Publicidade

Joel 2

ସଦାପ୍ରଭୁଙ୍କର ଦିନ

1 ତୁମ୍ଭେମାନେ ସିୟୋନରେ ତୂରୀ ବଜାଅ

ଓ ଆମ୍ଭ ପବିତ୍ର ପର୍ବତରେ ଘୋରନାଦ କର!

ଦେଶ ନିବାସୀ ସମସ୍ତେ କମ୍ପମାନ ହେଉନ୍ତୁ;

କାରଣ ସଦାପ୍ରଭୁଙ୍କର ଦିନ ଆସୁଅଛି, ସେ ଦିନ ନିକଟ।

2 ତାହା ତିମିର ଓ ଅନ୍ଧକାରମୟ ଦିନ,

ତାହା ମେଘାଚ୍ଛନ୍ନ ଓ ନିବିଡ଼ ଅନ୍ଧକାରମୟ ଦିନ,

ପର୍ବତଗଣର ଉପରେ ଅରୁଣ ତୁଲ୍ୟ ତାହା ବ୍ୟାପ୍ତ ହେଉଅଛି;

ମହତୀ ଓ ବଳବତୀ ଏକ ଗୋଷ୍ଠୀ,

ତାହାରି ସଦୃଶ ଗୋଷ୍ଠୀ କେବେ ହୋଇ ନାହିଁ,

କିଅବା ସେମାନଙ୍କ ଉତ୍ତାରେ ଅନେକ ଅନେକ

ପିଢ଼ିର ବର୍ଷ ପର୍ଯ୍ୟନ୍ତ ହେବ ନାହିଁ।

3 ସେମାନଙ୍କ ଆଗରେ ଅଗ୍ନି ଗ୍ରାସ କରୁଅଛି

ଓ ସେମାନଙ୍କ ପଶ୍ଚାତରେ ଅଗ୍ନିଶିଖା ଦଗ୍ଧ କରୁଅଛି;

ସେମାନଙ୍କ ଆଗରେ ଦେଶ ଏଦନ ଉଦ୍ୟାନ ତୁଲ୍ୟ

ଓ ସେମାନଙ୍କ ପଶ୍ଚାତରେ ତାହା ଧ୍ୱଂସିତ ପ୍ରାନ୍ତର;

ଆଉ, ସେମାନଙ୍କଠାରୁ ରକ୍ଷାପ୍ରାପ୍ତ କେହି ନାହିଁ।

4 ସେମାନଙ୍କର ଆକାର ଅଶ୍ୱଗଣର ଆକୃତି ତୁଲ୍ୟ

ଓ ସେମାନେ ଅଶ୍ୱାରୋହୀଗଣର ତୁଲ୍ୟ ଦୌଡ଼ନ୍ତି।

5 ପର୍ବତଗଣର ଶୃଙ୍ଗରେ ରଥସମୂହର ଶବ୍ଦ ତୁଲ୍ୟ ସେମାନେ କୁଦନ୍ତି,

ନଡ଼ାଗ୍ରାସକାରୀ ଅଗ୍ନିଶିଖାର ଶବ୍ଦ ତୁଲ୍ୟ,

ସେମାନେ ଯୁଦ୍ଧାର୍ଥେ ଶ୍ରେଣୀବଦ୍ଧ ବଳବତୀ ଗୋଷ୍ଠୀ ତୁଲ୍ୟ।

6 ସେମାନଙ୍କ ସାକ୍ଷାତରେ ଗୋଷ୍ଠୀଗଣ ଯନ୍ତ୍ରଣାଯୁକ୍ତ;

ସମସ୍ତଙ୍କର ମୁଖ ମଳିନ।

7 ସେମାନେ ବୀରଗଣ ତୁଲ୍ୟ ଦୌଡ଼ନ୍ତି;

ସେମାନେ ଯୋଦ୍ଧାଗଣ ତୁଲ୍ୟ ପ୍ରାଚୀର ଚଢ଼ନ୍ତି;

ସେମାନେ ପ୍ରତ୍ୟେକେ ଆପଣା ଆପଣା ପଥରେ ଅଗ୍ରସର ହୁଅନ୍ତି

ଓ ସେମାନେ ଆପଣା ଆପଣା ଶ୍ରେଣୀ ଭଗ୍ନ କରନ୍ତି ନାହିଁ।

8 ଅବା ସେମାନଙ୍କର ଏକ ଜଣ ଆର ଜଣକୁ ଠେଲନ୍ତି ନାହିଁ;

ସେମାନେ ପ୍ରତ୍ୟେକେ ଆପଣା ଆପଣା ପଥରେ ଅଗ୍ରସର ହୁଅନ୍ତି;

