25 ଆଉ ଦେଖ, ଯିରୂଶାଲମ ସହରରେ ଶିମିୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ, ପୁଣି, ପବିତ୍ର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିଥିଲେ। 26 ପ୍ରଭୁ ଖ୍ରୀଷ୍ଟଙ୍କର ଦର୍ଶନ ନ ପାଇଲେ ତାହାଙ୍କର ଯେ ମୃତ୍ୟୁ ହେବ ନାହିଁ, ପବିତ୍ର ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା।
27 ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ମନ୍ଦିରକୁ ଆସିଲେ, ପୁଣି, ଶିଶୁ ଯୀଶୁଙ୍କ ପିତାମାତା ଯେତେବେଳେ ତାହାଙ୍କ ବିଷୟରେ ମୋଶାଙ୍କ ବ୍ୟବସ୍ଥାର ନିୟମ ଅନୁଯାୟୀ କର୍ମ କରିବା ନିମନ୍ତେ ତାହାଙ୍କୁ ଭିତରକୁ ଆଣିଲେ, 28 ସେତେବେଳେ ସେ ତାହାଙ୍କୁ କୋଳରେ ଘେନି ଈଶ୍ବରଙ୍କ ପ୍ରଶଂସା କରି କହିଲେ,
29 "ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ
ନିଜ ଦାସକୁ ଶାନ୍ତିରେ ଯିବାକୁ ଦେଉଅଛ;
30 କାରଣ ମୋହର ଚକ୍ଷୁ ତୁମ୍ଭର ପରିତ୍ରାଣ ଦେଖିଅଛି,
31 ଯାହା ତୁମ୍ଭେ ସମସ୍ତ ଲୋକମାନଙ୍କ ସମ୍ମୁଖରେ ପ୍ରସ୍ତୁତ କରି,
32 ଅଣଯିହୁଦୀମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଆଲୋକ,
ପୁଣି, ତୁମ୍ଭ ଲୋକ ଇସ୍ରାଏଲର ଗୌରବସ୍ୱରୂପ କରିଅଛ।"