Publicidade

Apocalipse 7

୧, ୪୪,୦୦୦ ଇସ୍ରାଏଲୀୟ ମୁଦ୍ରାଙ୍କିତ

1 ତାହାପରେ ମୁଁ ଦେଖିଲି, ପୃଥିବୀ କି ସମୁଦ୍ର କି କୌଣସି ଗଛ ଉପରେ ଯେପରି ବାୟୁ ନ ବହେ, ଏଥିନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି। 2 ପୁଣି, ମୁଁ ଆଉ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି; ତାହାଙ୍କ ହସ୍ତରେ ଜୀବିତ ଈଶ୍ବରଙ୍କର ମୁଦ୍ରା ଥିଲା। ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପାଇଥିବା ସେହି ଚାରି ଦୂତଙ୍କୁ ସେ ଉଚ୍ଚସ୍ୱରରେ ଡାକି କହିଲେ, 3 ଆମ୍ଭେମାନେ ଆପଣାମାନଙ୍କ ଈଶ୍ବରଙ୍କର ଦାସମାନଙ୍କ କପାଳରେ ମୁଦ୍ରାଙ୍କନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କିଅବା ସମୁଦ୍ର କିଅବା ଗଛଗୁଡ଼ିକର କ୍ଷତି କର ନାହିଁ। 4 ତାହା ପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ହଜାର ଲୋକ ମୁଦ୍ରାଙ୍କିତ ହେଲେ,

5 ଯିହୂଦା ବଂଶରୁ ବାର ହଜାର,

ରୂବେନ ବଂଶରୁ ବାର ହଜାର,

ଗାଦ ବଂଶରୁ ବାର ହଜାର,

6 ଆଶେର ବଂଶରୁ ବାର ହଜାର,

ନପ୍ତାଲି ବଂଶରୁ ବାର ହଜାର,

ମନଃଶି ବଂଶରୁ ବାର ହଜାର,

7 ଶିମିୟୋନ ବଂଶରୁ ବାର ହଜାର,

ଲେବୀ ବଂଶରୁ ବାର ହଜାର,

ଇସାଖାର ବଂଶରୁ ବାର ହଜାର,

8 ସବୂଲୂନ ବଂଶରୁ ବାର ହଜାର,

ଯୋଷେଫ ବଂଶରୁ ବାର ହଜାର,

ବିନ୍ୟାମୀନ୍ ବଂଶରୁ ବାର ହଜାର।

ସର୍ବ ଦେଶର ଏକ ବିରାଟ ଜନତା

9 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରୀ ଡାଳଗୁଡ଼ିକ ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି; 10 ସେମାନେ ଉଚ୍ଚସ୍ୱରରେ କହୁଅଛନ୍ତି,

"ପରିତ୍ରାଣ, ସିଂହାସନ ଉପବିଷ୍ଟ ଆମ୍ଭମାନଙ୍କ ଈଶ୍ବରଙ୍କର,

ଓ ମେଷଶାବକଙ୍କର କାର୍ଯ୍ୟ।"

11 ପୁଣି, ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ବରଙ୍କୁ ପ୍ରଣାମ କରି କହୁଅଛନ୍ତି,

12 "ଆମେନ୍;

ପ୍ରଶଂସା, ଗୌରବ,

ଜ୍ଞାନ, ଧନ୍ୟବାଦ, ସମ୍ଭ୍ରମ, ପରାକ୍ରମ

ଓ ଶକ୍ତି ଯୁଗେ ଯୁଗେ ଆମ୍ଭମାନଙ୍କ ଈଶ୍ବରଙ୍କର,

ଆମେନ୍‍।"

13 ପୁଣି, ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, ଧଳା ବସ୍ତ୍ର ପରିହିତ ଏହି ଲୋକମାନେ କିଏ ଓ ସେମାନେ କେଉଁଠାରୁ ଆସିଅଛନ୍ତି?

14 ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣ ହିଁ ତାହା ଜାଣନ୍ତି।

ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଲେଶରୁ ବାହାରି ଆସିଅଛନ୍ତି ଓ ମେଷଶାବକଙ୍କ ବଳୀକୃତ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି। 15 ସେଥିପାଇଁ,

"ସେମାନେ ଈଶ୍ବରଙ୍କ ସିଂହାସନ ସମ୍ମୁଖରେ ଥାଇ,

ଦିବାରାତ୍ର ତାହାଙ୍କ ମନ୍ଦିରରେ ତାହାଙ୍କର ଉପାସନା କରନ୍ତି,"

"ପୁଣି, ସିଂହାସନ ଉପବିଷ୍ଟ ବ୍ୟକ୍ତି

ସେମାନଙ୍କର ଆଶ୍ରୟ-ସ୍ୱରୂପ ହେବେ।

16 ସେମାନଙ୍କର ଆଉ କେବେ ହେଁ କ୍ଷୁଧା

କି ତୃଷା ହେବ ନାହିଁ,"

"ପୁଣି, ସୂର୍ଯ୍ୟ କିଅବା କୌଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ,

17 କାରଣ ସିଂହାସନ ମଧ୍ୟସ୍ଥିତ

ମେଷଶାବକ ସେମାନଙ୍କର ପ୍ରତିପାଳକ ହେବେ

ଓ ଜୀବନଦାୟକ ନିର୍ଝର ନିକଟରେ ସେମାନଙ୍କୁ କଢ଼ାଇ ନେବେ,"

"ପୁଣି, ଈଶ୍ବର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ।"

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-