ସେମାନେ ଅସ୍ତ୍ରଶସ୍ତ୍ର ମଧ୍ୟରେ ପେଲି ହୋଇ ପଶନ୍ତି

ଓ ଆପଣା ଆପଣା ଯିବାର ପଥ ଛାଡ଼ନ୍ତି ନାହିଁ।

9 ସେମାନେ ନଗର ଉପରେ କୁଦନ୍ତି;

ସେମାନେ ନଗରର ପ୍ରାଚୀର ଉପରେ ଦୌଡ଼ନ୍ତି;

ସେମାନେ ଗୃହ ଉପରେ ଚଢ଼ନ୍ତି;

ସେମାନେ ଚୋର ପରି ଝରକା ବାଟେ ପ୍ରବେଶ କରନ୍ତି।

10 ସେମାନଙ୍କ ସମ୍ମୁଖରେ ପୃଥିବୀ କମ୍ପିତ ହୁଏ;

ଆକାଶମଣ୍ଡଳ ଥରଥର ହୁଏ;

ସୂର୍ଯ୍ୟ ଓ ଚନ୍ଦ୍ର ଅନ୍ଧକାରମୟ ହୁଏ

ଓ ନକ୍ଷତ୍ରଗଣ ଆପଣା ଆପଣା ତେଜ ରହିତ କରନ୍ତି।

11 ପୁଣି, ସଦାପ୍ରଭୁ ଆପଣା ସୈନ୍ୟସାମନ୍ତ ସମ୍ମୁଖରେ

ଆପଣା ରବ ଉଚ୍ଚାରଣ କରନ୍ତି;

କାରଣ ତାହାଙ୍କର ଛାଉଣି ଅତି ବଡ଼;

କାରଣ ତାହାଙ୍କର ବାକ୍ୟ ଯେ ସାଧନ କରେ, ସେ ବଳବାନ।

କାରଣ ସଦାପ୍ରଭୁଙ୍କର ଦିନ ମହତ୍ ଓ ଅତି ଭୟାନକ;

ଆଉ କିଏ ତାହା ସହ୍ୟ କରିପାରେ?

ଅନୁତାପ ନିମନ୍ତେ ଆହ୍ୱାନ

12 ତଥାପି ସଦାପ୍ରଭୁ କହନ୍ତି,

"ଏବେ ହେଁ ତୁମ୍ଭେମାନେ ଉପବାସ, ରୋଦନ ଓ ବିଳାପ କରି

ଆପଣାମାନଙ୍କର ସର୍ବାନ୍ତଃକରଣ ସହିତ ଆମ୍ଭ ନିକଟକୁ ଫେରି ଆସ।

13 ପୁଣି, ଆପଣା ଆପଣା ବସ୍ତ୍ର ନ ଚିରି ଅନ୍ତଃକରଣ ଚିର"

ଓ ସଦାପ୍ରଭୁ ଆପଣାମାନଙ୍କର ପରମେଶ୍ୱରଙ୍କ ନିକଟକୁ ଫେରି ଆସ;

କାରଣ ସେ କୃପାମୟ ଓ ସ୍ନେହଶୀଳ,

କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ,

ଆଉ ସେ ଅମଙ୍ଗଳ କରିବା ବିଷୟରେ କ୍ଷାନ୍ତ ହୁଅନ୍ତି।

14 କେଜାଣି ସେ ଫେରି ଦୁଃଖିତ ହେବେ ଓ ଆପଣା ପଶ୍ଚାତ୍‍ ଆଶୀର୍ବାଦ,

ଅର୍ଥାତ୍‍, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ

ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ରଖିଯିବେ।

15 ସିୟୋନରେ ତୂରୀ ବଜାଅ

ଓ ପବିତ୍ର ଉପବାସ ନିରୂପଣ କର, ମହାସଭା ଆହ୍ୱାନ କର;

16 ଲୋକମାନଙ୍କୁ ଏକତ୍ର କର,

ପବିତ୍ର ସମାଜ ନିରୂପଣ କର, ପ୍ରାଚୀନମାନଙ୍କୁ ସଂଗ୍ରହ କର,

ବାଳକ, ବାଳିକାମାନଙ୍କୁ ଓ ଦୁଗ୍ଧପୋଷ୍ୟ ଶିଶୁମାନଙ୍କୁ ଏକତ୍ର କର;

ବର ଆପଣା ଶୟନ ଗୃହରୁ ଓ କନ୍ୟା ଆପଣା ଅନ୍ତଃପୁରରୁ ବାହାର ହେଉ।

17 ବରଣ୍ଡା ଓ ବେଦିର ମଧ୍ୟସ୍ଥାନରେ

ସଦାପ୍ରଭୁଙ୍କର ପରିଚାରକ ଯାଜକମାନେ ରୋଦନ କରନ୍ତୁ,

ଆଉ ସେମାନେ କହନ୍ତୁ,

"ହେ ସଦାପ୍ରଭୁ, ଆପଣା ଲୋକମାନଙ୍କୁ ଦୟା କର

ଓ ଅନ୍ୟ ଦେଶୀୟମାନେ ଯେପରି

ସେମାନଙ୍କ ଉପରେ ଶାସନ ନ କରିବେ,

ଏଥିପାଇଁ ଆପଣା ଅଧିକାରକୁ ନିନ୍ଦିତ ହେବାକୁ ଦିଅ ନାହିଁ;

‘ସେମାନଙ୍କର ପରମେଶ୍ୱର କାହାନ୍ତି,’

ଏହା ସେମାନେ ନାନା ଗୋଷ୍ଠୀ ମଧ୍ୟରେ କାହିଁକି କହିବେ?"

