ଖ୍ରୀଷ୍ଟଙ୍କଠାରେ ନିହିତ ଆତ୍ମିକ ଆଶୀର୍ବାଦ
3 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି, 4 ଅର୍ଥାତ୍ ଆମ୍ଭେମାନେ ଯେପରି ତାହାଙ୍କ ସାକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ, ଏଥିପାଇଁ ସେ ଜଗତର ପତ୍ତନ ପୂର୍ବେ ତାହାଙ୍କଠାରେ ଆମ୍ଭମାନଙ୍କୁ ମନୋନୀତ କଲେ; 5 ପୁଣି, ଈଶ୍ବର ଆମ୍ଭମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛାନୁସାରେ ଆମ୍ଭମାନଙ୍କୁ ପ୍ରେମରେ ପୂର୍ବରୁ ନିରୂପଣ କଲେ; 6 ଏହା ତାହାଙ୍କ ଅନୁଗ୍ରହର ଗୌରବର ପ୍ରଶଂସା ନିମନ୍ତେ ହୋଇଅଛି; ସେହି ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦାନ କରିଅଛନ୍ତି। 7 ଈଶ୍ବରଙ୍କ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କଠାରେ ଖ୍ରୀଷ୍ଟ ଯୀଶୁଙ୍କ ରକ୍ତ ଦ୍ୱାରା ମୁକ୍ତି, ଅର୍ଥାତ୍ ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ। 8 ସେହି ଅନୁଗ୍ରହ ସେ ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଦେଇ ଆମ୍ଭମାନଙ୍କ ପ୍ରତି ପ୍ରଚୁର କରିଅଛନ୍ତି। 9 ପୂର୍ବରୁ ସଙ୍କଳ୍ପ କରିଥିବା ଆପଣା ମଙ୍ଗଳମୟ ଇଚ୍ଛାନୁସାରେ ସେ ଆମ୍ଭମାନଙ୍କୁ ଆପଣା ଇଚ୍ଛାର ନିଗୂଢ଼ତତ୍ତ୍ୱ ଜ୍ଞାତ କରାଇଅଛନ୍ତି, 10 ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଙ୍କଳ୍ପାନୁସାରେ ସ୍ୱର୍ଗରେ କି ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ସେ ଆପଣା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ। 11 ତାହାଙ୍କଠାରେ ମଧ୍ୟ ଆମ୍ଭେ ବିଶ୍ୱାସୀମାନେ ଅଧିକାର ସ୍ୱରୂପ ହୋଇଅଛୁ, ଯେଣୁ ଯେଉଁ ଈଶ୍ବର ଆପଣା ଇଚ୍ଛାର ସଙ୍କଳ୍ପାନୁସାରେ ସମସ୍ତ ବିଷୟ ସାଧନ କରନ୍ତି, ତାହାଙ୍କ ଅଭିପ୍ରାୟ ଅନୁସାରେ ଆମ୍ଭେ ବିଶ୍ୱାସୀମାନେ ପୂର୍ବରୁ ନିରୂପିତ ହେଲୁ, 12 ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ପୂର୍ବରୁ ଭରସା କରିଥିଲୁ, ତାହା ଯେପରି ଈଶ୍ବରଙ୍କ ଗୌରବର ପ୍ରଶଂସାର କାରଣ ହେଉ। 13 ତାହାଙ୍କ ଦ୍ୱାରା ତୁମ୍ଭେମାନେ ସୁଦ୍ଧା ସତ୍ୟ ବାକ୍ୟ, ଅର୍ଥାତ୍ ତୁମ୍ଭମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ; 14 ଈଶ୍ବରଙ୍କ ଗୌରବର ପ୍ରଶଂସା ନିମନ୍ତେ ତାହାଙ୍କ ନିଜସ୍ୱ ମୁକ୍ତି ଉଦ୍ଦେଶ୍ୟରେ ସେ ଆମ୍ଭମାନଙ୍କ ଅଧିକାରର ବଇନାସ୍ୱରୂପ।