Publicidade

1 João 4

ଆତ୍ମାମାନର ପରୀକ୍ଷା

1 ହେ ପ୍ରିୟମାନେ, ପ୍ରତ୍ୟେକ ଆତ୍ମାଙ୍କୁ ବିଶ୍ୱାସ କର ନାହିଁ, ବରଂ ଆତ୍ମାମାନେ ଈଶ୍ବରଙ୍କଠାରୁ ଆଗତ କି ନାହିଁ, ଏହା ସେମାନଙ୍କୁ ପରୀକ୍ଷା କରି ଦେଖ, କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀ ବାହାରି ଅଛନ୍ତି। 2 ଏହା ଦ୍ୱାରା ତୁମ୍ଭେମାନେ ଈଶ୍ବରଙ୍କ ଆତ୍ମାଙ୍କୁ ଚିହ୍ନି ପାରିବ, ଯୀଶୁ ଖ୍ରୀଷ୍ଟ ଯେ ଦେହବନ୍ତ ହୋଇ ଆସିଅଛନ୍ତି, ଏହା ଯେକୌଣସି ଆତ୍ମା ସ୍ୱୀକାର କରେ, ସେ ଈଶ୍ବରଙ୍କଠାରୁ ଆଗତ, 3 ଆଉ ଯେକୌଣସି ଆତ୍ମା ଯୀଶୁଙ୍କୁ ସ୍ୱୀକାର ନ କରେ, ସେ ଈଶ୍ବରଙ୍କଠାରୁ ଆଗତ ନୁହେଁ; ଏହା ଭଣ୍ଡଖ୍ରୀଷ୍ଟର ଆତ୍ମା, ଯାହାର ଆଗମନ କଥା ତୁମ୍ଭେମାନେ ଶୁଣିଅଛ, ପୁଣି, ତାହା ଏବେ ହେଁ ଜଗତରେ ଉପସ୍ଥିତ ହୋଇଅଛି। 4 ହେ ବତ୍ସଗଣ, ତୁମ୍ଭେମାନେ ଈଶ୍ବରଙ୍କଠାରୁ ଜାତ, ଆଉ ତୁମ୍ଭେମାନେ ସେମାନଙ୍କୁ ଜୟ କରିଅଛ, କାରଣ ତୁମ୍ଭମାନଙ୍କଠାରେ ଯେ ଅଛନ୍ତି, ସେ, ଜଗତରେ ଯେ ଅଛି, ତାହାଠାରୁ ମହାନ। 5 ସେମାନେ ଜଗତରୁ ଉତ୍ପନ୍ନ, ଅତଏବ ସେମାନେ ଜାଗତିକ କଥା କହନ୍ତି, ଆଉ ଜଗତ ସେମାନଙ୍କ କଥା ଶୁଣେ। 6 କିନ୍ତୁ ଆମ୍ଭେମାନେ ଈଶ୍ବରଙ୍କଠାରୁ ଜାତ; ଯେ ଈଶ୍ବରଙ୍କୁ ଜାଣେ, ସେ ଆମ୍ଭମାନଙ୍କ କଥା ଶୁଣେ; ଯେ ଈଶ୍ବରଙ୍କଠାରୁ ଜାତ ନୁହେଁ, ସେ ଆମ୍ଭମାନଙ୍କ କଥା ଶୁଣେ ନାହିଁ। ଏତଦ୍ଵାରା ଆମ୍ଭେମାନେ ସତ୍ୟମୟ ଆତ୍ମା ଓ ଭ୍ରାନ୍ତିପୂର୍ଣ୍ଣ ଆତ୍ମାକୁ ଚିହ୍ନି ପାରୁ।