ପରମେଶ୍ୱରଙ୍କ ଆଶୀର୍ବାଦ

18 ସେତେବେଳେ ସଦାପ୍ରଭୁ ଆପଣା ଦେଶ ପାଇଁ ଉଦ୍‍ଯୋଗୀ ହେଲେ

ଓ ଆପଣା ଲୋକମାନଙ୍କ ପ୍ରତି ଦୟା କଲେ।

19 ପୁଣି, ସଦାପ୍ରଭୁ ଆପଣା ଲୋକମାନଙ୍କୁ ଉତ୍ତର ଦେଇ କହିଲେ,

"ଦେଖ, ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଶସ୍ୟ,

ଦ୍ରାକ୍ଷାରସ ଓ ତୈଳ ପଠାଇଦେବା,

ଆଉ ତୁମ୍ଭେମାନେ ତହିଁରେ ତୃପ୍ତ ହେବ;

ପୁଣି, ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ

ତୁମ୍ଭମାନଙ୍କୁ ଆଉ ନିନ୍ଦାର ପାତ୍ର କରିବା ନାହିଁ।

20 ମାତ୍ର ଆମ୍ଭେ ତୁମ୍ଭମାନଙ୍କ ନିକଟରୁ

ଉତ୍ତର ଦେଶୀୟ ସୈନ୍ୟଦଳକୁ ଦୂର କରିବା,

ପୁଣି ସେମାନଙ୍କୁ ଶୁଷ୍କ ଓ ଧ୍ୱଂସିତ ଦେଶକୁ ତଡ଼ିଦେଇ

ସେମାନଙ୍କର ଅଗ୍ରଭାଗ ପୂର୍ବ ସମୁଦ୍ର ଆଡ଼େ,

ଆଉ ସେମାନଙ୍କର ପଶ୍ଚାଦ୍‍ଭାଗ ପଶ୍ଚିମ ସମୁଦ୍ର ଆଡ଼େ ତଡ଼ିଦେବା;

ତହିଁରେ ସେମାନଙ୍କର ଦୁର୍ଗନ୍ଧ ଉଠିବ ଓ କୁବାସ ନିର୍ଗତ ହେବ,

କାରଣ ସେ ମହତ୍ କର୍ମମାନ କରିଅଛନ୍ତି।

21 ହେ ଦେଶ, ଭୟ କର ନାହିଁ,

ଉଲ୍ଲସିତ ହୋଇ ଆନନ୍ଦ କର;

କାରଣ ସଦାପ୍ରଭୁ ମହତ୍ କର୍ମମାନ କରିଅଛନ୍ତି।

22 ହେ କ୍ଷେତ୍ରସ୍ଥ ପଶୁଗଣ, ତୁମ୍ଭେମାନେ ଭୟ କର ନାହିଁ;

କାରଣ ପ୍ରାନ୍ତରସ୍ଥ ଚରାଣି ସ୍ଥାନସବୁ ଅଙ୍କୁରିତ ହେଉଅଛି,

ବୃକ୍ଷ ଫଳ ଫଳୁଅଛି, ଡିମ୍ବିରିବୃକ୍ଷ ଓ ଦ୍ରାକ୍ଷାଲତା ଆପଣା ଶକ୍ତି ପ୍ରକାଶ କରୁଅଛି।

23 ଏଥିପାଇଁ ହେ ସିୟୋନର ସନ୍ତାନଗଣ, ତୁମ୍ଭେମାନେ ଉଲ୍ଲସିତ ହୁଅ

ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ଆନନ୍ଦ କର;

କାରଣ ସେ ତୁମ୍ଭମାନଙ୍କୁ ଯଥା ପରିମାଣରେ ଆଦ୍ୟ ବୃଷ୍ଟି ଦିଅନ୍ତି

ଓ ସେ ତୁମ୍ଭମାନଙ୍କ ନିମନ୍ତେ ବୃଷ୍ଟି ବର୍ଷାନ୍ତି,

ଆଦ୍ୟ ବୃଷ୍ଟି ଓ ଶେଷ ବୃଷ୍ଟି ପ୍ରଥମ ମାସରେ।

24 ପୁଣି, ତୁମ୍ଭମାନଙ୍କର ଖଳାସବୁ ଗହମରେ ପରିପୂର୍ଣ୍ଣ ହେବ

ଓ କୁଣ୍ଡସବୁ ଦ୍ରାକ୍ଷାରସ ଓ ତୈଳରେ ଉଚ୍ଛୁଳି ପଡ଼ିବ।

25 ଆଉ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ଆପଣାର ଯେଉଁ ମହାସୈନ୍ୟଦଳ,

ଅର୍ଥାତ୍‍ ପଙ୍ଗପାଳ, ପତଙ୍ଗ, ଘୁର୍ଘୁରିଆ ଓ ଶୂକ କୀଟ ପଠାଇଲୁ,

ସେମାନେ ଯେଉଁ ବର୍ଷର ଶସ୍ୟାଦି ଖାଇଅଛନ୍ତି,

ତାହା ଆମ୍ଭେ ତୁମ୍ଭମାନଙ୍କୁ ଫେରାଇ ଦେବା।

26 ତହିଁରେ ତୁମ୍ଭେମାନେ ପ୍ରଚୁର ରୂପେ ଭୋଜନ କରି ପରିତୃପ୍ତ ହେବ

ଓ ଯେ ତୁମ୍ଭମାନଙ୍କ ପ୍ରତି ଆଶ୍ଚର୍ଯ୍ୟ ବ୍ୟବହାର କରିଅଛନ୍ତି,

ତୁମ୍ଭେମାନେ ସେହି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନାମର ପ୍ରଶଂସା କରିବ

ଓ ଆମ୍ଭର ଲୋକମାନେ କଦାପି ଲଜ୍ଜିତ ହେବେ ନାହିଁ।

27 ତହିଁରେ ଆମ୍ଭେ ଯେ ଇସ୍ରାଏଲର ମଧ୍ୟବର୍ତ୍ତୀ ଅଛୁ

ଓ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ ଓ ଅନ୍ୟ କେହି ନାହିଁ,

ଏହା ତୁମ୍ଭେମାନେ ଜାଣିବ; ପୁଣି, ଆମ୍ଭର ଲୋକମାନେ କଦାପି ଲଜ୍ଜିତ ହେବେ ନାହିଁ।

ମନୁଷ୍ୟ ଉପରେ ପରମେଶ୍ୱରଙ୍କ ଆତ୍ମା

28 ପୁଣି, ତହିଁ ଉତ୍ତାରେ ଆମ୍ଭେ ସମୁଦାୟ ପ୍ରାଣୀ ଉପରେ ଆପଣା ଆତ୍ମା ଢାଳିବା;

ତହିଁରେ ତୁମ୍ଭମାନଙ୍କର ପୁତ୍ରଗଣ ଓ କନ୍ୟାଗଣ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବେ,

ତୁମ୍ଭମାନଙ୍କର ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ,

ତୁମ୍ଭମାନଙ୍କର ଯୁବା ଲୋକମାନେ ଦର୍ଶନ ପାଇବେ।

29 ଆଉ, ସେହି ସମୟରେ ମଧ୍ୟ ଆମ୍ଭେ

ଦାସଦାସୀଗଣର ଉପରେ ଆପଣାର ଆତ୍ମା ଢାଳିବା।

30 ପୁଣି, ଆମ୍ଭେ ଆକାଶରେ ଓ ପୃଥିବୀରେ

ରକ୍ତ, ଅଗ୍ନି ଓ ଧୂମସ୍ତମ୍ଭର ଅଦ୍ଭୁତ ଲକ୍ଷଣ ଦେଖାଇବା।

31 ସଦାପ୍ରଭୁଙ୍କର ମହତ୍ ଓ ଭୟଙ୍କର ଦିନର ଆଗମନର ପୂର୍ବେ

ସୂର୍ଯ୍ୟ ଅନ୍ଧକାର ଓ ଚନ୍ଦ୍ର ରକ୍ତ ହୋଇଯିବ।

32 ପୁଣି, ଯେକେହି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ଉଦ୍ଧାର ପାଇବ;

କାରଣ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ

ସିୟୋନ ପର୍ବତରେ ଓ ଯିରୂଶାଲମରେ ରକ୍ଷାପ୍ରାପ୍ତ ଲୋକମାନେ ରହିବେ,

ପୁଣି ଯେଉଁମାନଙ୍କୁ ସଦାପ୍ରଭୁ ଆହ୍ୱାନ କରିବେ,

ସେମାନେ ଅବଶିଷ୍ଟାଂଶର ମଧ୍ୟରେ ରହିବେ।

Veja também

Publicidade
Joel
Ver todos os capítulos de Joel
Bíblia Online Bíblia Online

Bíblia Online • Versão: 2026-06-16_06-50-08-