Publicidade

Hebreus 3

ଯୀଶୁ ମୋଶାଙ୍କଠାରୁ ମହାନ

1 ଅତଏବ, ହେ ସ୍ୱର୍ଗୀୟ ଆହ୍ୱାନର ସହଭାଗୀ ପବିତ୍ର ଭ୍ରାତୃଗଣ, ଆମ୍ଭମାନଙ୍କ ବିଶ୍ୱାସ ମତାନୁସାରେ ପ୍ରେରିତ ଓ ମହାଯାଜକ ଯୀଶୁଙ୍କ ବିଷୟ ବିବେଚନା କର; 2 ମୋଶା ଯେପରି ଈଶ୍ବରଙ୍କ ଗୃହରେ ବିଶ୍ୱସ୍ତ ଥିଲେ, ଯୀଶୁ ସେହିପରି ଆପଣା ନିଯୋଗକର୍ତ୍ତାଙ୍କ ପ୍ରତି ବିଶ୍ୱସ୍ତ ଥିଲେ। 3 ଗୃହ ଅପେକ୍ଷା ଗୃହର ସ୍ଥାପନକର୍ତ୍ତା ଯେପରି ଅଧିକ ସମାଦର ପ୍ରାପ୍ତ ହୁଅନ୍ତି, ସେହିପରି ମୋଶାଙ୍କ ଅପେକ୍ଷା ସେ ଅଧିକ ଗୌରବର ଯୋଗ୍ୟ ବୋଲି ଗଣିତ ହୋଇଅଛନ୍ତି। 4 ଯେଣୁ ପ୍ରତ୍ୟେକ ଗୃହ କୌଣସି ନା କୌଣସି ବ୍ୟକ୍ତିଙ୍କ ଦ୍ୱାରା ନିର୍ମିତ ହୋଇଥାଏ, କିନ୍ତୁ ସମସ୍ତ ବିଷୟର ଯେ ନିର୍ମାଣକର୍ତ୍ତା, ସେ ଈଶ୍ବର। 5 ପରବର୍ତ୍ତୀ ବକ୍ତବ୍ୟ ବିଷୟ ସମ୍ବନ୍ଧରେ ସାକ୍ଷ୍ୟ ଦେବା ନିମନ୍ତେ ମୋଶା ତାହାଙ୍କ ଗୃହ ମଧ୍ୟରେ ସେବକ ସ୍ୱରୂପେ ପ୍ରକୃତରେ ବିଶ୍ୱସ୍ତ ଥିଲେ। 6 କିନ୍ତୁ ଖ୍ରୀଷ୍ଟ ଈଶ୍ବରଙ୍କ ଗୃହ ଉପରେ ପୁତ୍ର ସ୍ୱରୂପେ ବିଶ୍ୱସ୍ତ ଅଟନ୍ତି; ଯଦି ଆମ୍ଭେମାନେ ଆମ୍ଭମାନଙ୍କ ସାହସ ପୁଣି, ଦର୍ପର କାରଣ ଯେ ଆମ୍ଭମାନଙ୍କ ଭରସା, ତାହା ଦୃଢ଼ ଭାବରେ ଶେଷ ପର୍ଯ୍ୟନ୍ତ ଧରି ରଖୁ, ତାହାହେଲେ ଆମ୍ଭେମାନେ ତ ତାହାଙ୍କ ଗୃହ ସ୍ୱରୂପ।

ଈଶ୍ବରଙ୍କ ଲୋକମାନଙ୍କ ନିମନ୍ତେ ବିଶ୍ରାମ

7 ଅତଏବ ପବିତ୍ର ଆତ୍ମା ଶାସ୍ତ୍ରରେ ଯେପରି କହନ୍ତି,

"ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ

8 ପ୍ରାନ୍ତରରେ ପରୀକ୍ଷା ଦିନରେ

ଓ ବିରକ୍ତି ଜନ୍ମାଇବା ସ୍ଥାନରେ ଯେପରି ଘଟିଥିଲା,

ସେପରି ଆପଣା ଆପଣା ହୃଦୟ କଠିନ ନ କର,"

9 "ସେହି ପ୍ରାନ୍ତରରେ ତୁମ୍ଭମାନଙ୍କ ପିତୃ-ପୁରୁଷମାନେ ଆମ୍ଭକୁ ପରୀକ୍ଷା କରି ଆମ୍ଭର ଅନୁସନ୍ଧାନ କଲେ,

ଆଉ ଚାଳିଶ ବର୍ଷ ପର୍ଯ୍ୟନ୍ତ ଆମ୍ଭର କାର୍ଯ୍ୟ ଦେଖିଲେ।"

10 "ତେଣୁ ଆମ୍ଭେ ଏହି ବଂଶ ପ୍ରତି ବିରକ୍ତ ହୋଇ କହିଲୁ,

ସେମାନେ ସର୍ବଦା ହୃଦୟରେ ଭ୍ରାନ୍ତ ଅଟନ୍ତି,

ସେମାନେ ଆମ୍ଭର ମାର୍ଗସବୁ ଜାଣି ନାହାନ୍ତି।

11 ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ,

ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ।"

12 ହେ ଭାଇମାନେ, ସାବଧାନ, ଯେପରି ଜୀବନ୍ତ ଈଶ୍ବରଙ୍କଠାରୁ ବିମୁଖକାରୀ ଦୁଷ୍ଟ, ଅବିଶ୍ୱାସୀ ହୃଦୟ ତୁମ୍ଭମାନଙ୍କର କାହାରିଠାରେ ନ ଥାଏ। 13 କିନ୍ତୁ କାଳେ ପାପର ପ୍ରବଞ୍ଚନା ଦ୍ୱାରା ତୁମ୍ଭମାନଙ୍କ ମଧ୍ୟରୁ କେହି କଠିନମନା ହୁଏ, ଏଥିନିମନ୍ତେ ଆଜି ସୁଯୋଗ ଥାଉ ଥାଉ ପ୍ରତିଦିନ ପରସ୍ପରକୁ ଉତ୍ସାହ ଦିଅ; 14 କାରଣ ଆରମ୍ଭରେ ଆମ୍ଭମାନଙ୍କର ଯେଉଁ ବିଶ୍ୱାସ ଥିଲା, ତାହା ଯଦି ଶେଷ ପର୍ଯ୍ୟନ୍ତ ଦୃଢ଼ରୂପେ ଧରି ରଖୁ, ତାହାହେଲେ ଖ୍ରୀଷ୍ଟଙ୍କ ସହଭାଗୀ ହୋଇ ରହିବୁ। 15 ଯେପରି ଶାସ୍ତ୍ରରେ ଉକ୍ତ ଅଛି,

"ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ,

ଯେପରି ବିରକ୍ତି ଜନ୍ମାଇବା ସ୍ଥାନରେ ଘଟିଥିଲା,

ସେପରି ଆପଣା ଆପଣା ହୃଦୟ କଠିନ ନ କର।"

16 ତେବେ କେଉଁମାନେ ଶୁଣି ବିରକ୍ତି ଜନ୍ମାଇଲେ? ମୋଶାଙ୍କ ଦ୍ୱାରା ମିସର ଦେଶରୁ ଯେଉଁମାନେ ବାହାରି ଆସିଥିଲେ, ସେ ସମସ୍ତେ କଅଣ ନୁହଁନ୍ତି? 17 ଆଉ କେଉଁମାନଙ୍କ ଉପରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ସେ ବିରକ୍ତ ହୋଇଥିଲେ? ଯେଉଁମାନେ ପାପ କରିଥିଲେ, ଯେଉଁମାନଙ୍କ ଶବ ପ୍ରାନ୍ତରରେ ପଡ଼ି ରହିଥିଲା, କଅଣ ସେମାନଙ୍କ ଉପରେ ନୁହେଁ? 18 ଯେଉଁମାନେ ଅବାଧ୍ୟ ହୋଇଥିଲେ, ସେମାନଙ୍କ ବିନା ଆଉ କେଉଁମାନଙ୍କ ବିରୁଦ୍ଧରେ ସେ ଶପଥ କରିଥିଲେ ଯେ, ସେମାନେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବେ ନାହିଁ? 19 ଆମ୍ଭେମାନେ ଦେଖୁ ଯେ, ଅବିଶ୍ୱାସ ହେତୁ ସେମାନେ ବିଶ୍ରାମରେ ପ୍ରବେଶ କରିପାରିଲେ ନାହିଁ।

Veja também

Publicidade
Hebreus
Ver todos os capítulos de Hebreus
Bíblia Online Bíblia Online

Bíblia Online • Versão: 2026-06-16_18-40-07-