Publicidade

1 Tessalonicenses 5

ପ୍ରଭୁଙ୍କ ଆଗମନର ଦିନ

1 କିନ୍ତୁ, ହେ ଭାଇମାନେ, କାଳ ଓ ନିର୍ଦ୍ଧିଷ୍ଟ ସମୟ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବା ଆବଶ୍ୟକ ନାହିଁ,

2 କାରଣ ରାତ୍ରିରେ ଚୋର ଆସିଲା ପରି ପ୍ରଭୁଙ୍କ ଦିନ ଯେ ଆସିବ, ଏହା ତୁମ୍ଭେମାନେ ଉତ୍ତମ ରୂପେ ଜାଣ।

3 ଯେତେବେଳେ ଲୋକେ ଶାନ୍ତି ଓ ନିରାପଦ ବୋଲି କହୁଥିବେ, ସେତେବେଳେ ଗର୍ଭବତୀର ପ୍ରସବବେଦନା ତୁଲ୍ୟ ହଠାତ୍‍ ସେମାନଙ୍କ ବିନାଶ ଉପସ୍ଥିତ ହେବ, ଆଉ ସେମାନେ କୌଣସି ପ୍ରକାରେ ରକ୍ଷା ପାଇ ପାରିବେ ନାହିଁ।

4 କିନ୍ତୁ, ହେ ଭାଇମାନେ, ତୁମ୍ଭେମାନେ ଅନ୍ଧକାରରେ ନାହଁ ଯେ ସେ ଦିନ ଚୋର ପରି ଅନପେକ୍ଷିତ ଭାବରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେବ,

5 କାରଣ ତୁମ୍ଭେମାନେ ସମସ୍ତେ ଆଲୋକ ଓ ଦିବସର ସନ୍ତାନ। ଆମ୍ଭେମାନେ ରାତ୍ରି କି ଅନ୍ଧକାରର ସନ୍ତାନ ନୋହୁଁ;

6 ଅତଏବ ଆସ ଆମ୍ଭେମାନେ ଅଣଯିହୁଦୀମାନଙ୍କ ପରି ନିଦ୍ରିତ ନ ହେଉ, ମାତ୍ର ଜାଗ୍ରତ ହୋଇ ସଚେତନ ରହିବା।

7 ଯେଣୁ ଯେଉଁମାନେ ନିଦ୍ରା ଯାଆନ୍ତି, ଆଉ ଯେଉଁମାନେ ମାତାଲ ହୁଅନ୍ତି, ସେମାନେ ରାତ୍ରିରେ ମାତାଲ ହୁଅନ୍ତି।

8 କିନ୍ତୁ ଆସ, ଆମ୍ଭେମାନେ ଦିବସର ସନ୍ତାନ ହେବାରୁ ବିଶ୍ୱାସ ଓ ପ୍ରେମରୂପ ଊରସ୍ତ୍ରାଣ ପରିଧାନ କରି, ପରିତ୍ରାଣର ଭରସା ରୂପ ଶିରସ୍ତ୍ରାଣ ମସ୍ତକରେ ଦେଇ ସଚେତନ ରହିଥାଉ।

9 କାରଣ ଈଶ୍ବର ଆମ୍ଭମାନଙ୍କୁ କ୍ରୋଧର ପାତ୍ର ହେବା ନିମନ୍ତେ ନିରୂପଣ ନ କରି ବରଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ନିରୂପଣ କରିଅଛନ୍ତି।

10 ସେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ଯେପରି ଆମ୍ଭେମାନେ ଜାଗ୍ରତ ଥାଉ କିମ୍ବା ନିଦ୍ରିତ ଥାଉ ତାହାଙ୍କ ସହିତ ଜୀବିତ ରହିବୁ।

