ଆତ୍ମିକ ଶକ୍ତି ନିମନ୍ତେ ପ୍ରାର୍ଥନା
14 ଏଥିନିମନ୍ତେ ଯେଉଁ ପିତାଙ୍କଠାରୁ ସ୍ୱର୍ଗ ଓ ପୃଥିବୀସ୍ଥ ପ୍ରତ୍ୟେକ ପିତୃକୁଳ ନାମ ପ୍ରାପ୍ତ ହୁଏ, 15 ତାହାଙ୍କ ଛାମୁରେ ମୁଁ ଆଣ୍ଠୁପାତି ପ୍ରାର୍ଥନା କରୁଅଛି, 16 ଯେପରି ସେ ଆପଣା ଗୌରବରୂପ ଧନ ଅନୁସାରେ ଆପଣା ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆନ୍ତରିକ ପୁରୁଷରେ ଶକ୍ତି ପ୍ରାପ୍ତ ହୋଇ ବଳବାନ ହେବାକୁ ଦିଅନ୍ତି, 17 ପୁଣି, ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ତୁମ୍ଭମାନଙ୍କ ହୃଦୟରେ ବାସ କରନ୍ତି, 18 ଯେପରି ତୁମ୍ଭେମାନେ ପ୍ରେମରେ ବଦ୍ଧମୂଳ ଓ ଦୃଢ ରୂପେ ସ୍ଥାପିତ ହୋଇ ବୋଧର ଅଗମ୍ୟ ଯେ ଖ୍ରୀଷ୍ଟଙ୍କ ପ୍ରେମ, ତାହା ଜ୍ଞାତ ହୁଅ ଏବଂ ସମସ୍ତ ସାଧୁଙ୍କ ସହିତ ସେଥିର ଦୈର୍ଘ୍ୟ ଓ ପ୍ରସ୍ଥ, ଉଚ୍ଚତା ଓ ଗଭୀରତା ବୁଝିବାକୁ ଶକ୍ତି ପ୍ରାପ୍ତ ହୁଅ, 19 ଆଉ ସେହି ପ୍ରକାରେ ଈଶ୍ବରଙ୍କ ସମସ୍ତ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହୁଅ।