12 କାରଣ ଯିହୁଦୀ ଓ ଗ୍ରୀକ୍ ମଧ୍ୟରେ କିଛି ପ୍ରଭେଦ ନାହିଁ; ଯେଣୁ ସମସ୍ତଙ୍କର ତ ଏକ ପ୍ରଭୁ, ଆଉ ଯେତେ ଲୋକ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେ ସମସ୍ତଙ୍କ ପ୍ରତି ସେ ଅନୁଗ୍ରହର ନିଧିସ୍ୱରୂପ। 13 କାରଣ ଯେ କେହି ପ୍ରଭୁଙ୍କ ନାମ ଧରି ପ୍ରାର୍ଥନା କରିବ, ସେ ପରିତ୍ରାଣ ପ୍ରାପ୍ତ ହେବ। 14 ତେବେ ଯାହାଙ୍କୁ ସେମାନେ ବିଶ୍ୱାସ କରି ନାହାନ୍ତି, ତାହାଙ୍କ ନିକଟରେ କିପରି ପ୍ରାର୍ଥନା କରିବେ? ପୁଣି, ଯାହାଙ୍କ କଥା ସେମାନେ ଶୁଣି ନାହାନ୍ତି, କିପରି ତାହାଙ୍କଠାରେ ବିଶ୍ୱାସ କରିବେ? ଆଉ ପ୍ରଚାରକ ବିନା ସେମାନେ କିପରି ଶୁଣିବେ? 15 ପୁଣି, ପ୍ରେରିତ ନ ହେଲେ କିପରି ପ୍ରଚାର କରିବେ? ଯେପରି ଲେଖାଅଛି, "ଯେଉଁମାନେ ଶୁଭ ବିଷୟର ସୁସମାଚାର ଆଣନ୍ତି, ସେମାନଙ୍କର ପାଦ କିପରି ଶୋଭାଯୁକ୍ତ।" 16 କିନ୍ତୁ ସମସ୍ତେ ସୁସମାଚାରର ବଶୀଭୂତ ହେଲେ ନାହିଁ। କାରଣ ଯିଶାଇୟ କହନ୍ତି, "ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି?" 17 ଅତଏବ, ବିଶ୍ୱାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ୱାରା ହୁଏ।