ଡୁମାଦାର୍ଲା ଲକ୍କେ ଜିସୁ ନିମାନ୍ କଲା
1 ଜିସୁ ଆରି ତାର୍ ସିସ୍ମନ୍ ସମ୍ଦୁର୍ ସେପାଟେ ରଇବା ଗରାସିୟମନର୍ ଜାଗାଇ କେଟ୍ଲାଇ । 2 ଜିସୁ ଡଙ୍ଗାଇଅନି ଉତର୍ଲା ଦାପ୍ରେ ଗଟେକ୍ ଡୁମା ଦାରିରଇବା ଲକ୍ ମସ୍ନେ ଅନି ବାରଇ ତାକେ ବେଟ୍ଅଇବାକେ ଆଇଲା । 3 ସେ ଲକ୍ ମସ୍ନେ ବାସାଅଇରଇଲା, ଆରି କେ ମିସା ତାକେ ସିକିଲି ସଙ୍ଗ୍ ବାନ୍ଦି ନାପାର୍ତେ ରଇଲାଇ । 4 ତାକେ କେତେକ୍ ତର୍ ଗଡେ କଡୁ ଆରି ଆତେ ସିକିଲି ସଙ୍ଗ୍ ବାନ୍ଦ୍ଲେ ମିସା, ସେ ସିକିଲି ସବୁ ଚିଡାଇ ଦେଇ, କଡୁ ସବୁ ବାଙ୍ଗାଇ ପାକାଇତେ ରଇଲା । ତାକେ ବାନ୍ଦି ସଙ୍ଗଇବାକେ କାର୍ ମିସା ବପୁ ନ ରଇଲା । 5 ସେ ଦିନ୍ ରାତି ସବୁବେଲେ ମସ୍ନେ ଆରି କୁପ୍ଲିତେଇ ରଇ କିର୍କିର୍ତେ ରଇଲା, ଆରି ପାକ୍ନା ସଙ୍ଗ୍ ଗାଗ୍ଡେ ମୁଣ୍ଡେ ମାରିଅଇ କଣ୍ଡିଆ ବଣ୍ଡିଆ ଅଇଜାଇତେରଇଲା ।
6 ସେ ଜିସୁକେ ଦୁରିକେ ଅନି ଦେକି ପାଲାଇ ଆସି ତାର୍ ମୁଆଟେ ଅଦର୍ଲା । 7 ଆରି ଆଉଲି ଅଇ କିର୍କିରି କରି କଇଲା, "ଏ ସବୁର୍ ଟାନେଅନି ବଡ୍ ପର୍ମେସରର୍ ପ ଜିସୁ, ମର୍ ଟାନେ ତମର୍ କାଇ କାମ୍ ଆଚେ ? ମୁଇ ତମ୍କେ ପର୍ମେସରର୍ ନାଉଁ ଦାରି ଗୁଆରି କରି କଇଲିନି, ମକେ କସ୍ଟ ଦିଆନାଇ ।" 8 କାଇକେବଇଲେ ଜିସୁ ତାକେ ଆଗ୍ତୁ କଇତେରଇଲା, "ଏରେ ଡୁମା, ଏ ଲକର୍ଟାନେଅନି ବାରଇ ଜା ।"
9 ଆରି, ଜିସୁ ତାକେ ପାଚାର୍ଲା, "ତର୍ ନାଉଁ କାଇ ନାଉଁ ?" ସେ ତାକେ କଇଲା, "ମର୍ ନାଉଁ ବାଇନି ଡୁମା, ଏନ୍ତି ଆମେ ଜବର୍ ଆଚୁ ।"
10 ଆରି, ସେ ଲକ୍ ଜେନ୍ତିକି ସେମନ୍କେ ସେ ଜାଗାଇ ଅନି ବାଇରେ ନ ପାଟାଅ ବଲି, ଜିସୁକେ ତର୍କେ ତର୍ ଜୁଆର୍ ବିଆର୍ କଲା ।
