ଶାସନକର୍ତ୍ତାଙ୍କ ପ୍ରତି ଆନୁଗତ୍ୟ
1 ପ୍ରତ୍ୟେକ ଜଣ ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ବଶୀଭୂତ ହେଉ, କାରଣ ଅଧିକାର କେବଳ ଈଶ୍ବରଙ୍କଠାରୁ ଆସେ, ଆଉ ଯେ ସମସ୍ତ ଅଧିକାରପ୍ରାପ୍ତ ଶାସନକର୍ତ୍ତା ଅଛନ୍ତି; ସେମାନେ ଈଶ୍ବରଙ୍କ ଦ୍ୱାରା ନିଯୁକ୍ତ। 2 ଅତଏବ, ଯେ ଅଧିକାର ପ୍ରତିରୋଧ କରେ, ସେ ଈଶ୍ବରଙ୍କ ବିଧାନର ପ୍ରତିରୋଧ କରେ; ପୁଣି, ଯେଉଁମାନେ ପ୍ରତିରୋଧ କରନ୍ତି, ସେମାନେ ଆପଣା ଆପଣା ଉପରେ ଦଣ୍ଡ ଘଟାଇବେ। 3 କାରଣ ଶାସନକର୍ତ୍ତାମାନେ ସଦାଚାରୀ ପ୍ରତି ଭୟଜନକ ନୁହଁନ୍ତି, କିନ୍ତୁ ଅସଦାଚାରୀ ପ୍ରତି ଭୟଜନକ। ତୁମ୍ଭେ କି ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ନିକଟରେ ନିର୍ଭୟ ହେବାକୁ ଇଚ୍ଛା କର? ତେବେ ସଦାଚାର କର, ତାହାହେଲେ ତାହାଙ୍କଠାରୁ ପ୍ରଶଂସା ପାଇବ, 4 କାରଣ ସେ ମଙ୍ଗଳ ନିମନ୍ତେ ତୁମ୍ଭ ପାଇଁ ଈଶ୍ବରଙ୍କ ସେବକ। କିନ୍ତୁ ଯଦି ଅସଦାଚାର କର, ତାହାହେଲେ ଭୀତ ହୁଅ, ଯେଣୁ ସେ ନିରର୍ଥକ ଖଡ୍ଗ ଧାରଣ କରନ୍ତି ନାହିଁ, କାରଣ ସେ ଈଶ୍ବରଙ୍କ ସେବକ ସ୍ୱରୂପେ ଅସଦାଚାରୀ ପ୍ରତି କ୍ରୋଧ ପ୍ରକାଶ କରିବା ନିମନ୍ତେ ଦଣ୍ଡଦାତା ଅଟନ୍ତି। 5 ଅତଏବ, କେବଳ କ୍ରୋଧର ଭୟରେ ନୁହେଁ, ମାତ୍ର ବିବେକ ହେତୁ ମଧ୍ୟ ବଶୀଭୂତ ହେବା ଆବଶ୍ୟକ। 6 ଯେଣୁ ଏହି କାରଣରୁ ତୁମ୍ଭେମାନେ ରାଜସ୍ୱ ମଧ୍ୟ ଦେଇଥାଅ, କାରଣ ସେମାନେ ଈଶ୍ବରଙ୍କ ସେବକ ସ୍ୱରୂପେ ଏହି କାର୍ଯ୍ୟରେ ପ୍ରବୃତ୍ତ ରହନ୍ତି। 7 ଯାହାଙ୍କର ଯାହା ପ୍ରାପ୍ୟ, ତାହାଙ୍କୁ ତାହା ଦିଅ; ଯାହାଙ୍କୁ ରାଜସ୍ୱ ଦେବାକୁ ହୁଏ, ତାହାଙ୍କୁ ରାଜସ୍ୱ ଦିଅ; ଯାହାଙ୍କୁ ଶୁଳ୍କ ଦେବାକୁ ହୁଏ, ତାହାଙ୍କୁ ଶୁଳ୍କ ଦିଅ; ଯାହାଙ୍କୁ ଭୟ କରିବାକୁ ହୁଏ, ତାହାଙ୍କୁ ଭୟ କର; ଯାହାଙ୍କୁ ସମାଦର କରିବାକୁ ହୁଏ, ତାହାଙ୍କୁ ସମାଦର କର।