Publicidade

Filipenses 4

1 ଅତଏବ, ହେ ମୋହର ପ୍ରିୟ ଓ ଇଷ୍ଟ, ମୋହର ଆନନ୍ଦ ଓ ମୁକୁଟ ସ୍ୱରୂପ ଭ୍ରାତୃବୃନ୍ଦ, ଏହିପରି ଭାବରେ ପ୍ରଭୁଙ୍କଠାରେ ସ୍ଥିର ହୋଇଥାଅ।

ପରାମର୍ଶ ଏବଂ ଉତ୍ସାହ

2 ପ୍ରଭୁଙ୍କଠାରେ ଏକମନା ହେବା ନିମନ୍ତେ ମୁଁ ଇୟଦିଆ ଓ ସୁନ୍ତୁଖୀ ଉଭୟଙ୍କୁ ଅନୁରୋଧ କରୁଅଛି। 3 ପୁଣି, ହେ ପ୍ରକୃତ ସହକାରୀ, ଏହି ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ତୁମ୍ଭକୁ ମଧ୍ୟ ନିବେଦନ କରୁଅଛି, କାରଣ ଏମାନେ କ୍ଳେମେନ୍ସ୍ ଓ ମୋହର ଅନ୍ୟ ସହକର୍ମୀମାନଙ୍କ ସଙ୍ଗରେ ସୁସମାଚାର କାର୍ଯ୍ୟରେ ମୋʼ ସହିତ ପରିଶ୍ରମ କରିଅଛନ୍ତି; ସେହି ସହକର୍ମୀମାନଙ୍କର ନାମ ଜୀବନ ପୁସ୍ତକରେ ଅଛି। 4 ସର୍ବଦା ପ୍ରଭୁଙ୍କଠାରେ ଆନନ୍ଦ କର, ପୁନଶ୍ଚ କହୁଅଛି, ଆନନ୍ଦ କର। 5 ତୁମ୍ଭମାନଙ୍କର ମୃଦୁପଣ ସମସ୍ତ ଲୋକଙ୍କ ନିକଟରେ ପ୍ରକାଶିତ ହେଉ। ପ୍ରଭୁ ନିକଟବର୍ତ୍ତୀ। 6 କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଈଶ୍ବରଙ୍କ ନିକଟରେ ଜଣାଅ। 7 ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ବରଙ୍କ ଶାନ୍ତି, ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ। 8 ଅବଶେଷରେ, ହେ ଭ୍ରାତୃଗଣ, ଯାହା ଯାହା ସତ୍ୟ, ଯାହା ଯାହା ଆଦରଣୀୟ, ଯାହା ଯାହା ଯଥାର୍ଥ, ଯାହା ଯାହା ବିଶୁଦ୍ଧ, ଯାହା ଯାହା ପ୍ରିୟ, ଯାହା ଯାହା ସୁଖ୍ୟାତିଯୁକ୍ତ, ଯେକୌଣସି ସଦ୍‍ଗୁଣ ଓ ପ୍ରଶଂସାର ବିଷୟ ଥାଏ, ସେହି ସମସ୍ତ ବିଷୟ ଚିନ୍ତା କର। 9 ତୁମ୍ଭେମାନେ ଯେ ସମସ୍ତ ବିଷୟ ମୋʼଠାରୁ ଶିଖିଅଛ, ପାଇଅଛ, ଶୁଣିଅଛ ଓ ମୋʼ ଠାରେ ଦେଖିଅଛ, ସେହିସବୁ କର; ସେଥିରେ ଶାନ୍ତିଦାତା ଈଶ୍ବର ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ।

