ମନ୍ଦିରରେ ବାଳକ ଯୀଶୁ
41 ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଯିରୂଶାଲମ ସହରକୁ ଯାଉଥିଲେ। 42 ତାହାଙ୍କର ବାର ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ। 43 ପର୍ବର ସମୟ ସମାପ୍ତ କରି ଯେତେବେଳେ ସେମାନେ ଫେରିଆସୁଥିଲେ, ସେତେବେଳେ ବାଳକ ଯୀଶୁ ଯିରୂଶାଲମ ସହରରେ ରହିଗଲେ, ଆଉ ତାହାଙ୍କ ପିତାମାତା ତାହା ଜାଣି ନ ଥିଲେ। 44 କିନ୍ତୁ ସେ ସହଯାତ୍ରୀମାନଙ୍କ ସଙ୍ଗରେ ଅଛନ୍ତି ବୋଲି ମନେ କରି ସେମାନେ ଦିନକର ବାଟ ଚାଲିଗଲେ, ପୁଣି, ସମ୍ପର୍କୀୟ ଓ ପରିଚିତ ଲୋକଙ୍କ ମଧ୍ୟରେ ତାହାଙ୍କୁ ଖୋଜିବାକୁ ଲାଗିଲେ,
45 ଆଉ ତାହାଙ୍କୁ ନ ପାଇ ଖୋଜୁ ଖୋଜୁ ଯିରୂଶାଲମ ସହରକୁ ଫେରିଗଲେ। 46 ତିନି ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ; ସେ ପଣ୍ଡିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ, 47 ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ, ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ଭିତ ହେଉଥିଲେ।
48 ସେମାନେ ତାହାଙ୍କୁ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲେ, ଆଉ ତାହାଙ୍କର ମାତା ତାହାଙ୍କୁ କହିଲେ, ପୁଅରେ, ଆମ୍ଭମାନଙ୍କ ପ୍ରତି କାହିଁକି ଏପରି ବ୍ୟବହାର କଲୁ? ଦେଖ୍, ତୋର ବାପା ଓ ମୁଁ ଅତିଶୟ ବ୍ୟାକୁଳ ହୋଇ ତୋତେ ଖୋଜୁଥିଲୁ। 49 ଏଥିରେ ସେ ସେମାନଙ୍କୁ କହିଲେ, "କାହିଁକି ତୁମ୍ଭେମାନେ ମୋତେ ଖୋଜୁଥିଲ? ମୋହର ପିତାଙ୍କ ଗୃହରେ ରହିବା ଯେ ମୋହର କର୍ତ୍ତବ୍ୟ, ଏହା କଅଣ ଜାଣି ନ ଥିଲ?"
50 କିନ୍ତୁ ସେ ସେମାନଙ୍କୁ ଯେଉଁ କଥା କହିଲେ, ତାହା ସେମାନେ ବୁଝିଲେ ନାହିଁ।
51 ପରେ ସେ ସେମାନଙ୍କ ସାଙ୍ଗରେ ଫେରି ନାଜରିତକୁ ଆସିଲେ ଓ ସେମାନଙ୍କ ବାଧ୍ୟ ହୋଇ ରହିଲେ; ପୁଣି, ତାହାଙ୍କ ମାତା ଏହି ସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ।
52 ଆଉ, ଯୀଶୁ ଜ୍ଞାନରେ ଓ ଶରୀରରେ, ପୁଣି, ଈଶ୍ବରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ।