9 ପୁଣି, ଯୀଶୁ ସେମାନଙ୍କୁ କହିଲେ, "ତୁମ୍ଭେମାନେ ଆପଣା ଆପଣା ପରମ୍ପରାଗତ ରୀତିନୀତି ପାଳନ କରିବା ନିମନ୍ତେ ଈଶ୍ବରଙ୍କ ଆଜ୍ଞା ଅଧିକ ଅଗ୍ରାହ୍ୟ କରୁଅଛ! 10 କାରଣ ମୋଶା କହିଅଛନ୍ତି, ‘ଆପଣା ପିତାମାତାଙ୍କୁ ସମାଦର କର, ଆଉ ଯେ କେହି ଆପଣା ପିତା କି ମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ।’ 11 କିନ୍ତୁ ତୁମ୍ଭେମାନେ କୁହ, କେହି ଯେବେ ପିତା କି ମାତାକୁ କହେ, ମୋʼଠାରୁ, ଯାହା ଦ୍ୱାରା ତୁମ୍ଭର ଉପକାର ହୋଇଥାଆନ୍ତା, ତାହା ‘କର୍ବାନ୍’, ଅର୍ଥାତ୍ ଈଶ୍ବରଙ୍କୁ ସମର୍ପିତ ହୋଇଅଛି, 12 ତେବେ ତୁମ୍ଭେମାନେ ତାହାକୁ ପିତା କି ମାତାର କିଛି ଉପକାର କରିବାକୁ ଆଉ ଦେଉ ନ ଥାଅ; 13 ଏହି ରୂପେ ତୁମ୍ଭେମାନେ ସ୍ୱପ୍ରଚଳିତ ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ବରଙ୍କ ବାକ୍ୟ ବ୍ୟର୍ଥ କରୁଅଛ ଓ ସେହି ପ୍ରକାର ଅନେକ କର୍ମ କରୁଅଛ।"