10 ପୁଣି, ହାନ୍ନା ତିକ୍ତମନା ହୋଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ କରୁ ଅତିଶୟ ରୋଦନ କଲା। 11 ପୁଣି, ସେ ଏକ ମାନତ ମନାସି କହିଲା; "ହେ ସୈନ୍ୟାଧିପତି ସଦାପ୍ରଭୋ, ଯେବେ ତୁମ୍ଭେ ଆପଣା ଦାସୀର ଦୁଃଖ ପ୍ରତି ନିତାନ୍ତ ଦୃଷ୍ଟିପାତ କରିବ ଓ ମୋତେ ସ୍ମରଣ କରି ଆପଣା ଦାସୀକୁ ପାସୋରିବ ନାହିଁ, ମାତ୍ର ଆପଣା ଦାସୀକୁ ଗୋଟିଏ ପୁରୁଷ-ସନ୍ତାନ ଦେବ, ତେବେ ମୁଁ ତାହାର ଯାବଜ୍ଜୀବନ ତାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିବି ଓ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ।"
12 ଏହିରୂପେ ସେ ସଦାପ୍ରଭୁଙ୍କ ସାକ୍ଷାତରେ ପ୍ରାର୍ଥନା କରୁଥିବା ସମୟରେ ଏଲି ତାହାର ମୁଖକୁ ଅନାଇଲେ। 13 ସେସମୟରେ ହାନ୍ନା ଆପଣା ମନେ ମନେ କଥା କହୁଥିଲା; କେବଳ ତାହାର ଓଷ୍ଠ ହଲୁଥିଲା, ମାତ୍ର ତାହାର ରବ ଶୁଣାଯାଉ ନ ଥିଲା; ତେଣୁ ସେ ମତ୍ତ ହୋଇଥିବ ବୋଲି ଏଲି ବିଚାର କଲେ। 14 ତହିଁରେ ଏଲି ତାହାକୁ କହିଲେ, "ତୁମ୍ଭେ କେତେ କାଳ ମତ୍ତ ହୋଇଥିବ? ତୁମ୍ଭ ଦ୍ରାକ୍ଷାରସ ତୁମ୍ଭଠାରୁ ଦୂର କର।" 15 ଏଥିରେ ହାନ୍ନା ଉତ୍ତର ଦେଇ କହିଲା, "ନା, ମୋହର ପ୍ରଭୋ, ମୁଁ ଦୁଃଖିନୀ ସ୍ତ୍ରୀ; ମୁଁ ଦ୍ରାକ୍ଷାରସ କି ମଦ୍ୟ ପାନ କରି ନାହିଁ, ମାତ୍ର ସଦାପ୍ରଭୁଙ୍କ ସମ୍ମୁଖରେ ମୁଁ ଆପଣା ପ୍ରାଣ (ବେଦନା) ଢାଳୁଥିଲି।" 16 ଆପଣା ଦାସୀକୁ ବେକାର ସ୍ତ୍ରୀ1:16 ବେକାର ସ୍ତ୍ରୀ ବେଲିଆଲ୍ କନ୍ୟା ବୋଲି ଜ୍ଞାନ ନ କର; ମୁଁ ଆପଣା ଚିନ୍ତା ଓ ବିରକ୍ତିର ବାହୁଲ୍ୟ ସକାଶୁ ଏପର୍ଯ୍ୟନ୍ତ କଥା କହୁଥିଲି। 17 ତହିଁରେ ଏଲି ଉତ୍ତର ଦେଇ କହିଲେ, "କୁଶଳରେ ଯାଅ; ଯାହା ତୁମ୍ଭେ ମାଗିଲ, ଇସ୍ରାଏଲର ପରମେଶ୍ୱର ତୁମ୍ଭର ସେହି ନିବେଦନ ଅନୁସାରେ ତୁମ୍ଭକୁ ଦେଉନ୍ତୁ।" 18 ତହୁଁ ସେ କହିଲା, "ତୁମ୍ଭ ଦାସୀ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହପ୍ରାପ୍ତ ହେଉ।" ଆଉ ସେ ସ୍ତ୍ରୀ ଆପଣା ପଥରେ ଗଲା ଓ ଭୋଜନ କଲା, ପୁଣି, ତାହାର ମୁଖ ଆଉ ବିଷଣ୍ଣ ନୋହିଲା।
ଶାମୁୟେଲଙ୍କ ଜନ୍ମ ଓ ଉତ୍ସର୍ଗ
19 ଏଉତ୍ତାରେ ସେମାନେ ଅତି ପ୍ରଭାତରେ ଉଠି ସଦାପ୍ରଭୁଙ୍କ ଆରାଧନା କରି ଫେରିଲେ ଓ ଆପଣାମାନଙ୍କ ବାସସ୍ଥାନ ରାମାକୁ ଆସିଲେ; ଆଉ ଇଲ୍କାନା ଆପଣା ଭାର୍ଯ୍ୟା ହାନ୍ନାର ସହବାସ କରନ୍ତେ, ସଦାପ୍ରଭୁ ତାହାକୁ ସ୍ମରଣ କଲେ। 20 ପୁଣି, ସମୟ ଉପସ୍ଥିତ ହୁଅନ୍ତେ, ହାନ୍ନା ଗର୍ଭଧାରଣ କରି ପୁତ୍ର ପ୍ରସବ କଲା; "ଆଉ ମୁଁ ସଦାପ୍ରଭୁଙ୍କୁ ମାଗିଥିଲି, ଏହା କହି ତାହାର ନାମ ଶାମୁୟେଲ (ପରମେଶ୍ୱର ଦତ୍ତ) ରଖିଲା।"