ଈଶ୍ବରଙ୍କ ଚିରନ୍ତନ ପ୍ରେମ
31 ତେବେ ଏସମସ୍ତ ଦୃଷ୍ଟିରେ ଆମ୍ଭେମାନେ କଅଣ କହିବା? ଯଦି ଈଶ୍ବର ଆମ୍ଭମାନଙ୍କ ସପକ୍ଷ, ତେବେ ଆମ୍ଭମାନଙ୍କ ବିପକ୍ଷ କିଏ? 32 ଯେ ଆପଣା ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ୍ଭ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ, ସେ କିପରି ତାହାଙ୍କ ସହିତ ମଧ୍ୟ ସମସ୍ତ ବିଷୟ ଆମ୍ଭମାନଙ୍କୁ ଅନୁଗ୍ରହରେ ଦାନ ନ କରିବେ? 33 ଈଶ୍ବରଙ୍କ ମନୋନୀତ ଲୋକମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିବ? ଈଶ୍ବର ତ ସେମାନଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି। 34 କିଏ ଦଣ୍ଡାଜ୍ଞା ଦେବ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁଭୋଗ କଲେ, ବରଂ ସେ ଉତ୍ଥାପିତ ହେଲେ, ସେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି। 35 ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ? କି କ୍ଳେଶ, କି ସଙ୍କଟ, କି ତାଡ଼ନା, କି ଦୁର୍ଭିକ୍ଷ, କି ଉଲଗ୍ନତା, କି ବିପଦ, କି ଖଡ୍ଗ? 36 ଯେପରି ଲେଖାଅଛି,
"ତୁମ୍ଭ ନିମନ୍ତେ ଆମ୍ଭେମାନେ ସମସ୍ତ ଦିନ ନିହତ ହେଉଅଛୁ;
ଆମ୍ଭେମାନେ ବଧଯୋଗ୍ୟ ମେଷ ପରି ଗଣିତ ହୋଇଅଛୁ।"
37 ତଥାପି ଯେ ଆମ୍ଭମାନଙ୍କୁ ପ୍ରେମ କଲେ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଏହି ସମସ୍ତ ବିଷୟରେ ସର୍ବତୋଭାବେ ବିଜୟୀ ଅଟୁ। 38 କାରଣ ମୃତ୍ୟୁ କି ଜୀବନ, ଦୂତ କି କର୍ତ୍ତାପଣ, ବର୍ତ୍ତମାନ କି ଭବିଷ୍ୟତ କି ପରାକ୍ରମ, 39 ଉଚ୍ଚସ୍ଥ ବିଷୟ କି ନୀଚସ୍ଥ ବିଷୟ କି ଅନ୍ୟ କୌଣସି ସୃଷ୍ଟ ବସ୍ତୁ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ପ୍ରକାଶିତ ଈଶ୍ବରଙ୍କ ପ୍ରେମରୁ ଯେ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିପାରିବ ନାହିଁ, ଏହା ମୁଁ ନିଶ୍ଚୟ ଜାଣେ।