12 ଆଉ ଯୀଶୁ କୌଣସି ଗୋଟିଏ ଗ୍ରାମରେ ପ୍ରବେଶ କରନ୍ତେ ଦଶ ଜଣ କୁଷ୍ଠରୋଗୀ ତାହାଙ୍କ ସହିତ ସାକ୍ଷାତ କଲେ; 13 ସେମାନେ ଦୂରରେ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, ହେ ଯୀଶୁ, ହେ ଗୁରୁ, ଆମ୍ଭମାନଙ୍କୁ ଦୟା କରନ୍ତୁ।
14 ପୁଣି, ସେ ସେମାନଙ୍କୁ ଦେଖି କହିଲେ, "ତୁମ୍ଭେମାନେ ଯାଇ ନିଜ ନିଜକୁ ଯାଜକମାନଙ୍କୁ ଦେଖାଅ।" ଆଉ ସେମାନେ ଯାଉ ଯାଉ ଶୁଚି ହେଲେ। 15 କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ସୁସ୍ଥ ହୋଇଥିବା ଦେଖି ଉଚ୍ଚସ୍ୱରରେ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ ଫେରିଆସି, 16 ଯୀଶୁଙ୍କ ଚରଣ ତଳେ ଉବୁଡ଼ ହୋଇ ତାହାଙ୍କର ଧନ୍ୟବାଦ କରିବାକୁ ଲାଗିଲା; ସେ ଜଣେ ଶମିରୋଣୀୟ ଲୋକ।
17 ସେଥିରେ ଯୀଶୁ ଉତ୍ତର ଦେଲେ, "ଦଶ ଜଣ କଅଣ ଶୁଚି ହେଲେ ନାହିଁ? 18 ତେବେ ଆଉ ନଅ ଜଣ କାହାନ୍ତି? ଈଶ୍ବରଙ୍କୁ ଗୌରବ ଦେବା ନିମନ୍ତେ ଏହି ଅଣଯିହୁଦୀ ଲୋକଟି ଛଡ଼ା କଅଣ ଆଉ କେହି ଫେରିଆସି ନାହିଁ?" 19 ପୁଣି, ସେ ତାହାକୁ କହିଲେ, "ଉଠିଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି।"