11 ସେ ଲଗର୍ କୁପ୍ଲି ପାଲିକେ ବେସି ଗୁସ୍ରି ମାନ୍ଦା ଚାର୍ତେରଇଲାଇ । 12 ଆରି ଡୁମାମନ୍ ଜିସୁକେ ଜୁଆର୍ ବିଆର୍ କରି କଇଲାଇ, "ସେ ଗୁସ୍ରିମନର୍ ବିତ୍ରେ ପୁର୍ବାକେ ଆମ୍କେ ପାଟାଆ ।" 13 ଜିସୁ ସେମନ୍କେ ଆଦେସ୍ ଦେଲାଦାପ୍ରେ, ସେ ଲକର୍ ଲଗେଅନି ଡୁମାମନ୍ ବାରଇକରି ଗୁସ୍ରିମନର୍ ବିତ୍ରେ ପୁର୍ଲାଇ । ସେଡ୍କିବେଲେ, ସେ ଆଡାର୍ ବିଡ୍କିକରି ପାଲାଇଲାଇ ଆରି କୁପ୍ଲି ଅନି ଗସ୍ରିକରି ସମ୍ଦୁରେ ଜାଇ ବୁଡି ମରିଗାଲାଇ । ଆଡାରେ ଗୁସ୍ରି ମାନ୍ଦା ପାକାପାକି ଦୁଇଅଜାର୍ଟା ରଇଲାଇ ।
14 ଗୁସ୍ରିମନ୍କେ ଚାରାଇତେରଇବା ଲକ୍ମନ୍ ପାଲାଇ ଜାଇ ଗାଉଁ ଆରି ଗୁଡାମନ୍କେ ସେଟା ଜାନାଇଲାଇ । ଜାନାଇଲାଟା ସୁନି ଲକ୍ମନ୍ "ତେଇ କାଇଟା ଅଇଲାଆଚେ ?" ବଲି ଦେକ୍ବାର୍ ଆଇଲାଇ । 15 ଆରି ଲକ୍ମନ୍ ଜିସୁର୍ ଲଗେ ଆସିକରି ସେ ଡୁମା ଦାରି ରଇଲା ଜନ୍ଲକ୍କେ କି ଆଗ୍ତୁ ବାଇନି ଡୁମା ଦାରିରଇଲା, ସେ ଲକ୍ ନିମାନ୍ ଲୁଗା ପିନ୍ଦିକରି ନିକ ଲକର୍ପାରା ବସିରଇବାଟା ଦେକି ଡରିଗାଲାଇ । 16 ଆରି ଜନ୍ ଲକ୍ମନ୍ ଦେକିରଇଲାଇ, ସେମନ୍ ସେ ଡୁମା ଦାରିରଇବା ଲକ୍କେ କାଇଟା ଅଇରଇଲା, ସେଟା ଆରି ଗୁସ୍ରିମନ୍କେ ଅଇଲା ବିସଇ ସେମନ୍କେ କଇଦେଲାଇ ।
17 ତେଇ ଲକ୍ମନ୍ ଜିସୁକେ ସେମନର୍ ସନ୍ଦିଅନି ଚାଡି ଜିବାକେ ବାବୁଜିଆ କଲାଇ ।
18 ପଚେ ଜିସୁ ଡଙ୍ଗାଇ ଚଗ୍ବା ବେଲେ ଜନ୍ଲକ୍କେ ଆଗ୍ତୁ ଡୁମା ଦାରିରଇଲା, ସେ ଲକ୍ ତାର୍ ସଙ୍ଗ୍ ରଇବାକେ ବାବୁଜିଆ କଲା ।
19 ମାତର୍ ଜିସୁ ତାକେ ତେବାଇକରି କଇଲା, "ତମର୍ ଗରେ, ତମର୍ ନିଜର୍ ଲକ୍ମନର୍ ଟାନେ ଜା, ଆରି ପର୍ମେସର୍ ତର୍ପାଇ ଜନ୍ ବଡ୍ କାମ୍ କଲା ଆଚେ ଆରି ତକେ ଜନ୍ ଦୟା ଦେକାଇ ଆଚେ, ସେଟା ସବୁ ସେମନ୍କେ ଜାନାଇଦେସ୍ ।"
20 ତେଇଅନି ସେ ଲକ୍ ଜାଇକରି, ଜିସୁ ତାର୍ପାଇ ଜନ୍ ବଡ୍ କାମ୍ କରିରଇଲା, ସେ ସବୁ ଦେକାପଲି ନଅରେ, ଗାଉଁମନ୍କେ କଇବୁଲ୍ଲା । ତେଇ ସବୁଲକ୍ କାବା ଅଇଗାଲାଇ ।