Publicidade

1 Pedro 5

ଈଶ୍ବରଙ୍କ ପଲର ପ୍ରତିପାଳନ

1 ଅତଏବ, ଜଣେ ସହ-ପ୍ରାଚୀନ ପୁଣି, ଖ୍ରୀଷ୍ଟଙ୍କ ଦୁଃଖଭୋଗର ସାକ୍ଷୀ ଏବଂ ମୁଁ ଯେ ଆଗାମୀ ଗୌରବର ଅଂଶାଧିକାରୀ, ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରାଚୀନମାନଙ୍କୁ ଅନୁରୋଧ କରୁଅଛି, 2 ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଥିବା ଈଶ୍ବରଙ୍କ ପଲକୁ ପ୍ରତିପାଳନ କର, ବାଧ୍ୟ ହୋଇ ନୁହେଁ, ମାତ୍ର ଈଶ୍ବରଙ୍କ ଇଚ୍ଛାନୁଯାୟୀ ସ୍ୱଚ୍ଛନ୍ଦ ମନରେ, ଅନ୍ୟାୟ ଲାଭ ନିମନ୍ତେ ନୁହେଁ, କିନ୍ତୁ ଆଗ୍ରହ ସହକାରେ ତାହା କର; 3 ପୁଣି, ଯେଉଁମାନଙ୍କର ଦାୟିତ୍ୱଭାର ତୁମ୍ଭମାନଙ୍କ ହସ୍ତରେ ସମର୍ପିତ ଅଛି, ସେମାନଙ୍କ ଉପରେ କର୍ତ୍ତାପଣ ନ କରି ପଲର ଆଦର୍ଶ ସ୍ୱରୂପ ହୋଇ ତାହା କର। 4 ସେଥିରେ ପ୍ରଧାନ ପାଳକ ପ୍ରକାଶିତ ହେବା ସମୟରେ ତୁମ୍ଭେମାନେ ଗୌରବର ଅକ୍ଷୟ ମୁକୁଟ ପାଇବ। 5 ସେହିପରି, ହେ ଯୁବକମାନେ, ତୁମ୍ଭେମାନେ ପ୍ରାଚୀନମାନଙ୍କର ବଶୀଭୂତ ହୁଅ। ସମସ୍ତେ ପରସ୍ପର ପ୍ରତି ନମ୍ରତାରୂପ ବସ୍ତ୍ର ପରିଧାନ କର, କାରଣ,

"ଈଶ୍ବର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରି,

ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।"

6 ଅତଏବ, ଈଶ୍ବରଙ୍କ ବଳବନ୍ତ ହସ୍ତ ତଳେ ଆପଣା ଆପଣାକୁ ନତ କର, ଯେପରି ସେ ତୁମ୍ଭମାନଙ୍କୁ ଯଥା ସମୟରେ ଉନ୍ନତ କରିବେ; 7 ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି। 8 ସଚେତନ ହୋଇ ଜାଗ୍ରତ ରୁହ। ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହପ୍ରାୟ ଗର୍ଜ୍ଜନ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି; 9 ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର, ପୁଣି, ଏହା ଜାଣ ଯେ, ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖଭୋଗ ଘଟୁଅଛି। 10 ସମସ୍ତ ଅନୁଗ୍ରହର ଆକର ଯେଉଁ ଈଶ୍ବର ଆପଣା ଅନନ୍ତ ଗୌରବର ସହଭାଗୀ ହେବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ତୁମ୍ଭମାନଙ୍କ କ୍ଷଣିକ ଦୁଃଖଭୋଗ ଉତ୍ତାରେ ତୁମ୍ଭମାନଙ୍କୁ ସିଦ୍ଧ, ସୁସ୍ଥିର, ସବଳ ଓ ସଂସ୍ଥାପିତ କରିବେ। 11 ପରାକ୍ରମ ଯୁଗେ ଯୁଗେ ତାହାଙ୍କର। ଆମେନ୍‍।

ଶେଷ ସମ୍ଭାଷଣ

12 ଈଶ୍ବରଙ୍କ ସତ୍ୟ ଅନୁଗ୍ରହ ଯେ ଏହି ପ୍ରକାର, ଏହି ବିଷୟରେ ସାକ୍ଷ୍ୟ ଦେଇ ତୁମ୍ଭମାନଙ୍କୁ ଉତ୍ସାହ ଦେବା ନିମନ୍ତେ ସିଲ୍ୱାନଙ୍କ ଦ୍ୱାରା ମୁଁ ସଂକ୍ଷେପରେ ପତ୍ର ଲେଖିଲି; ମୋʼ ବୋଧରେ ସେ ଜଣେ ବିଶ୍ୱସ୍ତ ଭ୍ରାତା। ତୁମ୍ଭେମାନେ ଏହି ଅନୁଗ୍ରହରେ ସୁସ୍ଥିର ହୋଇଥାଅ। 13 ତୁମ୍ଭମାନଙ୍କ ସହିତ ମନୋନୀତ ବାବିଲସ୍ଥ ମଣ୍ଡଳୀ ଓ ମୋହର ପୁତ୍ର ମାର୍କ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। 14 ପ୍ରେମ ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର। ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ।

Veja também

Publicidade
1 Pedro
Ver todos os capítulos de 1 Pedro
Bíblia Online Bíblia Online

Bíblia Online • Versão: 2026-06-18_14-04-22-