Publicidade

Rute 4

ବୋୟଜ-ରୂତ ବିବାହ

1 ଏଥିଉତ୍ତାରେ ବୋୟଜ ନଗର-ଦ୍ୱାରକୁ ଯାଇ ସେଠାରେ ବସିଲା, ତହିଁରେ ଦେଖ, ସେ ଯେଉଁ ମୁକ୍ତିକର୍ତ୍ତା ଜ୍ଞାତି ବିଷୟ କହିଥିଲା, ସେ ସେଠାକୁ ଆସନ୍ତେ, ବୋୟଜ ତାହାକୁ ଡାକି କହିଲା, "ହେ ବନ୍ଧୁ, ଏଠିକି ଆସି ବସ," ଏଣୁ ସେ ଆସି ସେଠାରେ ବସିଲା। 2 ତହୁଁ ସେ ନଗରସ୍ଥ ଦଶ ଜଣ ପ୍ରାଚୀନଙ୍କୁ ନେଇ କହିଲା, "ତୁମ୍ଭେମାନେ ଏଠାରେ ବସ," ତେଣୁ ସେମାନେ ବସିଲେ। 3 ଏଥିରେ ବୋୟଜ ସେହି ମୁକ୍ତିକର୍ତ୍ତା ଜ୍ଞାତିକୁ କହିଲା, "ଆମ୍ଭମାନଙ୍କ ଭ୍ରାତା ଏଲିମେଲକର ଯେଉଁ ଭୂମିଖଣ୍ଡ ଥିଲା, ତାହା ମୋୟାବ ଦେଶରୁ ଫେରି ଆସିଥିବା ନୟମୀ ବିକ୍ରୟ କରୁଅଛି। 4 ଏଣୁ ମୁଁ ତୁମ୍ଭକୁ ଏହା ଜଣାଇବାକୁ ମନସ୍ଥ କଲି, ‘ତୁମ୍ଭେ ନଗର-ଦ୍ୱାରରେ ଉପସ୍ଥିତ ଲୋକମାନଙ୍କ ସାକ୍ଷାତରେ ଓ ଆମ୍ଭ ବଂଶୀୟ ପ୍ରାଚୀନଗଣର ସାକ୍ଷାତରେ ତାହା କ୍ରୟ କର।’ ଯେବେ ତୁମ୍ଭେ ମୁକ୍ତ କରିବ, ତେବେ କର, ମାତ୍ର ଯେବେ ନ କରିବ, ତେବେ ମୋତେ ଜଣାଅ, ମୁଁ ଜାଣିବାକୁ ଚାହେଁ; ଯେହେତୁ ତୁମ୍ଭେ ମୁକ୍ତ କଲେ ଆଉ କେହି କରି ନ ପାରେ, ମାତ୍ର ତୁମ୍ଭ ଉତ୍ତାରେ ମୁଁ ଅଛି।" ତହିଁରେ ସେ କହିଲା, "ମୁଁ ତାହା ମୁକ୍ତ କରିବି।" 5 ତେବେ ବୋୟଜ କହିଲା, "ତୁମ୍ଭେ ଯେଉଁ ଦିନ ନୟମୀର ହସ୍ତରୁ ସେହି କ୍ଷେତ୍ର କିଣିବ, ସେହି ଦିନ ମୃତ ଲୋକର ଅଧିକାରରେ ତାହାର ନାମ ରକ୍ଷା କରିବା ନିମନ୍ତେ ତାହାର ସ୍ତ୍ରୀ ମୋୟାବ ଦେଶୀୟା ରୂତଠାରୁ ହିଁ ତାହା କିଣିବାକୁ ହେବ।" 6 ଏଥିରେ ସେହି ମୁକ୍ତିକର୍ତ୍ତା ଜ୍ଞାତି କହିଲା, "ମୁଁ ନିଜ ନିମନ୍ତେ ତାହା ମୁକ୍ତ କରି ନ ପାରେ, ତାହା କଲେ, ମୋହର ନିଜ ଅଧିକାରର କ୍ଷତି ହେବ; ତୁମ୍ଭେ ମୋହର ମୁକ୍ତି କରିବା କ୍ଷମତା ନିଅ, କାରଣ ମୁଁ ମୁକ୍ତ କରି ନ ପାରେ।"

7 ମୁକ୍ତି ଓ ପାଲଟ ବିଷୟକ ସବୁ କଥା ସ୍ଥିର କରିବା ପାଇଁ ପୂର୍ବକାଳରେ ଇସ୍ରାଏଲ ବଂଶର ଏହିରୂପ ରୀତି ଥିଲା ଯେ, ଜଣେ ନିଜ ପାଦୁକା କାଢ଼ି ଅନ୍ୟ ଜଣକୁ ଦେଲା, ଆଉ ଏହା ଇସ୍ରାଏଲ ମଧ୍ୟରେ ସାକ୍ଷ୍ୟ ସ୍ୱରୂପ ହେଲା। 8 ଏଣୁ ସେ ମୁକ୍ତିକର୍ତ୍ତା ଜ୍ଞାତି ଯେତେବେଳେ ବୋୟଜକୁ କହିଲା, "ତୁମ୍ଭେ ଆପେ ତାହା କିଣ," ସେତେବେଳେ ସେ ନିଜ ପାଦୁକା କାଢ଼ି ଦେଲା। 9 ତହୁଁ ବୋୟଜ ପ୍ରାଚୀନଗଣକୁ ଓ ସମସ୍ତ ଲୋକଙ୍କୁ କହିଲା, "ଏଲିମେଲକର ଯାହା ଯାହା ଥିଲା ଓ କିଲୀୟୋନର ଓ ମହଲୋନର ଯାହା ଯାହା ଥିଲା, ତାହା ମୁଁ ନୟମୀଠାରୁ କ୍ରୟ କଲି, ଏ ବିଷୟରେ ତୁମ୍ଭେମାନେ ଆଜି ମୋହର ସାକ୍ଷୀ ହେଲ। 10 ଆହୁରି ନିଜ ଭ୍ରାତୃଗଣ ମଧ୍ୟରୁ ଓ ନିଜ ବସତି ସ୍ଥାନର ଦ୍ୱାରରୁ ସେହି ମୃତ ବ୍ୟକ୍ତିର ନାମ ଯେପରି ଲୋପ ନୋହିବ, ଏଥିପାଇଁ ସେହି ମୃତ ଲୋକର ଅଧିକାରରେ ତାହାର ନାମ ରକ୍ଷା କରିବା ପାଇଁ ମୁଁ ମହଲୋନର ସ୍ତ୍ରୀ ମୋୟାବ ଦେଶୀୟା ରୂତକୁ ନିଜ ସ୍ତ୍ରୀ ରୂପେ ଲାଭ କଲି ଆଜି ତୁମ୍ଭେମାନେ ଏ ବିଷୟର ସାକ୍ଷୀ ହେଲ।" 11 ତହିଁରେ ନଗରଦ୍ୱାରବର୍ତ୍ତୀ ସମସ୍ତ ଲୋକ ଓ ପ୍ରାଚୀନଗଣ କହିଲେ, "ଆମ୍ଭେମାନେ ସାକ୍ଷୀ ହେଲୁ, ସଦାପ୍ରଭୁ ଇସ୍ରାଏଲ ବଂଶର ବୃଦ୍ଧିକାରିଣୀ ରାହେଲ ଓ ଲେୟା, ଦୁଇ ସ୍ତ୍ରୀର ତୁଲ୍ୟ ତୁମ୍ଭ ଗୃହକୁ ଆଗତା ଏହି ସ୍ତ୍ରୀକୁ କରନ୍ତୁ; ଆଉ, ତୁମ୍ଭେ ଇଫ୍ରାଥାରେ ବିକ୍ରମଶାଳୀ ହୁଅ ଓ ବେଥଲିହିମରେ ତୁମ୍ଭର ବିଖ୍ୟାତ ହେଉ। 12 ସଦାପ୍ରଭୁ ଏହି ଯୁବତୀ ଦ୍ୱାରା ତୁମ୍ଭକୁ ଯେଉଁ ସନ୍ତାନ ଦେବେ, ତାହା ଦ୍ୱାରା ତୁମ୍ଭର ବଂଶ ତାମର ଗର୍ଭରେ ଯିହୁଦାର ଜନ୍ମିତ ପେରସର ବଂଶ ତୁଲ୍ୟ ହେଉ।"

