Publicidade

Ester 7

ହାମନ୍‍ର ମୃତ୍ୟୁୁଦଣ୍ଡ

1 ଏହିରୂପେ ଏଷ୍ଟର ରାଣୀ ସହିତ ରାଜା ଓ ହାମନ୍‍ ଭୋଜନ କରିବାକୁ ଉପସ୍ଥିତ ହେଲେ। 2 ରାଜା ସେହି ଦ୍ୱିତୀୟ ଦିନ ଦ୍ରାକ୍ଷାରସ ପାନ କରିବା ବେଳେ ଏଷ୍ଟରଙ୍କୁ ପୁନର୍ବାର କହିଲେ, "ଆଗୋ ଏଷ୍ଟର ରାଣୀ, ତୁମ୍ଭର ନିବେଦନ କଅଣ? ତାହା ତୁମ୍ଭକୁ ଦତ୍ତ ହେବ ଓ ତୁମ୍ଭର ପ୍ରାର୍ଥନା କଅଣ? ତାହା ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ସିଦ୍ଧ କରାଯିବ।" 3 ତେଣୁ ଏଷ୍ଟର ରାଣୀ ଉତ୍ତର ଦେଇ କହିଲେ, "ହେ ମହାରାଜ, ମୁଁ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଆଉ, ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି, ତେବେ ମୋହର ନିବେଦନାନୁସାରେ ମୋʼ ପ୍ରାଣ ଓ ମୋʼ ପ୍ରାର୍ଥନାନୁସାରେ ମୋʼ ଲୋକମାନେ ମୋତେ ଦିଆଯାଉନ୍ତୁ। 4 କାରଣ ଆମ୍ଭେମାନେ, ମୁଁ ଓ ମୋହର ଲୋକମାନେ ସଂହାରିତ ଓ ହତ ଓ ବିନଷ୍ଟ ହେବା ନିମନ୍ତେ ବିକ୍ରୀତ ହୋଇଅଛୁ। ଯଦି ଆମ୍ଭେମାନେ କେବଳ ଦାସ ଓ ଦାସୀ ହେବା ପାଇଁ ବିକ୍ରୀତ ହୋଇଥାʼନ୍ତୁ, ତେବେ ଶତ୍ରୁ ମହାରାଜାଙ୍କର ଏହି କ୍ଷତି ପରିଶୋଧ କରି ନ ପାରିଲେ ହେଁ ମୁଁ ନୀରବ ହୋଇ ରହନ୍ତି।" 5 ଏଥିରେ ଅକ୍ଷଶ୍ୱେରଶ ରାଜା ଏଷ୍ଟର ରାଣୀଙ୍କୁ କହିଲେ, "ଯେ ଏପରି କର୍ମ କରିବାକୁ ମନରେ ସାହସ ବାନ୍ଧିଅଛି, ସେ କିଏ? ଓ ସେ କେଉଁଠାରେ ଅଛି?" 6 ଏଷ୍ଟର କହିଲେ, "ଏହି ଦୁଷ୍ଟ ହାମନ୍‍ ଜଣେ ବିପକ୍ଷ ଓ ଶତ୍ରୁ ଅଟେ;" ତହିଁରେ ରାଜା ଓ ରାଣୀଙ୍କ ସାକ୍ଷାତରେ ହାମନ୍‍ ଭୀତ ହେଲେ। 7 ଆଉ, ରାଜା କ୍ରୋଧରେ ଦ୍ରାକ୍ଷାରସ-ପାନଶାଳାରୁ ଉଠି ରାଜଗୃହର ଉଦ୍ୟାନକୁ ଗଲା; ତହିଁରେ ରାଜା ଦ୍ୱାରା ଆପଣାର ଅମଙ୍ଗଳ ନିଶ୍ଚିତ ହୋଇଅଛି, ଏହା ଜାଣି ହାମନ୍‍ ଏଷ୍ଟର ରାଣୀ ନିକଟରେ ଆପଣା ପ୍ରାଣ ମାଗିବାକୁ ଠିଆ ହେଲେ। 8 ତେବେ ରାଜା ରାଜଗୃହର ଉଦ୍ୟାନରୁ ଦ୍ରାକ୍ଷାରସ-ପାନଶାଳାକୁ ଲେଉଟି ଆସିଲେ; ସେତେବେଳେ ଏଷ୍ଟର ଯେଉଁ ଆସନରେ ବସିଥିଲେ, ହାମନ୍‍ ତହିଁ ଉପରେ ପଡ଼ିଥିଲେ; ତେଣୁ ରାଜା କହିଲେ, "ଏ କʼଣ ଗୃହ ମଧ୍ୟରେ ମୋʼ ସାକ୍ଷାତରେ ରାଣୀଙ୍କୁ ବଳାତ୍କାର କରିବ? ଏହି କଥା ରାଜା ମୁଖରୁ ବାହାରିବା ମାତ୍ର ଲୋକମାନେ ହାମନ୍‍ର ମୁଖ ଢାଙ୍କି ପକାଇଲେ।" 9 ଏଥିଉତ୍ତାରେ ରାଜାଙ୍କ ସାକ୍ଷାତରେ ଉପସ୍ଥିତ ହର୍ବୋଣା ନାମକ ଏକ ନପୁଂସକ ରାଜାକୁ କହିଲେ, "ଦେଖନ୍ତୁ, ମହାରାଜାଙ୍କ ପକ୍ଷରେ ହିତଜନକ ସମ୍ବାଦଦାୟୀ ମର୍ଦ୍ଦଖୟ ନିମନ୍ତେ ହାମନ୍‍ ପଚାଶ ହାତ ଉଚ୍ଚ ଫାଶୀକାଠ ପ୍ରସ୍ତୁତ କରିଅଛି, ତାହା ହାମନ୍‍ର ଗୃହରେ ସ୍ଥାପିତ ହୋଇଅଛି," ରାଜା କହିଲେ, "ତହିଁ ଉପରେ ଏହାକୁ ଫାଶୀ ଦିଅ।" 10 ଏଥିରେ ହାମନ୍‍ ମର୍ଦ୍ଦଖୟ ନିମନ୍ତେ ଯେଉଁ ଫାଶୀକାଠ ପ୍ରସ୍ତୁତ କରିଥିଲେ, ତହିଁ ଉପରେ ସେମାନେ ହାମନ୍‍କୁ ଫାଶୀ ଦେଲେ; ତହିଁରେ ରାଜାଙ୍କ କ୍ରୋଧ ଶାନ୍ତ ହେଲା।

Veja também

Publicidade
Ester
Ver todos os capítulos de Ester
Bíblia Online Bíblia Online

Bíblia Online • Versão: 2026-06-15_21-32-39-