27 ସେ ନୌକାରୁ ବାହାରି କୂଳରେ ଓହ୍ଲାନ୍ତେ ସେହି ନଗରର ଜଣେ ଭୂତଗ୍ରସ୍ତ ଲୋକ ତାହାଙ୍କୁ ଭେଟିଲା; ସେ ବହୁକାଳ ପର୍ଯ୍ୟନ୍ତ ଲୁଗା ନ ପିନ୍ଧି ଓ ଘରେ ନ ରହି ସମାଧି-ସ୍ଥାନରେ ରହୁଥିଲା।
28 ସେ ଯୀଶୁଙ୍କୁ ଦେଖି ଚିତ୍କାର କରି ତାହାଙ୍କ ଚରଣ ତଳେ ପଡ଼ି ଉଚ୍ଚସ୍ୱରରେ କହିଲା, ହେ ମହାନ ଈଶ୍ବରଙ୍କ ପୁତ୍ର ଯୀଶୁ, ତୁମ୍ଭ ସାଙ୍ଗରେ ମୋହର କଅଣ ଅଛି? ମୁଁ ତୁମ୍ଭକୁ ନିବେଦନ କରୁଅଛି, ମୋତେ କଷ୍ଟ ଦିଅ ନାହିଁ। 29 କାରଣ ସେ ଅଶୁଚି ଆତ୍ମାକୁ ସେହି ମନୁଷ୍ୟଠାରୁ ବାହାରିଯିବା ପାଇଁ ଆଜ୍ଞା ଦେବାକୁ ଯାଉଥିଲେ। ସେହି ଆତ୍ମା ଅନେକ ଥର ତାହାକୁ ଧରିଥିଲା, ପୁଣି, ଲୋକେ ତାହାକୁ ଜଞ୍ଜିର ଓ ବେଡ଼ିସବୁ ଦ୍ୱାରା ବାନ୍ଧି ରଖୁଥିଲେ, ମାତ୍ର ସେ ବନ୍ଧନସବୁ ଛିଣ୍ଡାଇପକାଇ ଭୂତ ଦ୍ୱାରା ପ୍ରାନ୍ତରକୁ ଚାଳିତ ହେଉଥିଲା।
30 ଯୀଶୁ ତାହାଙ୍କୁ ପଚାରିଲେ, "ତୋର ନାଁ କଅଣ?" ସେ କହିଲା, ବାହିନୀ; କାରଣ ଅନେକ ଭୂତ ତାହାଠାରେ ପ୍ରବେଶ କରିଥିଲେ। 31 ପୁଣି, ସେ ଯେପରି ସେମାନଙ୍କୁ ପାତାଳକୁ ଯିବା ପାଇଁ ଆଜ୍ଞା ନ ଦିଅନ୍ତି, ଏଥିପାଇଁ ସେମାନେ ତାହାଙ୍କୁ ବିନତି କରିବାକୁ ଲାଗିଲେ।
32 ସେଠାରେ ପର୍ବତ ଉପରେ ଗୋଟିଏ ବଡ଼ ଘୁଷୁରିପଲ ଚରୁଥିଲା, ପୁଣି, ଯୀଶୁ ଯେପରି ସେମାନଙ୍କୁ ସେହି ଘୁଷୁରିଗୁଡ଼ାକ ମଧ୍ୟରେ ପଶିବା ପାଇଁ ଅନୁମତି ଦିଅନ୍ତି, ଏଥିପାଇଁ ସେମାନେ ତାହାଙ୍କୁ ବିନତି କଲେ। 33 ସେ ସେମାନଙ୍କୁ ଅନୁମତି ଦିଅନ୍ତେ, ଭୂତଗୁଡ଼ାକ ସେହି ମନୁଷ୍ୟଠାରୁ ବାହାରି ଘୁଷୁରିଗୁଡ଼ାକ ମଧ୍ୟରେ ପଶିଲେ; ସେଥିରେ ସେହି ଘୁଷୁରୀ ପଲ ଅତି ବେଗରେ ପାହାଡ ଉପରୁ ଦୌଡ଼ିଯାଇ ହ୍ରଦରେ ପଡ଼ି ବୁଡ଼ି ମଲେ।
34 ଚରାଉଥିବା ଲୋକମାନେ ସେହି ଘଟଣା ଦେଖି ପଳାଇଯାଇ ନଗର ଓ ପଲ୍ଲୀଗୁଡି଼କରେ ତାହା ଜଣାଇଲେ। 35 ସେଥିରେ ଲୋକେ ସେହି ଘଟଣା ଦେଖିବାକୁ ବାହାରି ଆସିଲେ; ପୁଣି, ସେମାନେ ଯୀଶୁଙ୍କ ନିକଟକୁ ଆସି, ଯେଉଁ ମନୁଷ୍ୟଠାରୁ ଭୂତଗୁଡ଼ାକ ବାହାରିଥିଲେ, ତାହାକୁ ଲୁଗା ପିନ୍ଧି ଭଲ ମନରେ ଯୀଶୁଙ୍କ ପାଦ ତଳେ ବସିଥିବା ଦେଖି ଭୟ କଲେ।