3 ଇତିମଧ୍ୟରେ ଲୋକେ ଜଣେ ପକ୍ଷାଘାତ ରୋଗୀକୁ ଚାରି ଜଣଙ୍କ ଦ୍ୱାରା ବୁହାଇ ତାହାଙ୍କ ନିକଟକୁ ଘେନି ଆସିଲେ, 4 କିନ୍ତୁ ଭିଡ଼ ହେତୁ ତାହାଙ୍କ ପାଖକୁ ଆଣି ନ ପାରିବାରୁ, ସେ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନର ଛାତ ଖୋଳି କାଢ଼ିପକାଇଲେ, ଆଉ ତାହା ଭାଙ୍ଗି, ଯେଉଁ ଖଟିଆରେ ପକ୍ଷାଘାତ ରୋଗୀଟି ଶୋଇଥିଲା, ତାହା ଓହ୍ଲାଇଦେଲେ। 5 ଯୀଶୁ ସେମାନଙ୍କର ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକୁ କହିଲେ, "ବତ୍ସ, ତୁମ୍ଭର ପାପସବୁ କ୍ଷମା କରାଗଲା।" 6 କିନ୍ତୁ ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେକ ସେ ସ୍ଥାନରେ ବସି ଆପଣା ଆପଣା ମନରେ ଏହା ତର୍କବିତର୍କ କରୁଥିଲେ, 7 ଏ ଲୋକ କାହିଁକି ଏପରି କହୁଅଛି? ସେ ଈଶ୍ବର ନିନ୍ଦା କରୁଅଛି; କେବଳ ଜଣଙ୍କ ବିନା, ଅର୍ଥାତ୍ ଈଶ୍ବରଙ୍କ ବିନା ଆଉ କିଏ ପାପ କ୍ଷମା କରିପାରେ? 8 ସେମାନେ ଯେ ମନେ ମନେ ଏପରି ତର୍କବିତର୍କ କରୁଅଛନ୍ତି, ତାହା ଯୀଶୁ ନିଜ ଆତ୍ମାରେ ସେହିକ୍ଷଣି ଜ୍ଞାତ ହୋଇ ସେମାନଙ୍କୁ କହିଲେ, "ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି ଏହି ସମସ୍ତ ତର୍କବିତର୍କ କରୁଅଛ? 9 କଅଣ ସହଜ? ପକ୍ଷାଘାତ ରୋଗୀକୁ ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, କିଅବା, ଉଠ, ତୁମ୍ଭର ଖଟିଆ ଘେନି ଚାଲ ବୋଲି କହିବା? 10 କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର," ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, 11 "ମୁଁ ତୁମ୍ଭକୁ କହୁଅଛି, ଉଠ; ନିଜ ଖଟିଆ ଘେନି ଆପଣା ଘରକୁ ଚାଲିଯାଅ।" 12 ସେଥିରେ ସେ ଉଠି ତତ୍କ୍ଷଣାତ୍ ଖଟିଆ ଘେନି ସମସ୍ତଙ୍କ ସାକ୍ଷାତରେ ବାହାରିଗଲା; ତହିଁରେ ସମସ୍ତେ ଆଚମ୍ଭିତ ହୋଇ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ କହିଲେ, ଆମ୍ଭେମାନେ ଏପରି କେବେ ହେଁ ଦେଖି ନ ଥିଲୁ।