24 ଯୋହନଙ୍କ ଦୂତମାନେ ଯିବା ପରେ ଯୀଶୁ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କହିବାକୁ ଲାଗିଲେ, ତୁମ୍ଭେମାନେ କଅଣ ଦେଖିବା ପାଇଁ ମରୁଭୂମିକୁ ବାହାରିଯାଇଥିଲ, କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ? 25 ତାହା ନ ହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରିଯାଇଥିଲ? କଅଣ ଦାମୀ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ଦେଖ, ଯେଉଁମାନେ ସୁନ୍ଦର ବସ୍ତ୍ର ପିନ୍ଧନ୍ତି ଏବଂ ସୁଖରେ ସମୟ କଟାନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି। 26 ତାହା ନ ହେଲେ କଅଣ ଦେଖିବା ନିମନ୍ତେ ବାହାରି ଯାଇଥିଲ? କଅଣ ଜଣେ ଭାବବାଦୀଙ୍କୁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କୁ।
27 ଯାହାଙ୍କ ବିଷୟରେ ଏହା ଲେଖାଅଛି,
‘ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ,
ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି।’
28 ମୁଁ ତୁମ୍ଭମାନଙ୍କୁ କହୁଅଛି, ସ୍ତ୍ରୀଗର୍ଭରୁ ଜନ୍ମ ହୋଇଥିବା ସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ମହାନ କେହି ନାହାନ୍ତି; ତଥାପି ଈଶ୍ବରଙ୍କ ରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ।"
29 ଏହା ଶୁଣି ସମସ୍ତ ଲୋକ, ଏପରିକି କରଗ୍ରାହୀମାନେ ସୁଦ୍ଧା ଯୋହନଙ୍କ ବାପ୍ତିସ୍ମରେ ବାପ୍ତିଜିତ ହୋଇଥିବାରୁ ଈଶ୍ବରଙ୍କୁ ଯଥାର୍ଥ ବୋଲି ସ୍ୱୀକାର କଲେ; 30 କିନ୍ତୁ ଫାରୂଶୀମାନେ ଓ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ ତାହାଙ୍କ ଦ୍ୱାରା ବାପ୍ତିଜିତ ନ ହୋଇ ନିଜ ନିଜ ବିଷୟରେ ଈଶ୍ବରଙ୍କ ଯୋଜନା ଅଗ୍ରାହ୍ୟ କଲେ।