22 ହେ ସ୍ତ୍ରୀମାନେ ତୁମ୍ଭେମାନେ ଯେପରି ପ୍ରଭୁଙ୍କର ବଶୀଭୂତା ହୁଅ, ସେହିପରି ଆପଣା ଆପଣା ସ୍ୱାମୀର ବଶୀଭୂତ ହୁଅ, 23 କାରଣ ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ ସ୍ୱରୂପ, ସ୍ୱାମୀ ମଧ୍ୟ ସେହିପରି ସ୍ତ୍ରୀର ମସ୍ତକ ସ୍ୱରୂପ, ପୁଣି, ଖ୍ରୀଷ୍ଟ ଆପଣା ଶରୀରରୂପ ମଣ୍ଡଳୀର ତ୍ରାଣକର୍ତ୍ତା। 24 ହଁ, ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତ, ସେହିପରି ସ୍ତ୍ରୀମାନେ ମଧ୍ୟ ସବୁ ବିଷୟରେ ଆପଣା ଆପଣା ସ୍ୱାମୀର ବଶୀଭୂତା ହେଉନ୍ତୁ। 25 ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର; ଖ୍ରୀଷ୍ଟ ତ ମଣ୍ଡଳୀ ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, 26 ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ସେ ମଣ୍ଡଳୀକୁ ପରିଷ୍କାର କରି ପବିତ୍ର କରନ୍ତି, 27 ଯେପରି ମଣ୍ଡଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷରହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ, ଆଉ ଏହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି। 28 ସେହିପରି ସ୍ୱାମୀମାନଙ୍କର ମଧ୍ୟ ଆପଣା ଆପଣା ସ୍ତ୍ରୀମାନଙ୍କୁ ନିଜ ନିଜ ଶରୀର ସଦୃଶ ପ୍ରେମ କରିବା ଉଚିତ୍। ଯେ ନିଜ ସ୍ତ୍ରୀକୁ ପ୍ରେମ କରେ, ସେ ଆପଣାକୁ ପ୍ରେମ କରେ; 29 କେହି ତ ଆପଣା ଶରୀରକୁ କେବେ ଘୃଣା କରେ ନାହିଁ, ମାତ୍ର ତାହାର ଭରଣପୋଷଣ ଓ ଲାଳନପାଳନ କରେ; ଖ୍ରୀଷ୍ଟ ମଧ୍ୟ ମଣ୍ଡଳୀ ପ୍ରତି ସେହିପରି କରନ୍ତି, 30 ଯେଣୁ ଆମ୍ଭେମାନେ ତାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ। 31 ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ। 32 ଏହା ଗୋଟିଏ ଅତି ନିଗୂଢ଼ତତ୍ତ୍ୱ, କିନ୍ତୁ ମୁଁ ଖ୍ରୀଷ୍ଟ ଓ ମଣ୍ଡଳୀ ସମ୍ବନ୍ଧରେ ଏହା କହୁଅଛି। 33 ଯାହା ହେଉ, ତୁମ୍ଭେମାନେ ପ୍ରତ୍ୟେକେ ମଧ୍ୟ ଆପଣା ଆପଣା ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କର, ଆଉ ସ୍ତ୍ରୀ ମଧ୍ୟ ଆପଣା ସ୍ୱାମୀକୁ ଆଦର କରୁ।
Publicidade