ବୋୟଜ ଏବଂ ତାଙ୍କ ବଂଶଧର

13 ଏରୂପେ ବୋୟଜ ରୂତକୁ ବିବାହ କରନ୍ତେ, ସେ ତାହାର ସ୍ତ୍ରୀ ହେଲା, ପୁଣି ତାହାର ସହବାସ କରନ୍ତେ, ସେ ସଦାପ୍ରଭୁଙ୍କଠାରୁ ଗର୍ଭଧାରଣ ଶକ୍ତି ପାଇ ପୁତ୍ର ପ୍ରସବ କଲା। 14 ଏଣୁ ସ୍ତ୍ରୀମାନେ ନୟମୀକି କହିଲେ, "ଧନ୍ୟ ସଦାପ୍ରଭୁ, ସେ ଆଜି ତୁମ୍ଭକୁ ମୁକ୍ତିକର୍ତ୍ତା ଜ୍ଞାତିହୀନ କରି ନାହାନ୍ତି; ଇସ୍ରାଏଲ ବଂଶରେ ଏହି ବାଳକର ନାମ ବିଖ୍ୟାତ ହେଉ। 15 ପୁଣି ସେ ତୁମ୍ଭର ପ୍ରାଣ ସଜୀବକାରୀ ଓ ତୁମ୍ଭ ବୃଦ୍ଧାବସ୍ଥାରେ ତୁମ୍ଭର ପ୍ରତିପାଳକ ହେବ; ଯେହେତୁ ଯେ ତୁମ୍ଭକୁ ପ୍ରେମ କରେ ଓ ସାତ ପୁତ୍ରଠାରୁ ତୁମ୍ଭ ପ୍ରତି ଅଧିକ ଉତ୍ତମ ଯେ ତୁମ୍ଭର ପୁତ୍ରବଧୂ, ସେ ତାହାକୁ ପ୍ରସବ କରିଅଛି।" 16 ସେତେବେଳେ ନୟମୀ ବାଳକକୁ ଘେନି ନିଜ କୋଳରେ ରଖିଲା ଓ ତାହାକୁ ପ୍ରତିପାଳନ କଲା। 17 "ଏଉତ୍ତାରୁ ନୟମୀର ଏକ ପୁତ୍ର ଜନ୍ମିଅଛି," ଏହି କଥା କହି ପ୍ରତିବାସିନୀ ସ୍ତ୍ରୀମାନେ ତାହାର ନାମକରଣ କଲେ; ସେମାନେ ତାହାର ନାମ ଓବେଦ୍‍ (ସେବକ) ରଖିଲେ। ସେ ଦାଉଦର ପିତାମହ ଯିଶୀର ପିତାମହ।

ଦାଉଦଙ୍କର ବଂଶାବଳୀ

18 ପେରସର ବଂଶାବଳୀ ଏହି, ପେରସର ପୁତ୍ର ହିଷ୍ରୋଣ; 19 ହିଷ୍ରୋଣର ପୁତ୍ର ରାମ୍‍ ଓ ରାମ୍‍ର ପୁତ୍ର ଅମ୍ମୀନାଦବ 20 ଓ ଅମ୍ମୀନାଦବର ପୁତ୍ର ନହଶୋନ ଓ ନହଶୋନର ପୁତ୍ର ସଲମୋନ 21 ଓ ସଲମୋନର ପୁତ୍ର ବୋୟଜ ଓ ବୋୟଜର ପୁତ୍ର ଓବେଦ୍‍ 22 ଓବେଦ୍‍ର ପୁତ୍ର ଯିଶୀ ଓ ଯିଶୀର ପୁତ୍ର ଦାଉଦ।

Veja também

Publicidade
Rute
Ver todos os capítulos de Rute
Bíblia Online Bíblia Online

Bíblia Online • Versão: 2026-06-15_21-32-39-