ଶୁଷ୍କ ଡିମ୍ବିରିବୃକ୍ଷରୁ ଶିକ୍ଷା
20 ସକାଳେ ସେହି ବାଟ ଦେଇ ଯିବା ସମୟରେ ସେମାନେ ଡିମ୍ବିରିବୃକ୍ଷଟି ମୂଳରୁ ଶୁଖିଯାଇଥିବା ଦେଖିଲେ। 21 ସେଥିରେ ପିତର ପୂର୍ବ କଥା ସ୍ମରଣ କରି ତାହାଙ୍କୁ କହିଲେ, ହେ ଗୁରୁ, ଦେଖନ୍ତୁ, ଆପଣ ଯେଉଁ ଡିମ୍ବିରିବୃକ୍ଷକୁ ଅଭିଶାପ ଦେଇଥିଲେ, ତାହା ଶୁଖିଗଲାଣି। 22 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, "ଈଶ୍ବରଙ୍କଠାରେ ବିଶ୍ୱାସ ରଖ। 23 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଏହି ପର୍ବତକୁ ‘ତୁ ଉଠି ସମୁଦ୍ରରେ ଯାଇ ପଡ଼’ ବୋଲି କହିବ, ଆଉ ଆପଣା ହୃଦୟରେ ସନ୍ଦେହ ନ କରି, ଯାହା କହୁଅଛି, ତାହା ଘଟିବ ବୋଲି ବିଶ୍ୱାସ କରିବ, ତାʼ ନିମନ୍ତେ ତାହା ଘଟିବ। 24 ଅତଏବ, ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ପ୍ରାର୍ଥନା କର ଓ ମାଗ, ସେ ସବୁ ପାଇଅଛ ବୋଲି ବିଶ୍ୱାସ କର, ସେଥିରେ ସେହିସବୁ ପାଇବ। 25 ପୁଣି, ତୁମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରିବାକୁ ଠିଆ ହୁଅ, ଯଦି କାହାରି ବିରୁଦ୍ଧରେ ତୁମ୍ଭମାନଙ୍କର କିଛି କଥା ଥାଏ, ତାହାହେଲେ କ୍ଷମା କର, ଯେପରି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କର ଅପରାଧସବୁ କ୍ଷମା କରିବେ।