ଯୀଶୁଙ୍କ ବିଜୟ ଯାତ୍ରା
1 ଯେତେବେଳେ ସେମାନେ ଯିରୂଶାଲମ ସହରର ନିକଟବର୍ତ୍ତୀ ହୋଇ ଜୀତପର୍ବତ ପାର୍ଶ୍ୱସ୍ଥ ବୈଥ୍ଫାଗୀ ଓ ବେଥନୀୟା ନିକଟରେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ, 2 "ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା କ୍ଷଣି, ଯାହା ଉପରେ କେହି କେବେ ଚଢ଼ି ନାହିଁ, ଏପରି ଗୋଟିଏ ଗଧଛୁଆ ବନ୍ଧା ହୋଇଥିବା ଦେଖିବ; ତାହାକୁ ଫିଟାଇ ଘେନିଆସ। 3 ଆଉ, ଯେବେ କେହି ‘ତୁମ୍ଭମାନଙ୍କୁ କାହିଁକି ଏହା କରୁଅଛ ବୋଲି କହେ,’ ତେବେ କହିବ, ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି, ଆଉ ସେ ପୁନର୍ବାର ତାହାକୁ ଅବିଳମ୍ବେ ଏଠାକୁ ପଠାଇଦେବେ।" 4 ସେମାନେ ଯାଇ ଦ୍ୱାର ନିକଟରେ ବାହାର ଦାଣ୍ଡରେ ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖି ତାହାକୁ ଫିଟାଇଲେ। 5 ସେଥିରେ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି ସେମାନଙ୍କୁ ପଚାରିଲେ, ଗଧଛୁଆକୁ ଫିଟାଇ କଅଣ କରୁଅଛ? 6 ଯୀଶୁ ଯେପରି କହିଥିଲେ, ସେମାନେ ସେହିପରି ସେମାନଙ୍କୁ ଉତ୍ତର ଦେଲେ; ତହିଁରେ ସେମାନେ ସେମାନଙ୍କୁ ଅନୁମତି ଦେଲେ। 7 ଯୀଶୁଙ୍କ ନିକଟକୁ ଗଧଛୁଆଟିକୁ ଆଣି ସେମାନେ ତାହା ଉପରେ ଆପଣା ଆପଣା ଲୁଗା ପକାଇଦେଲେ, ଆଉ ଯୀଶୁ ତାହା ଉପରେ ବସିଲେ। 8 ପୁଣି, ଅନେକେ ପଥରେ ଆପଣା ଆପଣା ଲୁଗା ବିଛାଇଲେ ଓ ଅନ୍ୟମାନେ କ୍ଷେତରୁ ଡାଳ କାଟି ଆଣି ବିଛାଇଦେଲେ। 9 ଆଉ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ,
ହୋଶାନ୍ନା!
ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ!
10 ଆମ୍ଭମାନଙ୍କ ପିତୃ-ପୁରୁଷ ଦାଉଦଙ୍କର ଯେଉଁ ରାଜ୍ୟ ଆସୁଅଛି, ତାହା ଧନ୍ୟ!
ଊର୍ଦ୍ଧ୍ୱଲୋକରେ ହୋଶାନ୍ନା!
11 ପରେ ସେ ଯିରୂଶାଲମ ସହରକୁ ଆସି ମନ୍ଦିରରେ ପ୍ରବେଶ କଲେ, ପୁଣି, ଚତୁର୍ଦ୍ଦିଗସ୍ଥ ସମସ୍ତ ବିଷୟ ନିରୀକ୍ଷଣ କରି ସନ୍ଧ୍ୟା ହୋଇଯିବାରୁ ବାର ଶିଷ୍ୟଙ୍କ ସହିତ ବେଥନୀୟାକୁ ବାହାରିଗଲେ।