35 ବେଳ ବହୁତ ହେବାରୁ ତାହାଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ନିର୍ଜନ, ପୁଣି, ବହୁତ ବେଳ ହେଲାଣି; 36 ଲୋକମାନେ ଯେପରି ଚତୁର୍ଦ୍ଦିଗରେ ପଲ୍ଲୀ ଓ ଗ୍ରାମମାନଙ୍କୁ ଯାଇ ଆପଣା ଆପଣା ନିମନ୍ତେ ଖାଇବା ପାଇଁ କିଛି କିଣନ୍ତି, ଏଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ। 37 କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, "ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ।" ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ କଅଣ ଯାଇ ଦୁଇ ଶହ ଦିନର ମଜୁରୀ ସମାନ ମୂଲ୍ୟର ରୁଟି କିଣି ଏମାନଙ୍କୁ ଭୋଜନ କରାଇବା? 38 ଯୀଶୁ ସେମାନଙ୍କୁ କହିଲେ, "ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି? ଯାଇ ଦେଖ।" ସେମାନେ ବୁଝି ଆସି ତାହାଙ୍କୁ କହିଲେ, ପାଞ୍ଚୋଟି, ପୁଣି, ଦୁଇଟି ମାଛ। 39 ସେଥିରେ ସମସ୍ତେ ଯେପରି ଦଳ ଦଳ ହୋଇ କଅଁଳ ଘାସ ଉପରେ ବସନ୍ତି, ଏଥିପାଇଁ ସେ ସେମାନଙ୍କୁ ଆଜ୍ଞା ଦେଲେ। 40 ତହିଁରେ ସେମାନେ ଶହ ଶହ ଓ ପଚାଶ ପଚାଶ ଜଣ କରି ଦଳ ଦଳ ହୋଇ ବସିଲେ। 41 ପୁଣି ଯୀଶୁ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ଘେନି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟିଗୁଡ଼ିକ ଭାଙ୍ଗି ଲୋକମାନଙ୍କୁ ପରିବେଷଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ। ପୁଣି, ସେହି ଦୁଇ ମାଛ ସେ ସମସ୍ତଙ୍କ ମଧ୍ୟରେ ଭାଗ କରିଦେଲେ। 42 ସେଥିରେ ସମସ୍ତେ ଭୋଜନ କରି ତୃପ୍ତ ହେଲେ, 43 ଆଉ ସେମାନେ ଭଙ୍ଗା ରୁଟିର ବଳକା ଉଠାଇ ବାର ଟୋକେଇ ଭର୍ତ୍ତି କଲେ ଏବଂ ଭାଗ କରାଯାଇଥିବା ମାଛରୁ ମଧ୍ୟ କିଛି କିଛି ଗୋଟାଇଲେ। 44 ରୁଟି ଖାଇବା ଲୋକମାନେ ପାଞ୍ଚ ହଜାର ପୁରୁଷ ଥିଲେ।