ପ୍ରଥମ ଶିଷ୍ୟଙ୍କୁ ଆହ୍ୱାନ
1 ଦିନେ ଯେତେବେଳେ ଲୋକସମୂହ ଯୀଶୁଙ୍କ ଉପରେ ମାଡ଼ିପଡ଼ି ଈଶ୍ବରଙ୍କ ବାକ୍ୟ ଶୁଣୁଥିଲେ, ସେତେବେଳେ ସେ ଗିନ୍ନେସରତ ହ୍ରଦ କୂଳରେ ଠିଆ ହୋଇଥିଲେ; 2 ଆଉ ସେ ହ୍ରଦ କୂଳରେ ଦୁଇଟି ନୌକା ଥିବାର ଦେଖିଲେ; ମାଛୁଆମାନେ ସେଥିରୁ ଓହ୍ଲାଇ ଜାଲ ଧୋଉଥିଲେ। 3 ସେହି ନୌକାଗୁଡ଼ିକ ମଧ୍ୟରୁ ଯାହା ଶିମୋନଙ୍କର ଥିଲା, ସେଥିରେ ସେ ଚଢ଼ି ସ୍ଥଳରୁ ଅଳ୍ପ ଦୂରକୁ ଯିବା ନିମନ୍ତେ ତାହାଙ୍କୁ ଅନୁରୋଧ କଲେ; ଆଉ, ସେ ବସି ନୌକାରୁ ଲୋକସମୂହକୁ ଶିକ୍ଷା ଦେବାକୁ ଲାଗିଲେ।
4 ସେ କଥା ଶେଷ କରି ଶିମୋନଙ୍କୁ କହିଲେ, "ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ତୁମ୍ଭମାନଙ୍କର ଜାଲ ପକାଅ।" 5 ଏଥିରେ ଶିମୋନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ରାତିଯାକ ପରିଶ୍ରମ କରି କିଛି ଧରି ନାହୁଁ; କିନ୍ତୁ ଆପଣଙ୍କ କଥାରେ ମୁଁ ଜାଲ ପକାଇବି। 6 ଆଉ, ସେମାନେ ତାହା ପକାଇ ବହୁତ ମାଛ ଧରିଲେ, ପୁଣି, ସେମାନଙ୍କ ଜାଲ ଛିଣ୍ଡିବାକୁ ଲାଗିଲା। 7 ସେଥିରେ ସେମାନଙ୍କର ଯେଉଁ ସହକର୍ମୀମାନେ ଅନ୍ୟ ନୌକାରେ ଥିଲେ, ସେମାନେ ଯେପରି ଆସି ସାହାଯ୍ୟ କରନ୍ତି, ଏଥିପାଇଁ ସେମାନେ ସେମାନଙ୍କୁ ଠାରିଲେ। ଏଥିରେ ସେମାନେ ଆସି ଦୁଇଟି ନୌକାକୁ ଏପରି ପୂର୍ଣ୍ଣ କଲେ ଯେ, ସେଗୁଡ଼ିକ ବୁଡ଼ିବାକୁ ଲାଗିଲା।
8 କିନ୍ତୁ ଶିମୋନ ପିତର ଏହା ଦେଖି ଯୀଶୁଙ୍କ ଚରଣ ତଳେ ପଡ଼ି କହିଲେ, ହେ ପ୍ରଭୁ, ମୋ ନିକଟରୁ ଚାଲିଯାଅ, ଯେଣୁ ମୁଁ ଜଣେ ପାପୀ ମନୁଷ୍ୟ। 9 କାରଣ ସେମାନେ ଏତେ ମାଛ ଧରିଥିଲେ ଯେ, ତାହା ଦେଖି ସେ ଓ ତାହାଙ୍କ ସଙ୍ଗୀ ସମସ୍ତେ ଆଶ୍ଚର୍ଯ୍ୟ ହେଲେ; 10 ପୁଣି, ଜେବଦୀଙ୍କ ଦୁଇ ପୁତ୍ର ଯାକୁବ ଓ ଯୋହନ, ଯେଉଁମାନେ ଶିମୋନଙ୍କର ସହଭାଗୀ ଥିଲେ, ସେମାନେ ମଧ୍ୟ ସେହି ପ୍ରକାର ଆଶ୍ଚର୍ଯ୍ୟାନ୍ୱିତ ହେଲେ। ପୁଣି, ଯୀଶୁ ଶିମୋନଙ୍କୁ କହିଲେ, "ଭୟ କର ନାହିଁ, ଆଜିଠାରୁ ତୁମ୍ଭେ ମନୁଷ୍ୟମାନଙ୍କୁ ଧରିବ।" 11 ସେଥିରେ ସେମାନେ ନୌକାଗୁଡ଼ିକ କୂଳକୁ ଆଣି ସବୁ ଛାଡ଼ିଦେଇ ତାହାଙ୍କର ଅନୁଗମନ କଲେ।