ବିଶ୍ୱାସ ଦ୍ୱାରା ଈଶ୍ବରଙ୍କ ଧାର୍ମିକତା
21 କିନ୍ତୁ ଏବେ ମୋଶାଙ୍କ ବ୍ୟବସ୍ଥା ବ୍ୟତୀତ ଈଶ୍ବରଙ୍କର ଧାର୍ମିକତା ପ୍ରକାଶିତ ହୋଇଅଛି, ଆଉ ତାହା ବିଷୟରେ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ସାକ୍ଷ୍ୟ ଦେଉଅଛି, 22 ଅର୍ଥାତ୍, ଈଶ୍ବରଙ୍କର ଯେଉଁ ଧାର୍ମିକତା ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସମସ୍ତ ବିଶ୍ୱାସୀଙ୍କ ପ୍ରତି ବର୍ତ୍ତେ, କାରଣ କୌଣସି ପ୍ରଭେଦ ନାହିଁ, 23 ସମସ୍ତେ ତ ପାପ କରିଅଛନ୍ତି, ପୁଣି, ଈଶ୍ବରଙ୍କ ଗୌରବରହିତ ହୋଇଅଛନ୍ତି, 24 ପୁଣି, ସେମାନେ ବିନାମୂଲ୍ୟରେ ତାହାଙ୍କ ଅନୁଗ୍ରହରେ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ମୁକ୍ତି ଅଛି, ତଦ୍ୱାରା ଧାର୍ମିକ ଗଣିତ ହୁଅନ୍ତି।