ନାମାନ୍ କୁଷ୍ଠରୋଗରୁ ଆରୋଗ୍ୟ
1 ଅରାମୀୟ ରାଜାର ନାମାନ୍ ନାମକ ସେନାପତି ଆପଣା ପ୍ରଭୁଙ୍କ ଦୃଷ୍ଟିରେ ମହାନ ଓ ସମ୍ଭ୍ରାନ୍ତ ଲୋକ ଥିଲା, କାରଣ ତାହା ଦ୍ୱାରା ସଦାପ୍ରଭୁ ଅରାମୀୟମାନଙ୍କୁ ଜୟ ପ୍ରଦାନ କରିଥିଲେ; ସେ ମଧ୍ୟ ମହାବିକ୍ରମଶାଳୀ ଲୋକ ଥିଲା, ମାତ୍ର ସେ କୁଷ୍ଠୀ। 2 ଅରାମୀୟମାନେ ଦଳ ଦଳ ହୋଇ ବାହାରି ଇସ୍ରାଏଲ ଦେଶରୁ ଏକ କ୍ଷୁଦ୍ର ବାଳିକାକୁ ବନ୍ଦୀ କରି ଆଣିଥିଲେ; ଆଉ ସେ ନାମାନ୍ର ଭାର୍ଯ୍ୟାର ସେବା କରୁଥିଲା। 3 ପୁଣି ସେ ଆପଣା କର୍ତ୍ତ୍ରୀକୁ କହିଲା, "ଆଃ, ଶମରୀୟାରେ ଯେଉଁ ଭବିଷ୍ୟଦ୍ବକ୍ତା ଅଛନ୍ତି, ତାଙ୍କ ସଙ୍ଗେ ଯେବେ ମୋʼ ପ୍ରଭୁ ଥାଆନ୍ତେ, ତେବେ ତାଙ୍କୁ ସେ ତାଙ୍କ କୁଷ୍ଠରୋଗରୁ ସୁସ୍ଥ କରନ୍ତେ।" 4 ଏଥିରେ ଜଣେ ଭିତରକୁ ଯାଇ ତାହାର ପ୍ରଭୁଙ୍କୁ ଜଣାଇ କହିଲା, "ଇସ୍ରାଏଲ ଦେଶର ବାଳିକା ଏପରି ଏପରି କହେ।" 5 ତହୁଁ ଅରାମର ରାଜା କହିଲା, "ତୁମ୍ଭେ ସେଠାକୁ ଯାଅ, ଆଉ ମୁଁ ଇସ୍ରାଏଲ ରାଜାଙ୍କ ନିକଟକୁ ଖଣ୍ଡେ ପତ୍ର ପଠାଇବି।" ତହୁଁ ସେ ଆପଣା ସଙ୍ଗେ ଦଶ ତାଳନ୍ତ ରୂପା ଓ ଛଅ ସହସ୍ର ସ୍ୱର୍ଣ୍ଣମୁଦ୍ରା ଓ ଦଶ ସାଜ ପୋଷାକ ନେଇ ପ୍ରସ୍ଥାନ କଲା।
6 ଆଉ ସେ ଇସ୍ରାଏଲର ରାଜାଙ୍କ ନିକଟକୁ ପତ୍ର ନେଇଗଲା; ତହିଁରେ ଏହା ଲେଖାଥିଲା, ଯଥା, "ପୁଣି ଏହି ପତ୍ର ତୁମ୍ଭ ନିକଟରେ ପହଞ୍ଚିଲେ ଦେଖିବ ଯେ, ମୁଁ ଆପଣା ଦାସ ନାମାନ୍କୁ ତୁମ୍ଭ ନିକଟକୁ ପଠାଇଲି, ଯେପରି ତୁମ୍ଭେ ତାହାକୁ ତାହାର କୁଷ୍ଠରୋଗରୁ ସୁସ୍ଥ କରିବ।" 7 ତହୁଁ ଇସ୍ରାଏଲର ରାଜା ଏହି ପତ୍ର ପାଠ କରନ୍ତେ, ଆପଣା ବସ୍ତ୍ର ଚିରି କହିଲା, "ମାରିବାକୁ ଓ ବଞ୍ଚାଇବାକୁ ସମର୍ଥ ପରମେଶ୍ୱର କି ମୁଁ, ଯେ ଏହି ଲୋକ ଏକ ମନୁଷ୍ୟକୁ ତାହାର କୁଷ୍ଠରୋଗରୁ ସୁସ୍ଥ କରିବା ପାଇଁ ମୋʼ ନିକଟକୁ ପଠାଇଅଛି? କିନ୍ତୁ ମୁଁ ବିନୟ କରୁଅଛି, ତୁମ୍ଭେମାନେ ବିବେଚନା କର, ସେ କିପରି ଆମ୍ଭ ବିରୁଦ୍ଧରେ ଛିଦ୍ର ଖୋଜୁଅଛି।"