ଦାନ ନିମନ୍ତେ ଧନ୍ୟବାଦ ଜ୍ଞାପନ

10 ଏବେ ଅବଶେଷରେ ମୋʼ ନିମନ୍ତେ ତୁମ୍ଭମାନଙ୍କର ଚିନ୍ତା ଯେ ପ୍ରକାଶ ହୋଇପାରିଲା, ଏଥିପାଇଁ ମୁଁ ପ୍ରଭୁଙ୍କଠାରେ ମହାନନ୍ଦ କରୁଅଛି; ପ୍ରକୃତରେ ମୋʼ ବିଷୟରେ ତୁମ୍ଭମାନଙ୍କର ଚିନ୍ତା ଥିଲା, କିନ୍ତୁ ସୁଯୋଗ ନ ଥିଲା। 11 ଅଭାବ ହେତୁ ମୁଁ ଯେ ଏହା କହୁଅଛି, ତାହା ନୁହେଁ, କାରଣ ମୁଁ ଯେକୌଣସି ଅବସ୍ଥାରେ ଥାଏ, ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି। 12 ଦୀନତା ଭୋଗ କରି ଜାଣେ ଓ ପ୍ରଚୁରତା ମଧ୍ୟ ଭୋଗ କରି ଜାଣେ; ସର୍ବ ଅବସ୍ଥାରେ ଓ ସର୍ବ ବିଷୟରେ, ପରିତୃପ୍ତ ହେବାରେ ବା କ୍ଷୁଧିତ ରହିବାରେ, ପ୍ରଚୁରତା ଭୋଗ କରିବାରେ କିଅବା ଅଭାବଗ୍ରସ୍ତ ହେବାରେ ମୁଁ ସୁଶିକ୍ଷିତ ହୋଇଛି। 13 ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। 14 ତଥାପି ତୁମ୍ଭେମାନେ ମୋହର କ୍ଳେଶଭୋଗର ସହଭାଗୀ ହେବା ଦ୍ୱାରା ଭଲ କରିଅଛ। 15 ହେ ଫିଲିପ୍ପୀୟମାନେ, ତୁମ୍ଭେମାନେ ମଧ୍ୟ ନିଜେ ଜାଣ ଯେ, ସୁସମାଚାର ପ୍ରଚାର କରିବା ଆରମ୍ଭ ସମୟରେ ଯେତେବେଳେ ମୁଁ ମାକିଦନିଆରୁ ପ୍ରସ୍ଥାନ କଲି, ସେତେବେଳେ ତୁମ୍ଭମାନଙ୍କ ବିନା ଆଉ କୌଣସି ମଣ୍ଡଳୀ ମୋହର ସହଭାଗୀ ହୋଇ ମୋʼ ସହିତ ଦେବା ନେବାର ହିସାବ ରଖି ନ ଥିଲେ। 16 କାରଣ ମୁଁ ଥେସଲନୀକୀ ସହରରେ ଥିବା ସମୟରେ ସୁଦ୍ଧା ତୁମ୍ଭେମାନେ ମୋହର ଅଭାବ ମୋଚନ ନିମନ୍ତେ ଥରେ, ହଁ, ଦୁଇ ଥର ଦାନ ପଠାଇଥିଲ। 17 ଦାନ ସକାଶେ ମୁଁ ଲାଳାୟିତ ନୁହେଁ, ମାତ୍ର ଯେଉଁ ଫଳ ଦ୍ୱାରା ତୁମ୍ଭମାନଙ୍କ ହିସାବର ଜମାପାଖ ଅଧିକରୁ ଅଧିକ ବୃଦ୍ଧି ପାଉଅଛି, ସେଥିସକାଶେ ଲାଳାୟିତ। 18 ମୁଁ ସବୁ ପାଇଅଛି, ପୁଣି, ମୋହର ପ୍ରଚୁର ଅଛି; ତୁମ୍ଭମାନଙ୍କର ପଠାଇଥିବା ଯେଉଁ ସବୁ ବିଷୟ ଏପାଫ୍ରାଦିତଙ୍କ ପାଖରୁ ପାଇଅଛି, ସେହିସବୁ ମୋʼ ପାଇଁ ଯଥେଷ୍ଟ; ସେହିସବୁ ଈଶ୍ବରଙ୍କ ନିକଟରେ ତୁଷ୍ଟିଜନକ ସୁଗନ୍ଧି ନୈବେଦ୍ୟ ଓ ସୁଗ୍ରାହ୍ୟ ବଳିସ୍ୱରୂପ। 19 ପୁଣି, ମୋହର ଈଶ୍ବର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ ତୁମ୍ଭମାନଙ୍କର ପ୍ରତ୍ୟେକ ଅଭାବ ପୂରଣ କରିବେ। 20 ଆମ୍ଭମାନଙ୍କର ଈଶ୍ବର ଓ ପିତାଙ୍କ ପ୍ରତି ଯୁଗେ ଯୁଗେ ଗୌରବ ହେଉ। ଆମେନ୍‍।

ଶେଷ ସମ୍ଭାଷଣ

21 ଖ୍ରୀଷ୍ଟ ଯୀଶୁଙ୍କ ନାମରେ ପ୍ରତ୍ୟେକ ସାଧୁଙ୍କୁ ନମସ୍କାର ଜଣାଅ। ମୋହର ସଙ୍ଗୀ ଭ୍ରାତୃଗଣ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। 22 ସାଧୁମାନେ ସମସ୍ତେ, ବିଶେଷରେ ଯେଉଁମାନେ କାଇସରଙ୍କ ପ୍ରାସାଦରେ ଅଛନ୍ତି, ସେମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। 23 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମାର ସହବର୍ତ୍ତୀ ହେଉ।

Veja também

Publicidade
Filipenses
Ver todos os capítulos de Filipenses
Bíblia Online Bíblia Online

Bíblia Online • Versão: 2026-06-15_21-32-39-