11 ଏଣୁ ଯେପରି କରୁଅଛ, ସେହିପରି ପରସ୍ପରକୁ ସାନ୍ତ୍ୱନା ଦିଅ, ପୁଣି, ପରସ୍ପରର ନିଷ୍ଠା ଜନ୍ମାଅ।

ଶେଷ ପରାମର୍ଶ ଏବଂ ଆଶିଷ

12 ହେ ଭାଇମାନେ, ଆମ୍ଭେମାନେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ, ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ପରିଶ୍ରମ କରନ୍ତି ଓ ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ନେତା ସ୍ୱରୂପେ ନିଯୁକ୍ତ ହୋଇ ତୁମ୍ଭମାନଙ୍କୁ ଚେତନା ଦିଅନ୍ତି, ସେମାନଙ୍କୁ ମାନ୍ୟ କର,

13 ପୁଣି, ସେମାନଙ୍କ କାର୍ଯ୍ୟ ସକାଶେ ସେମାନଙ୍କୁ ପ୍ରେମରେ ଅତ୍ୟନ୍ତ ଆଦର କର। ପରସ୍ପର ସଙ୍ଗରେ ଶାନ୍ତିରେ ରୁହ।

14 ହେ ଭାଇମାନେ, ଆମ୍ଭେମାନେ ତୁମ୍ଭମାନଙ୍କୁ ନିବେଦନ କରୁଅଛୁ, ଅବିହିତ ଆଚରଣ କରୁଥିବା ଲୋକମାନଙ୍କୁ ଚେତନା ଦିଅ, ସାହସ ହୀନମାନଙ୍କୁ ସାନ୍ତ୍ୱନା ଦିଅ, ଦୁର୍ବଳମାନଙ୍କୁ ସାହାଯ୍ୟ କର, ସମସ୍ତଙ୍କ ପ୍ରତି ଦୀର୍ଘସହିଷ୍ଣୁ ହୁଅ।

15 ସାବଧାନ, କେହି କାହାରି ପ୍ରତି ଅପକାର ବଦଳରେ ଅପକାର ନ କରୁ, ବରଂ ତୁମ୍ଭେମାନେ ସର୍ବଦା ପରସ୍ପରର ଓ ସମସ୍ତଙ୍କର ମଙ୍ଗଳ କରିବାକୁ ସଚେଷ୍ଟା ହୁଅ।

16 ସର୍ବଦା ଆନନ୍ଦ କର; ନିରନ୍ତର ପ୍ରାର୍ଥନା କର;

17 ସବୁ ଅବସ୍ଥାରେ ଧନ୍ୟବାଦ ଦିଅ;

18 କାରଣ ତୁମ୍ଭମାନଙ୍କ ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏହା ଈଶ୍ବରଙ୍କ ଅଭିମତ।

19 ପବିତ୍ର ଆତ୍ମାଙ୍କୁ ନିର୍ବାଣ ନ କର;

20 ଭାବବାଣୀ ତୁଚ୍ଛ କର ନାହିଁ; 21 ବରଂ ସମସ୍ତ ବିଷୟ ପରୀକ୍ଷା କର;

22 ଯାହା ଉତ୍ତମ ତାହା ଧରି ରଖ; ସମସ୍ତ ପ୍ରକାର ମନ୍ଦତା ଠାରୁ ପୃଥକ୍ ହୋଇଥାଅ।

23 ଶାନ୍ତିଦାତା ଈଶ୍ବର ସ୍ୱୟଂ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପବିତ୍ର କରନ୍ତୁ, ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ନିମନ୍ତେ ତୁମ୍ଭମାନଙ୍କ ଆତ୍ମା, ପ୍ରାଣ, ଶରୀର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରୂପେ ରକ୍ଷିତ ହେଉ।

24 ଯେ ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ।

25 ହେ ଭାଇମାନେ, ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର।

26 ସମସ୍ତ ଭାଇଙ୍କୁ ପବିତ୍ର ଚୁମ୍ବନ ଦେଇ ନମସ୍କାର କର।

27 ସମସ୍ତ ଭାଇଙ୍କ ନିକଟରେ ଏହି ପତ୍ର ପାଠ କରାଇବା ନିମନ୍ତେ ମୁଁ ପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ଶପଥ ଦେଇ ଅନୁରୋଧ କରୁଅଛି।

28 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।

Veja também

Publicidade
1 Tessalonicenses
Ver todos os capítulos de 1 Tessalonicenses
Bíblia Online Bíblia Online

Bíblia Online • Versão: 2026-06-16_06-50-08-