ପବିତ୍ର ଆତ୍ମାଙ୍କ ଅବତରଣ
1 ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ, ସମସ୍ତେ ଏକ ସ୍ଥାନରେ ଏକାଠି ଥିଲେ। 2 ଆଉ, ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ହଠାତ୍ ଆକାଶରୁ ଆସି, ଯେଉଁ ଗୃହରେ ସେମାନେ ବସିଥିଲେ, ସେହି ଗୃହର ଚାରିଆଡ଼େ ବ୍ୟାପିଗଲା, 3 ଆଉ ନିଆଁ ଭଳି ଜିହ୍ୱାଗୁଡ଼ିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ଗୋଟି ଗୋଟି କରି ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରକୁ ଓହ୍ଲାଇ ଆସିଲା। 4 ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, ପୁଣି, ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ, ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ। 5 ଏହି ସମୟରେ ପେଣ୍ଟିକଷ୍ଟ ପର୍ବ ପାଳନ ଉଦ୍ଦେଶ୍ୟରେ ଆକାଶ ତଳେ ଥିବା ପ୍ରତ୍ୟେକ ଜାତିରୁ ଭକ୍ତ ଯିହୁଦୀମାନେ ଆସି ଯିରୂଶାଲମ ସହରରେ ବାସ କରୁଥିଲେ।