Publicidade

Amós 8

ଚତୁର୍ଥ ଦର୍ଶନ - ଏକ ଡାଲା ଫଳ

1 ପ୍ରଭୁ ସଦାପ୍ରଭୁ ମୋତେ ଏହିପରି ଦେଖାଇଲେ; ଦେଖ, ଏକ ଡାଲା ଗ୍ରୀଷ୍ମକାଳୀନ ଫଳ। 2 ପୁଣି, ସେ କହିଲେ, "ହେ ଆମୋଷ, ତୁମ୍ଭେ କଅଣ ଦେଖୁଅଛ?" ତହିଁରେ ମୁଁ କହିଲି, "ଏକ ଡାଲା ଗ୍ରୀଷ୍ମକାଳୀନ ଫଳ।" ତେବେ ସଦାପ୍ରଭୁ ମୋତେ କହିଲେ,

"ଆମ୍ଭର ଲୋକ ଇସ୍ରାଏଲର ଅନ୍ତିମକାଳ ଉପସ୍ଥିତ ହୋଇଅଛି;

ଆମ୍ଭେ ପୁନର୍ବାର ସେମାନଙ୍କୁ ଆଉ ଛାଡ଼ି ଯିବା ନାହିଁ।"

3 ପୁଣି, "ସେହି ଦିନ ମନ୍ଦିରର ଗାନ ସବୁ ହାହାକାର ହେବ।

ଏହା ପ୍ରଭୁ ସଦାପ୍ରଭୁ କହନ୍ତି;

ଶବ ଅନେକ ହେବ; ଲୋକମାନେ ପ୍ରତ୍ୟେକ ସ୍ଥାନରେ ନୀରବ ହୋଇ ସେମାନଙ୍କୁ ପକାଇବେ।"

ଇସ୍ରାଏଲର ସର୍ବନାଶ

4 ହେ ଦୀନହୀନମାନଙ୍କୁ ଗ୍ରାସ କରିବାକୁ ଉଦ୍ୟତ

ଓ ଦରିଦ୍ରମାନଙ୍କୁ ଲୋପ କରାଇବା ଲୋକମାନେ, ତୁମ୍ଭେମାନେ ଏହା ଶୁଣ। 5 "ତୁମ୍ଭେମାନେ ଐଫା ସାନ କରି

ଓ ଶେକଲ ବଡ଼ କରି,

ଆଉ ଛଳନାରୂପ ତରାଜୁରେ ଅଯଥାର୍ଥ କାରବାର କରି କହୁଅଛ,

ଅମାବାସ୍ୟା କେତେବେଳେ ଗତ ହେବ,

ଆମ୍ଭେମାନେ ଯେପରି ଶସ୍ୟ ବିକ୍ରୟ କରିବୁ?

ବିଶ୍ରାମ ଦିନ କେବେ ଗତ ହେବ,

ଆମ୍ଭେମାନେ ଯେପରି ଗହମ ବାହାର କରିବୁ?

6 ଆମ୍ଭେମାନେ ଯେପରି ରୂପା ଦେଇ ଦରିଦ୍ରକୁ

ଓ ଏକ ଯୋଡ଼ା ପାଦୁକା ପାଇଁ ଦୀନହୀନକୁ କ୍ରୟ କରିବୁ

ଓ ତ୍ୟାଗ ଯୋଗ୍ୟ ଗହମ ବିକ୍ରୟ କରିବୁ।"

7 ସଦାପ୍ରଭୁ ଯାକୁବର ଗୌରବ ନେଇ ଏହି ଶପଥ କରିଅଛନ୍ତି, "ଆମ୍ଭେ ନିଶ୍ଚୟ ସେମାନଙ୍କର କୌଣସି କର୍ମ କେବେ ପାସୋରିବା ନାହିଁ।

8 ଦେଶ କି ଏଥିନିମନ୍ତେ କମ୍ପିତ ହେବ ନାହିଁ

ଓ ତନ୍ନିବାସୀ ସମସ୍ତେ କି ଶୋକ କରିବେ ନାହିଁ?