ଈଶ୍ବର ପ୍ରେମମୟ

7 ହେ ପ୍ରିୟମାନେ, ଆସ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ, କାରଣ ପ୍ରେମ ଈଶ୍ବରଙ୍କଠାରୁ ଜାତ, ଆଉ ଯେ କେହି ପ୍ରେମ କରେ, ସେ ଈଶ୍ବରଙ୍କଠାରୁ ଜାତ ଓ ଈଶ୍ବରଙ୍କୁ ଜାଣେ। 8 ଯେ ପ୍ରେମ କରେ ନାହିଁ, ସେ ଈଶ୍ବରଙ୍କୁ ଜାଣେ ନାହିଁ, କାରଣ ଈଶ୍ବର ତ ପ୍ରେମ। 9 ଏଥିରେ ହିଁ ଈଶ୍ବରଙ୍କ ପ୍ରେମ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହୋଇଅଛି ଯେ, ସେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ପ୍ରେରଣ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଜୀବନ ପ୍ରାପ୍ତ ହେଉ। 10 ଆମ୍ଭେମାନେ ଯେ ଈଶ୍ବରଙ୍କୁ ପ୍ରେମ କଲୁ, ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ପ୍ରେମ କଲେ, ପୁଣି, ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ କରି ପଠାଇଲେ; ଏଥିରେ ତ ପ୍ରେମ ପ୍ରକାଶ ପାଏ। 11 ହେ ପ୍ରିୟମାନେ, ଈଶ୍ବର ଯଦି ଆମ୍ଭମାନଙ୍କୁ ଏପରି ପ୍ରେମ କଲେ, ତେବେ ଆମ୍ଭମାନଙ୍କର ମଧ୍ୟ ପରସ୍ପରକୁ ପ୍ରେମ କରିବା ଉଚିତ୍। 12 କେହି କେବେ ଈଶ୍ବରଙ୍କୁ ଦେଖି ନାହିଁ; ଆମ୍ଭେମାନେ ଯଦି ପରସ୍ପରକୁ ପ୍ରେମ କରୁ, ତାହାହେଲେ ଈଶ୍ବର ଆମ୍ଭମାନଙ୍କଠାରେ ଅଛନ୍ତି ଓ ତାହାଙ୍କ ପ୍ରେମ ଆମ୍ଭମାନଙ୍କଠାରେ ସିଦ୍ଧ ହୋଇଅଛି। 13 ଆମ୍ଭେମାନେ ଯେ ତାହାଙ୍କଠାରେ ଅଛୁ ଓ ସେ ଆମ୍ଭମାନଙ୍କଠାରେ ଅଛନ୍ତି, ଏହା ଆମ୍ଭେମାନେ ଜାଣୁ, କାରଣ ସେ ଆମ୍ଭମାନଙ୍କୁ ଆପଣା ଆତ୍ମାଙ୍କର ସହଭାଗିତା ଦାନ କରିଅଛନ୍ତି। 14 ପିତା ଯେ ପୁତ୍ରଙ୍କୁ ଜଗତର ତ୍ରାଣକର୍ତ୍ତା ହେବା ନିମନ୍ତେ ପ୍ରେରଣ କରିଅଛନ୍ତି, ଏହା ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ। 15 ଯେ କେହି ଯୀଶୁଙ୍କୁ ଈଶ୍ବରଙ୍କ ପୁତ୍ର ବୋଲି ସ୍ୱୀକାର କରେ, ଈଶ୍ବର ତାହାଠାରେ ଅଛନ୍ତି ଓ ସେ ଈଶ୍ବରଙ୍କଠାରେ ଅଛି। 16 ପୁଣି, ଆମ୍ଭମାନଙ୍କ ପ୍ରତି ଈଶ୍ବରଙ୍କର ଯେଉଁ ପ୍ରେମ ଅଛି, ତାହା ଆମ୍ଭେମାନେ ଜାଣିଅଛୁ ଓ ବିଶ୍ୱାସ କରିଅଛୁ। ଈଶ୍ବର ତ ପ୍ରେମ; ଯେ ପ୍ରେମରେ ରହେ, ସେ ଈଶ୍ବରଙ୍କଠାରେ ରହେ ଓ ଈଶ୍ବର ତାହାଠାରେ ରହନ୍ତି। 17 ଏଥିରେ ପ୍ରେମ ଆମ୍ଭମାନଙ୍କ ମଧ୍ୟରେ ସିଦ୍ଧ ହୋଇଅଛି ଯେ, ବିଚାର ଦିନରେ ଆମ୍ଭେମାନେ ସାହସ ପ୍ରାପ୍ତ ହେବୁ, କାରଣ ସେ ଯେପରି ଅଛନ୍ତି, ଆମ୍ଭେମାନେ ମଧ୍ୟ ଏହି ଜଗତରେ ସେହିପରି ଅଛୁ। 18 ପ୍ରେମରେ ଭୟ ନ ଥାଏ, କିନ୍ତୁ ସିଦ୍ଧ ପ୍ରେମ ଭୟକୁ ଦୂର କରେ, କାରଣ ଭୟ ଦଣ୍ଡ ସହିତ ସଂଯୁକ୍ତ, ଆଉ ଯେ ଭୟ କରେ, ସେ ପ୍ରେମରେ ସିଦ୍ଧ ନୁହେଁ। 19 ସେ ପ୍ରଥମରେ ଆମ୍ଭମାନଙ୍କୁ ପ୍ରେମ କରିବାରୁ ଆମ୍ଭେମାନେ ପ୍ରେମ କରୁ। 20 ଈଶ୍ବରଙ୍କୁ ପ୍ରେମ କରୁଅଛି ବୋଲି କହି ଯଦି କେହି ଆପଣା ଭାଇକୁ ଘୃଣା କରେ, ତାହାହେଲେ ସେ ମିଥ୍ୟାବାଦୀ, ଯେଣୁ ଯେଉଁ ଭାଇକୁ ଦେଖିଅଛି, ଯଦି ତାହାକୁ କେହି ପ୍ରେମ ନ କରେ, ତାହାହେଲେ ଯେଉଁ ଈଶ୍ବରଙ୍କୁ ସେ ଦେଖି ନାହିଁ, ତାହାଙ୍କୁ ପ୍ରେମ କରିପାରେ ନାହିଁ। 21 ଯେ ଈଶ୍ବରଙ୍କୁ ପ୍ରେମ କରେ, ସେ ଆପଣା ଭାଇକୁ ମଧ୍ୟ ପ୍ରେମ କରୁ, ଏହି ଆଜ୍ଞା ଆମ୍ଭେମାନେ ତାହାଙ୍କଠାରୁ ପାଇଅଛୁ।

Veja também

Publicidade
1 João
Ver todos os capítulos de 1 João
Bíblia Online Bíblia Online

Bíblia Online • Versão: 2026-06-15_21-32-39-