8 ଏଥିଉତ୍ତାରେ ଇସ୍ରାଏଲର ରାଜା ଆପଣା ବସ୍ତ୍ର ଚିରିଅଛନ୍ତି, ଏହା ଶୁଣି ପରମେଶ୍ୱରଙ୍କ ଲୋକ ଇଲୀଶାୟ, ରାଜାଙ୍କ ନିକଟକୁ ଏହି କଥା କହି ପଠାଇଲେ, "ତୁମ୍ଭେ କାହିଁକି ଆପଣା ବସ୍ତ୍ର ଚିରିଲ? ସେ ଏବେ ମୋʼ ନିକଟକୁ ଆସୁ, ତହିଁରେ ଇସ୍ରାଏଲ ମଧ୍ୟରେ ଯେ ଏକ ଭବିଷ୍ୟଦ୍ବକ୍ତା ଅଛି, ଏହା ସେ ଜାଣିବ।" 9 ଏଣୁ ନାମାନ୍ ଆପଣା ଅଶ୍ୱ ଓ ରଥ ଇତ୍ୟାଦି ସହିତ ଆସି ଇଲୀଶାୟଙ୍କ ଗୃହର ଦ୍ୱାର ନିକଟରେ ଠିଆ ହେଲା। 10 ତହୁଁ ଇଲୀଶାୟ ଏକ ଦୂତ ପଠାଇ ତାହାଙ୍କୁ କହିଲେ, "ତୁମ୍ଭେ ଯାଇ ଯର୍ଦ୍ଦନରେ ସାତ ଥର ସ୍ନାନ କର, ତହିଁରେ ତୁମ୍ଭର ନୂତନ ମାଂସ ହେବ ଓ ତୁମ୍ଭେ ଶୁଚି ହେବ।" 11 ମାତ୍ର ନାମାନ୍ କ୍ରୁଦ୍ଧ ହୋଇ ଚାଲିଗଲା, ଆଉ କହିଲା, "ଦେଖ, ମୁଁ ଭାବିଥିଲି, ସେ ଅବଶ୍ୟ ବାହାରି ମୋʼ ନିକଟକୁ ଆସିବ ଓ ଠିଆ ହୋଇ ସଦାପ୍ରଭୁ ତାହାର ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା କରି କୁଷ୍ଠ ସ୍ଥାନରେ ହସ୍ତ ହଲାଇ ତାହା ସୁସ୍ଥ କରିବ। 12 ଇସ୍ରାଏଲର ସମୁଦାୟ ଜଳ ଅପେକ୍ଷା କି ଦମ୍ମେଶକର ଅବାନା ଓ ପର୍ପର ନଦୀ ଉତ୍ତମ ନୁହେଁ? ମୁଁ କି ତହିଁରେ ସ୍ନାନ କରି ଶୁଚି ହୋଇ ନ ପାରନ୍ତି?" ଏଣୁ ସେ ଫେରି କ୍ରୋଧରେ ଚାଲିଗଲା। 13 ଏଥିରେ ତାହାର ଦାସମାନେ ନାମାନ୍ ନିକଟକୁ ଆସି କହିଲେ, "ଆମ୍ଭ ପିତଃ, ଯଦି ସେହି ଭବିଷ୍ୟଦ୍ବକ୍ତା କୌଣସି ବଡ଼ କାର୍ଯ୍ୟ କରିବାକୁ ଆପଣଙ୍କୁ ଆଜ୍ଞା କରିଥାʼନ୍ତେ, ତେବେ କି ଆପଣ ତାହା କରି ନ ଥାଆନ୍ତେ? ତେବେ ସ୍ନାନ କରି ଶୁଚି ହୁଅ, ଏହି କଥା ଯେତେବେଳେ ସେ ଆପଣଙ୍କୁ କହନ୍ତି, ତାହା ମାନିବା କେତେ ଅଧିକ କର୍ତ୍ତବ୍ୟ।" 14 ତହୁଁ ସେ ପରମେଶ୍ୱରଙ୍କ ଲୋକଙ୍କ ବାକ୍ୟାନୁସାରେ ଯାଇ ଯର୍ଦ୍ଦନରେ ଆପଣାକୁ ସାତ ଥର ବୁଡ଼ାଇଲା; ଏଥିରେ ତାହାର ମାଂସ ପୁନର୍ବାର କ୍ଷୁଦ୍ର ବାଳକର ମାଂସ ତୁଲ୍ୟ ହେଲା ଓ ସେ ଶୁଚି ହେଲା।