ହଁ, ତାହା ସମ୍ପୂର୍ଣ୍ଣ ରୂପେ ନଦୀ ତୁଲ୍ୟ ବଢ଼ି ଉଠିବ

ଓ ମିସରର ନୀଳ ନଦୀ ତୁଲ୍ୟ ଉଚ୍ଛୁଳି ପୁନର୍ବାର ହ୍ରାସ ହେବ।"

9 ପ୍ରଭୁ ସଦାପ୍ରଭୁ କହନ୍ତି,

"ସେହି ଦିନ ଆମ୍ଭେ ମଧ୍ୟାହ୍ନ କାଳରେ ସୂର୍ଯ୍ୟକୁ ଅସ୍ତଗତ କରାଇବା

ଓ ନିର୍ମଳ ଦିନରେ ଆମ୍ଭେ ଦେଶକୁ ଅନ୍ଧକାରମୟ କରିବା।

10 ପୁଣି, ଆମ୍ଭେ ତୁମ୍ଭମାନଙ୍କର ସକଳ ଉତ୍ସବକୁ ଶୋକରେ

ଓ ତୁମ୍ଭମାନଙ୍କର ଗାୟନ ସବୁକୁ ବିଳାପରେ ପରିଣତ କରିବା;

ଆଉ, ଆମ୍ଭେ ସମସ୍ତଙ୍କର କଟିଦେଶ ଚଟବସ୍ତ୍ରରେ ପରିହିତ କରାଇବା

ଓ ପ୍ରତ୍ୟେକ ମସ୍ତକ ଟାଙ୍ଗରା କରାଇବା;

ପୁଣି, ଆମ୍ଭେ ସେହି ଶୋକକୁ ଅଦ୍ୱିତୀୟ ପୁତ୍ରର ଶୋକ ତୁଲ୍ୟ

ଓ ତହିଁର ଶେଷକୁ ଦାରୁଣ ଦୁଃଖ ଦିନର ତୁଲ୍ୟ କରାଇବା।"

11 ପ୍ରଭୁ ସଦାପ୍ରଭୁ କହନ୍ତି,

"ଦେଖ, ଯେଉଁ ଦିନ ଆମ୍ଭେ ଏହି ଦେଶକୁ ଦୁର୍ଭିକ୍ଷ ପ୍ରେରଣ କରିବା,

ଏପରି ଦିନ ଆସୁଅଛି, ତାହା ଅନ୍ନ କିଅବା ଜଳ ପିପାସାର ଦୁର୍ଭିକ୍ଷ ନୁହେଁ,

ମାତ୍ର ସଦାପ୍ରଭୁଙ୍କର ବାକ୍ୟ ଶୁଣିବାର ଦୁର୍ଭିକ୍ଷ ହେବ।

12 ଲୋକମାନେ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ

ଓ ଉତ୍ତର ଦିଗରୁ ପୂର୍ବଦିଗ ପର୍ଯ୍ୟନ୍ତ ଭ୍ରମଣ କରିବେ;

ସେମାନେ ସଦାପ୍ରଭୁଙ୍କର ବାକ୍ୟର ଅନ୍ଵେଷଣ କରିବା ପାଇଁ ଏଣେତେଣେ ଦୌଡ଼ିବେ,

ଆଉ ତାହା ପାଇବେ ନାହିଁ।

13 ସେହି ଦିନ ସୁନ୍ଦରୀ କୁମାରୀଗଣ ଓ ଯୁବକମାନେ ତୃଷାରେ ମୂର୍ଚ୍ଛାପନ୍ନ ହେବେ।

14 ଯେଉଁମାନେ ଶମରୀୟାର ପାପ ନେଇ ଶପଥ କରନ୍ତି, ଆଉ କହନ୍ତି,

‘ହେ ଦାନ୍, ତୁମ୍ଭ ଦେବତା ଜୀବିତ ଥିବା ପ୍ରମାଣେ’

ଓ ବେର୍‍ଶେବାର ଦେବତା ଜୀବିତ ଥିବା ପ୍ରମାଣେ,

ସେମାନେ ହିଁ ପତିତ ହେବେ, ଆଉ କେବେ ଉଠିବେ ନାହିଁ।"

Veja também

Publicidade
Amós
Ver todos os capítulos de Amós
Bíblia Online Bíblia Online

Bíblia Online • Versão: 2026-06-16_18-40-07-