରହଣ କରିବେ ନାହିଁ।’"