Publicidade

Efésios 2

ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ପରିତ୍ରାଣ

1 ଏହି ସଂସାରର ଭାବାନୁସାରେ ପୁଣି, ଆକାଶମଣ୍ଡଳ ରାଜ୍ୟର ଅଧିପତି, 2 ଅର୍ଥାତ୍‍ ଯେଉଁ ଜଗତ୍‍ପତି ଏବେ ମଧ୍ୟ ଅନାଜ୍ଞାବହ ସନ୍ତାନମାନଙ୍କଠାରେ କାର୍ଯ୍ୟ ସାଧନ କରୁଅଛି, ତାହାର ଇଚ୍ଛାନୁସାରେ ତୁମ୍ଭେମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ; 3 ସେହି ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କ ଶାରୀରିକ ଅଭିଳାଷ ଅନୁସାରେ ଜୀବନଯାପନ କରି ଶାରୀରିକ ଓ ମନର କାମନା ପୂର୍ଣ୍ଣ କରୁଥିଲୁ, ପୁଣି, ଅନ୍ୟମାନଙ୍କ ପରି ସୁଦ୍ଧା ସ୍ୱଭାବତଃ କ୍ରୋଧର ପାତ୍ର ଥିଲୁ; 4 ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଦୟାସାଗର ଯେ ଈଶ୍ବର, ସେ ଆମ୍ଭମାନଙ୍କୁ ଯେଉଁ ମହା ପ୍ରେମରେ ପ୍ରେମ କଲେ, 5 ସେଥିସକାଶେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ଜୀବିତ କରିଅଛନ୍ତି, ଏଣୁ ଅନୁଗ୍ରହରେ ତୁମ୍ଭେମାନେ ପରିତ୍ରାଣ ପାଇଅଛ, 6 ପୁଣି, ତାହାଙ୍କ ସହିତ ଆମ୍ଭମାନଙ୍କୁ ଉତ୍ଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଇଅଛନ୍ତି, 7 ଯେପରି ଖ୍ରୀଷ୍ଟ ଯୀଶୁଙ୍କଠାରେ ସେ ଆମ୍ଭମାନଙ୍କ ପ୍ରତି କରୁଣା କରି ଆଗାମୀ ଯୁଗରେ ଆପଣା ଅନୁଗ୍ରହର ଅତ୍ୟଧିକ ଧନ ପ୍ରକାଶ କରନ୍ତି। 8 କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ; ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇ ନାହିଁ, ତାହା ଈଶ୍ବରଙ୍କ ଦାନ, 9 କର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ। 10 କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତ୍କର୍ମ ଆମ୍ଭେମାନେ କରିବୁ ବୋଲି ଈଶ୍ବର ପୂର୍ବରୁ ପ୍ରସ୍ତୁତ କରିଥିଲେ, ଆଚରଣରେ ସେହିସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ।

ଖ୍ରୀଷ୍ଟଙ୍କଠାରେ ଏକ

11 ଅତଏବ ତୁମ୍ଭେମାନେ ପୂର୍ବରେ ଯେତେବେଳେ ଶରୀର ସମ୍ବନ୍ଧରେ ଅଣଯିହୁଦୀ ଥିଲ ଓ ଶାରୀରିକ ଭାବେ ହସ୍ତକୃତ ସୁନ୍ନତ ଲୋକମାନଙ୍କ ଦ୍ୱାରା ଅସୁନ୍ନତ ବୋଲି ଖ୍ୟାତ ହେଉଥିଲ, 12 ସେତେବେଳେ ତୁମ୍ଭେମାନେ ଯେ ଖ୍ରୀଷ୍ଟଙ୍କଠାରୁ ପୃଥକ୍, ପ୍ରତିଜ୍ଞାଯୁକ୍ତ ନିୟମରେ ନିରଂଶ, ଇସ୍ରାଏଲର ପ୍ରଜାସତ୍ତ୍ବ ରହିତ, ପୁଣି ଜଗତରେ ଭରସାହୀନ ଓ ଈଶ୍ବରବିହୀନ ଥିଲ, ତାହା ସ୍ମରଣ କର। 13 କିନ୍ତୁ ପୂର୍ବେ ତୁମ୍ଭେମାନେ ଦୂରରେ ଥିଲ ଯେ, ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ। 14 କାରଣ ସେ ତ ଆମ୍ଭମାନଙ୍କ ଶାନ୍ତି, ସେ ଶତ୍ରୁତାରୂପ ମଧ୍ୟବର୍ତ୍ତୀ ବିଚ୍ଛେଦ-ପ୍ରାଚୀର ଭଗ୍ନ କରି ଉଭୟକୁ ଏକ କରିଅଛନ୍ତି, 15 ପୁଣି, ବିଧିବିଧାନଯୁକ୍ତ ଆଜ୍ଞାମୂଳକ ବ୍ୟବସ୍ଥାକୁ ଆପଣା ଶରୀରରେ ରହିତ କରିଅଛନ୍ତି, ଯେପରି ସେ ଶାନ୍ତି ସ୍ଥାପନ କରି ଉଭୟକୁ ଆପଣାଠାରେ ଜଣେ ନୂଆ ଲୋକ ସ୍ୱରୂପେ ସୃଷ୍ଟି କରନ୍ତି, 16 ଆଉ କ୍ରୁଶ ଦ୍ୱାରା ଶତ୍ରୁତା ବିନାଶ କରି ତଦ୍ୱାରା ଉଭୟକୁ ଏକ ଶରୀର ସ୍ୱରୂପ ଗଠନ କରି ଈଶ୍ବରଙ୍କ ସହିତ ମିଳିତ କରାନ୍ତି। 17 ଆଉ ତୁମ୍ଭେମାନେ ଯେ ଈଶ୍ବରଙ୍କଠାରୁ ଦୂରରେ ଥିଲ, ଉଭୟଙ୍କ ନିକଟରେ ଖ୍ରୀଷ୍ଟ ଆସି ଶାନ୍ତିର ସୁସମାଚାର ପ୍ରଚାର କଲେ; 18 କାରଣ ତାହାଙ୍କ ଦେଇ ଆମ୍ଭେମାନେ ଉଭୟ ଏକ ଆତ୍ମାଙ୍କ ଦ୍ୱାରା ପିତାଙ୍କ ନିକଟକୁ ଯିବା ପାଇଁ ପଥ ପାଇଅଛୁ। 19 ଅତଏବ ତୁମ୍ଭେମାନେ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ ଓ ଈଶ୍ବରଙ୍କ ପରିବାରଭୁକ୍ତ ଅଟ; 20 ତୁମ୍ଭେମାନେ ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ, ଖ୍ରୀଷ୍ଟ ଯୀଶୁ ସ୍ୱୟଂ ସେଥିର କୋଣର ପ୍ରଧାନ ପ୍ରସ୍ତର; 21 ତାହାଙ୍କଠାରେ ପ୍ରତ୍ୟେକ ଗୃହ ଏକତ୍ର ସଂଲଗ୍ନ ହୋଇ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ସ୍ୱରୂପେ ବୃଦ୍ଧି ପାଉଅଛି; 22 ତାହାଙ୍କଠାରେ ତୁମ୍ଭେମାନେ ମଧ୍ୟ ଈଶ୍ବରଙ୍କ ଆତ୍ମାଙ୍କ ନିବାସ ନିମନ୍ତେ ଏକତ୍ର ନିର୍ମିତ ହେଉଅଛ।

Veja também

Publicidade
Efésios
Ver todos os capítulos de Efésios
Bíblia Online Bíblia Online

Bíblia Online • Versão: 2026-06-16_06-50-08-