Publicidade

Cânticos 8

1 ଆହା, ଯେ ମୋʼ ମାତାଙ୍କର ସ୍ତନ୍ୟପାନ କରିଅଛି,

ଏପରି ମୋʼ ସହୋଦର ତୁଲ୍ୟ ଯେବେ ତୁମ୍ଭେ ହୁଅନ୍ତ!

ତେବେ ମୁଁ ତୁମ୍ଭକୁ ବାହାରେ ଦେଖିଲେ, ତୁମ୍ଭକୁ ଚୁମ୍ବନ ଦିଅନ୍ତି;

ଆଉ, କେହି ମୋତେ ତୁଚ୍ଛ କରନ୍ତା ନାହିଁ।

2 ମୁଁ ତୁମ୍ଭକୁ ପଥ କଢ଼ାଇ ଆପଣା ମାତାଙ୍କ ଗୃହକୁ ଘେନି ଆସନ୍ତି,

ସେ ମୋତେ ଶିକ୍ଷା ଦିଅନ୍ତେ;

ମୁଁ ତୁମ୍ଭକୁ ସୁଗନ୍ଧି ମିଶ୍ରିିତ ଦ୍ରାକ୍ଷାରସ,

ମୋହର ଡାଳିମ୍ବରସ ପାନ କରାନ୍ତି।

3 ତାଙ୍କ ବାମ ହସ୍ତ ମୋʼ ମସ୍ତକ ତଳେ ରହିବ

ଓ ତାଙ୍କ ଡାହାଣ ହସ୍ତ ମୋତେ ଆଲିଙ୍ଗନ କରିବ।

4 ହେ ଯିରୂଶାଲମର କନ୍ୟାଗଣ, ମୁଁ ତୁମ୍ଭମାନଙ୍କୁ ଶପଥ ଦେଉଅଛି ଯେ,

ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତ

ତୁମ୍ଭେମାନେ ପ୍ରେମକୁ ଜଗାଅ ନାହିଁ, କି ଉତ୍ତେଜିତ କର ନାହିଁ।

ଅନ୍ୟମାନେ

5 ଆପଣା ପ୍ରିୟତମଙ୍କ ଉପରେ ଆଉଜିପଡ଼ି ପ୍ରାନ୍ତରରୁ ଆସୁଅଛି ଯେ, ସେ କିଏ?

ନାଗରଙ୍ଗ ବୃକ୍ଷ ତଳେ ମୁଁ ତୁମ୍ଭକୁ ଜଗାଇଲି;

ସେଠାରେ ତୁମ୍ଭ ମାତା ତୁମ୍ଭ ପାଇଁ ପ୍ରସବ ବେଦନାଗ୍ରସ୍ତା ହେଲେ,

ସେଠାରେ ସେ ପ୍ରସବ ବେଦନାଗ୍ରସ୍ତା ହୋଇ ତୁମ୍ଭକୁ ପ୍ରସବ କଲେ।

କନ୍ୟା

6 ତୁମ୍ଭେ ମୋତେ ମୋହର ତୁଲ୍ୟ ଆପଣା ହୃଦୟରେ,

ମୋହର ତୁଲ୍ୟ ଆପଣା ବାହୁରେ ଧାରଣ କର;

କାରଣ ପ୍ରେମ ମୃତ୍ୟୁୁ ପରି ବଳବାନ;

ଅନ୍ତର୍ଜ୍ୱାଳା ପାତାଳ ପରି ଦୃଢ଼;

ତହିଁର ଶିଖା ଅଗ୍ନିଶିଖା, ଅତି ଭୟଙ୍କର ଅଗ୍ନିଶିଖା।

7 ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନ ପାରେ,

କିଅବା ବଢ଼ି ତାହା ବୁଡ଼ାଇ ନ ପାରେ;

ଯଦି କେହି ପ୍ରେମ ନିମନ୍ତେ ଆପଣା ଗୃହର ସର୍ବସ୍ୱ ଦେବ,

ତେବେ ସେ ଲୋକ ନିତାନ୍ତ ତୁଚ୍ଛୀକୃତ ହେବ।

ଅନ୍ୟମାନେ

8 ଆମ୍ଭମାନଙ୍କର ଗୋଟିଏ ସାନ ଭଗିନୀ ଅଛି,

ତାହାର ସ୍ତନ ହୋଇ ନାହିଁ;

ଲୋକେ ଆମ୍ଭମାନଙ୍କ ଭଗିନୀକୁ ମାଗିବା ଦିନରେ

ଆମ୍ଭେମାନେ ତାହା ପାଇଁ କଅଣ କରିବା?

9 ଯଦି ସେ ପ୍ରାଚୀର ସ୍ୱରୂପା ହୁଏ,

ତେବେ ଆମ୍ଭେମାନେ ତାହା ଉପରେ ରୂପାର ଦୁର୍ଗ ନିର୍ମାଣ କରିବା;

ଆଉ, ଯଦି ସେ ଦ୍ୱାର ସ୍ୱରୂପା ହୁଏ,

ତେବେ ଆମ୍ଭେମାନେ ଏରସ ପଟାରେ ତାହାକୁ ଆବରଣ କରିବା।

କନ୍ୟା

10 ମୁଁ ପ୍ରାଚୀର ସ୍ୱରୂପା ଓ ମୋହର ସ୍ତନ ତହିଁର ଦୁର୍ଗ ସ୍ୱରୂପ;

ସେହି ସମୟରେ ତାଙ୍କ ଦୃଷ୍ଟିରେ ମୁଁ ଶାନ୍ତିପ୍ରାପ୍ତାର ତୁଲ୍ୟ ଥିଲି।

11 ବାଲ-ହାମୋନରେ ଶଲୋମନଙ୍କର ଏକ ଦ୍ରାକ୍ଷାକ୍ଷେତ୍ର ଥିଲା;

ସେ ରକ୍ଷକମାନଙ୍କୁ ତାହା ଭଡ଼ା ଦେଇଥିଲେ;

ପ୍ରତ୍ୟେକ ରକ୍ଷକକୁ ତହିଁର ଫଳ ପାଇଁ ଏକ ଏକ ସହସ୍ର ରୂପା ମୁଦ୍ରା ଦେବାକୁ ପଡ଼ିଲା।

12 ମୋହର ଦ୍ରାକ୍ଷାକ୍ଷେତ୍ର ମୋʼ ସମ୍ମୁଖରେ ଅଛି;

ହେ ଶଲୋମନ, ସେହି ସହସ୍ର ମୁଦ୍ରା ତୁମ୍ଭେ ପାଇବ

ଓ ତହିଁର ଫଳରକ୍ଷକମାନେ ଦୁଇ ଶତ ମୁଦ୍ରା ପାଇବେ।

ବର

13 ହେ ଉପବନବାସିନୀ,

ମିତ୍ରଗଣ ତୁମ୍ଭର ରବ ଶୁଣନ୍ତି;

ତାହା ମୋତେ ଶ୍ରବଣ କରାଅ।

କନ୍ୟା

14 ହେ ମୋହର ପ୍ରିୟତମ, ଚଞ୍ଚଳ ହୁଅ,

ସୁଗନ୍ଧିମୟ ପର୍ବତଶ୍ରେଣୀ ଉପରେ

ତୁମ୍ଭେ ମୃଗ ବା ହରିଣଶାବକ ତୁଲ୍ୟ ହୁଅ।

Veja também

Publicidade
Cânticos
Ver todos os capítulos de Cânticos
Bíblia Online Bíblia Online

Bíblia Online • Versão: 2026-06-15_21-32-39-